ଗ୍ରାମରକ୍ଷୀ ଓ ୨ ପୁଅକୁ ଉଦ୍ଧାର କଲା ପୁଲିସ

ଦଶପଲ୍ଲା : ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ କେନ୍ଦ୍ର କରି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀବହୁଳ ଦୁଡା ଗ୍ରାମରେ ବସିଛି କଙ୍ଗାରୁ କୋର୍ଟ। ଏହି ଘଟଣାରେ ଗାଁ ଲୋକେ ଜଣେ ଗ୍ରାମରକ୍ଷୀଙ୍କ ସହିତ ୩ ଜଣଙ୍କୁ ମାଡ଼ ମାରି ଖୁଣ୍ଟରେ ବାନ୍ଧି ଆଇନକୁ ହାତକୁ ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିବା ସହ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଘଟଣା ପରେ ଗାଁ’ରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଭୟରେ ଗାଁକୁ ପଶି ପାରିନାହିଁ କି କାହାକୁ ଗିରଫ କରିପାରିନାହିଁ।

ଘଟଣାରୁ ପ୍ରକାଶ, ଦୁଡା ଗ୍ରାମର ଯାଦବ ନାୟକ (୨୫) ଏବଂ ବ୍ରହ୍ମାନନ୍ଦ ନାୟକ ଦାଦନ ଶ୍ରମିକ ଭାବେ କାମ କରନ୍ତି। ଗତ ୧ ତାରିଖରେ ଯାଦବ ଓ ବ୍ରହ୍ମାନନ୍ଦ ବାହାରକୁ ସାଙ୍ଗ ହୋଇ ଯାଇଥିବାବେଳେ ଯାଦବଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ସେହିିଦିନଠାରୁ ବ୍ରହ୍ମାନନ୍ଦଙ୍କର କୌଣସି ଖୋଜ୍‌ ଖବର ମିଳିନଥିଲା।

ସ୍ୱାମୀଙ୍କର ସନ୍ଦେହଜନକ ମୃତ୍ୟୁ ନେଇ ଯାଦବଙ୍କ ପତ୍ନୀ ଜୟପ୍ରଦା ନାୟକ ଚାରିଛକ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ବ୍ରହ୍ମାନନ୍ଦଙ୍କୁ ଅଟକ ରଖିଥିଲା। ଏବଂ, ପରେ ଛାଡ଼ି ଦେଇଥିଲା। ତେବେ, ଗତ ୧୭ ତାରିଖରେ କୁରୁଡାଙ୍ଗି, ଜରକିବାଡି, ଦୁଡା, କନଡି, ପିଲିପାଜୁ, ମିଟିଗାଡୁ, ଡାଲିଆପଦର, ଗାଡିଆପଡା, ଶିରିଶିରା ଏବଂ ଗୋଛା ଅଞ୍ଚଳର କିଛି ଲୋକଙ୍କୁ ନେଇ କଙ୍ଗାରୁ କୋର୍ଟ ଅନୁଷ୍ଠିତ ହୋଇଥିଲା। କଙ୍ଗାରୁ କୋର୍ଟର ନିଷ୍ପତି କ୍ରମେ ବ୍ରହ୍ମାନନ୍ଦଙ୍କ ସମେତ ତାଙ୍କ ଭାଇ ଅନାଦି ନାୟକ ଏବଂ ବାପା ଦୁର୍ଯ୍ୟୋଧନ ନାୟକ (ଗ୍ରାମରକ୍ଷୀ)ଙ୍କୁ ରାତିତମାମ ୩ ଜଣଙ୍କୁ ଖୁଣ୍ଟରେ ବନ୍ଧା ଯାଇଥିଲା। ପରେ, ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର