ଗାନ୍ଧୀ ଜୟନ୍ତୀରେ ମୁକୁଳିବେ ୧୭ କଏଦୀ

କଟକ : ରାଜ୍ୟର ମୋଟ ୯୧ଟି ଜେଲ୍‌ରୁ ଖଲାସ ହେବେ ୧୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀ। ଆସନ୍ତା ଗାନ୍ଧୀ ଜୟନ୍ତୀରେ ସମସ୍ତ ଜେଲ୍‌ରୁ ଏମାନଙ୍କୁ ଖଲାସ କରାଯିବ। ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିଛି। ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଜେଲ୍‌ ବିଭାଗକୁ ଗୃହ ବିଭାଗ ପକ୍ଷରୁ ଗତ ୨୯ ତାରିଖରେ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଦୀର୍ଘ ବର୍ଷ ପରେ କେନ୍ଦ୍ର ସରକାରଙ୍କ ଏ ପ୍ରକାର ଆଭିମୁଖ୍ୟ ବନ୍ଦୀ ଜୀବନ କାଟୁଥିବା କଏଦୀଙ୍କ ମନରେ ନୂଆ ଆଶା ସଂଚାର ସୃଷ୍ଟି କରିପାରିଛି। ଖଲାସ ଖବର ଜାଣିବା ପରେ ବିଭିନ୍ନ ଜେଲ୍‌ରେ ଥିବା ବନ୍ଦୀଙ୍କ ଘରକୁ ଫେରିବା ପାଇଁ ଉତ୍କଣ୍ଠା ବଢ଼ିଯାଇଛି।

ରାଜ୍ୟରେ ମୋଟ ୯୧ଟି ଜେଲ୍‌ରେ ୧୫ ହଜାର ୯୬୫ ବନ୍ଦୀଙ୍କ ମଧ୍ୟରୁ ୩୩୮୧ ଜଣ ଦୋଷୀ ସାବ୍ୟସ୍ତ ହୋଇ ବନ୍ଦୀ ଜୀବନ କାଟୁଛନ୍ତି। ରାଜ୍ୟରେ ୫ଟି କେନ୍ଦ୍ରୀୟ ଜେଲରେ ୧୨୧୫ ବନ୍ଦୀ, ୯ଟି ଜିଲ୍ଲା ଜେଲ୍‌ରେ ୯୫୯ ଜଣ, ୭୩ଟି ସବ୍‌-ଜେଲ୍‌ରେ ୮୭୦ ଜଣ, ଗୋଟିଏ ମହିଳା ଜେଲ୍‌ରେ ୧୫ ଜଣ, ଗୋଟିଏ ମୁକ୍ତାକାଶ କାରାଗାରରେ ୧୦୩ ଜଣ ଏବଂ ୨ଟି ସ୍ୱତନ୍ତ୍ର କାରାଗାରରେ ୨୧୯ ଦୋଷୀ ସାବ୍ୟସ୍ତ ହୋଇ ବନ୍ଦୀ ଜୀବନ କାଟୁଛନ୍ତି। କିନ୍ତୁ ସେମାନଙ୍କୁ ମଧ୍ୟରୁ ଯେଉଁ ବନ୍ଦୀଙ୍କ ବ୍ୟବହାର ଓ ଅପରାଧୀକ ପ୍ରବୃତ୍ତିରେ ପରିବର୍ତ୍ତନ ଆସିଛି, ସେମାନଙ୍କୁ ଆସନ୍ତା ଅକ୍ଟୋବର ୨ ତାରିଖରେ ଆୟୋଜିତ ହେବାକୁ ଥିବା ୧୫୦ ତମ ଗାନ୍ଧୀ ଜୟନ୍ତୀରେ ମୁକ୍ତ କରାଯିବାକୁ କେନ୍ଦ୍ର ସରକାର ରାଜ୍ୟ ଗୃହ ବିଭାଗ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ସେହି ଆଧାରରେ ଓଡ଼ିଶା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟ ଗଠନ କରାଯାଇ କେଉଁ କଏଦୀଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଛି, ସେମାନଙ୍କୁ ଚିହ୍ନଟ କରାଯାଇଛି। ଏହି କମିଟିରେ ଆଇନ ବିଭାଗର ମୁଖ୍ୟ ଶାସନ ସଚିବ ସଦସ୍ୟ ଏବଂ କାରାଗାର ବିଭାଗ ଏଡିଜି ସଦସ୍ୟ ସଚିବ ଥିଲେ। ମୁକୁଳିବାକୁ ଥିବା ବନ୍ଦୀଙ୍କ ପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ରଖାଯାଇଛି। ପୁରୁଷ ବନ୍ଦୀଙ୍କ ବୟସ ୬୫ ବର୍ଷ ହୋଇଥିବ। ସମ୍ପୃକ୍ତ ବନ୍ଦୀ ଦୋଷୀ ସାବ୍ୟସ୍ତ ହେବା ପରେ ମୋଟ ଜେଲ୍‌ ଦଣ୍ଡ ୬୬ ପ୍ରତିଶତ କାଟି ସାରିଥିବେ। ମହିଳାଙ୍କ କ୍ଷେତ୍ରରେ ୫୫ ପ୍ରତିଶତ ଜେଲ୍‌ ଦଣ୍ଡ ଭୋଗିଥିବେ। ଅନ୍ୟପଟେ ଯେଉଁ ବନ୍ଦୀ ଜଣକ ୬୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିବେ, ସେମାନଙ୍କୁ ମଧ୍ୟ ବିଚାରକୁ ନିଆଯିବ। କିନ୍ତୁ ୩୦୨ ହତ୍ୟା ଦଫା, ୩୯୫ ଡକାୟତି ଦଫା, ୩୭୫ ଦୁଷ୍କର୍ମ ଦଫା ଏବଂ ବ୍ରାଉନ୍‌ସୁଗାର, ଗଞ୍ଜେଇ ଓ ଅଫିମ ଭଳି ମାଦକ ଦ୍ରବ୍ୟ ଚାଲାଣ କରି ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ ହୋଇ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କୁ ବିଚାରକୁ ନିଆଯିବ ନାହିଁ। ଯେଉଁମାନଙ୍କ ବିରୋଧରେ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଣି କରିଥିବେ, ସେମାନଙ୍କୁ ମଧ୍ୟ ଚୟନ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ। ଏବେ କଟକର ଚଦ୍ୱାର ସର୍କଲ ଜେଲ୍‌ରେ ମୋଟ ବନ୍ଦୀଙ୍କ ସଂଖ୍ୟା ୧୧୩୭ । ଖଲାସ ହେବାକୁ ଥିବା ୧୭ ଜଣିଆ ତାଲିକାରେ ଚୌଦ୍ୱାରରୁ ୩ ଜଣ ବନ୍ଦୀଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର