ଶକ୍ତି ଏବଂ ଶ୍ରମ ବିଭାଗର ସମୀକ୍ଷା : ‘ଡିସେମ୍ବର ସୁଦ୍ଧା ୧୬ ହଜାର ପଡ଼ାଗାଁକୁ ବିଜୁଳି’

ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନରେ କେବଳ ଆତ୍ମନିର୍ଭରଣୀଳ ନୁହେଁ, ବଳକା ରାଜ୍ୟ। ରାଜ୍ୟର ଶକ୍ତି କ୍ଷମତା ଏବେ ୫୯୧୪ ମେଗାଓ୍ଵାଟ୍‌କୁ ବୃଦ୍ଧି ପାଇଛି। ଫଳରେ ରାଜ୍ୟର ସମସ୍ତ ୪୭୬୭୭ ରାଜସ୍ୱ ଗ୍ରାମକୁ ବିଜୁଳି ପହଞ୍ଚିପାରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ୧୬ ହଜାର ପଡ଼ାଗ୍ରାମକୁ ବିଜୁଳି ସଂଯୋଗ କରାଯିବ ବୋଲି ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭାଗଓ୍ଵାରୀ ସମୀକ୍ଷା ପରେ ବିଭାଗୀୟ ପ୍ରଦର୍ଶନ ସଂପର୍କରେ ଗଣମାଧ୍ୟମରେ ବିସ୍ତତ ସୂଚନା ଦେଇଥିଲେ ମନ୍ତ୍ରୀ ଶ୍ରୀ ସିଂହ। ଗତ ଚାରିବର୍ଷ ଭିତରେ ଆଉ ୧୭ ଲକ୍ଷ ଘରୋଇ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ୨୦୧୪ରେ ରାଜ୍ୟରେ ୯୯.୯୬ ପ୍ରତିଶତ ଟ୍ରାନ୍ସମିସନ ଉପଲବ୍ଧ ହେଉଥିବା ବେଳେ ଚାରିବର୍ଷରେ ଏହା ୯୯.୯୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଅଭିବୃଦ୍ଧି ହାର ସମଗ୍ର ଦେଶରେ ସର୍ବାଧିକ। ସେହିପରି ଗତ ଚାରିବର୍ଷରେ ଟ୍ରାନ୍ସମିସନ ଜନିତ କ୍ଷତି ୩.୭୯ ପ୍ରତିଶତରୁ ୩.୪୦ ପ୍ରତିଶତକୁ ହ୍ରାସ ପାଇଛି। ଗତ ଚାରିବର୍ଷରେ ୨୭୦ଟି ସବ୍‌ଷ୍ଟେସନ ସ୍ଥାପନ ହୋଇଛି। ୨୦୧୯ ସୁଦ୍ଧା ବଳକା ୨୩୦ଟିର କାର୍ଯ୍ୟ ସରିବ। ଏହା ଫଳରେ ଭୋଲ୍‌ଟେଜ୍‌ ମାନରେ ଉନ୍ନତି ଘଟିଥିବା ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ।

ରାଜ୍ୟବାସୀଙ୍କୁ କମ୍‌ ଦରରେ ବିଜୁଳି ଯୋଗାଇବା ପାଇଁ ଜଳ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକର ଉପଯୋଗ କରାଯାଉଛି। ୬୦୭ କୋଟି ବିନିଯୋଗରେ ବୁର୍ଲା, ଚିପିଲିମା, ବାଲିମେଳା ଜଳ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକର ନବୀକରଣ ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ସେହିପରି ତାପଜ ବିଦ୍ୟୁତ୍‌ ଶକ୍ତିର ବିକାଶ ପାଇଁ ଓପିଜିସିର ୨ଟି ୟୁନିଟ୍‌ ଆଗାମୀ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ, ବିଦ୍ୟୁତ୍‌ କାଟ କରାଯାଉନାହିଁ। କାଳବୈଶାଖୀ ହେଉ ବା ଓଭରଲୋଡିଂ ଯୋଗୁ ସାମୟିକ ଭାବେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ସଫଳତା ସଂପର୍କରେ ମନ୍ତ୍ରୀ କହିଲେ, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଯେଉଁମାନେ ନିଜ ନିଜ ପ୍ରତିଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ପ୍ରଦର୍ଶନ କରିବାରେ ଖିଲାପ କରିବେ, ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଇଏସ୍‌ଆଇ ହସ୍‌ପିଟାଲ୍‌ରେ ୫୭ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ୱରର ଜଗନ୍ନାଥପ୍ରସାଦରେ ୧୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସାଳୟ ନିର୍ମାଣକୁ ମଞ୍ଜୁରି ମିଳିଛି। ଗତ ବର୍ଷକ ଭିତରେ ରାଜ୍ୟରେ ବୀମାଭୁକ୍ତ କର୍ମଚାରୀଙ୍କ ସଂଖ୍ୟା ୫.୫ ଲକ୍ଷରୁ ୬.୫ ଲକ୍ଷକୁ ବୃଦ୍ଧି ପାଇଛି। ପ୍ରବାସୀ ଶ୍ରମିକଙ୍କର ଦୁର୍ଦଶା ଦୂର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଥିଲେ।

ଓଡ଼ିଶା ଗୃହ ନିର୍ମାଣ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ କହିଲେ, ଆଗାମୀ ଡିସେମ୍ବର ସୁଦ୍ଧା ୨୫ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକରଣ କରାଯିବ। ଓଡ଼ିଶାରେ ପ୍ରାୟ ୫୭ ପ୍ରତିଶତ ନିର୍ମାଣ ଶ୍ରମିକଙ୍କୁ ସୁବିଧା ସୁଯୋଗ ମିଳୁଥିବା ବେଳେ ଜାତୀୟ ସ୍ତରରେ ୨୮ ପ୍ରତିଶତ ଶ୍ରମିକଙ୍କୁ ଏହା ଉପଲବ୍ଧ। ବର୍ତମାନ ସୁଦ୍ଧା ନିର୍ମାଣ କ୍ଷେତ୍ରରୁ ପ୍ରାୟ ୧୪୦୦ କୋଟି ଟଙ୍କାର ସେସ୍‌ ଆଦାୟ ହୋଇଛି। ସେଥିମଧ୍ୟରୁ ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ଖର୍ଚ ହୋଇଛି ପ୍ରାୟ ୮୦୦ କୋଟି। ତେବେ ସାମ୍ବାଦିକଙ୍କୁ କିପରି ଏବଂ କେଉଁ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ସାମାଜିକ ସୁରକ୍ଷା ଦେଇହେବ ସେହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ସିଂହ ଥତମତ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର