ଫାଟିଲା ଜିଆର୍‌ଏସ୍‌ ସଂଘ

୩୧ରେ ସୁଦ୍ଧା କାର୍ଯ୍ୟରେ ଯୋଗନଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଦରମା ବୃଦ୍ଧି ଘୋଷଣା ସତ୍ୱେ ଆନ୍ଦୋଳନ ଚଳାଇଥିବା ଗ୍ରାମ ରୋଜଗାର ସେବକଙ୍କ ପ୍ରତି ରାଜ୍ୟ ସରକାର ଆଜି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଜି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯଦି ୩୧ ତାରିଖ ସୁଦ୍ଧା ଗ୍ରାମ ରୋଜଗାର ସେବକମାନେ କାର୍ଯ୍ୟରେ ଯୋଗନଦେବେ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଗ୍ରାମ ରୋଜଗାର ସେବକ ସଂଘ ଦୁଇଫାଳ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ୨୭ ତାରିଖ ଦିନ ଲୋୟର ପିଏମ୍‌ଜିରେ ବିକ୍ଷୋଭ ବେଳେ ଗ୍ରାମ ଜିଆରଏସ୍‌ଙ୍କୁ ମାଡ଼ ମାରିଥିଲା ପୁଲିସ। ୨୪ ଘଣ୍ଟା ପରେ ମାଡ଼ରେ ମଲମ ଲଗାଇବାକୁ ଯାଇ ଗତକାଲି ସରକାର ସେମାନଙ୍କ ଦରମା ବଢ଼ାଇଥିଲେ। ମୂଳ ଦରମା ୨ ହଜାର ଟଙ୍କା ବୃଦ୍ଧି କରାଯାଇଥିଲା ଓ ବିଭିନ୍ନ ବିଭିନ୍ନ ସ୍କିମ୍‌ରେ ଆଉ ୧୮ ଶହ ଟଙ୍କା ସହାୟତା ରାଶି ବୃଦ୍ଧି କରାଯାଇଥିଲା। ଅର୍ଥାତ୍‌ ଏବେ ଜିଆର୍‌ଏସ୍‌ ମାସିକ ପ୍ରାୟ ୮ହଜାର ୮ଶହ ଟଙ୍କା ପାଇବେ।

ଏହା ପରେ ଗତକାଲି ଗୋଟିଏ ଗୋଷ୍ଠୀ ଆନ୍ଦୋଳନରୁ ଓହରି ଯାଇଥିବାବେଳେ ସଂଗଠନର ଉପସଭାପତିଙ୍କ ନେତୃତ୍ୱରେ ଆନ୍ଦୋଳନ ଜାରି ରହିଛି। ଦାବି ସଂପୂର୍ଣ୍ଣ ଭାବରେ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଅଡ଼ି ବସିଛନ୍ତି। ଫଳରେ ଅଙ୍ଗନବାଡ଼ି ଭଳି ଏହି ସଂଘ ବି ବିଭାଜିତ ହୋଇଯାଇଛି।

ତେବେ ଆଜି ଏହି ଘଟଣାକୁ ସରକାର ହାଲକା ଭାବେ ନେବାକୁ ଚାହୁଁନାହାନ୍ତି। ଆଜି ମନ୍ତ୍ରୀ ସେମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଚେତାବନୀ ଦେବା ସହିତ ବିଜେପି ବିରୋଧରେ ଆଙ୍ଗୁଳି ଉଠାଇଛନ୍ତି। କହିଛନ୍ତି, ଅଙ୍ଗନବାଡ଼ି କର୍ମୀଙ୍କ ପରେ ଜିଆର୍‌ଏସ୍‌ଙ୍କୁ ନେଇ ବିଜେପି ରାଜନୀତି କରୁଛି। ଜିଆରଏସ୍‌ଙ୍କ ଦରମା କେନ୍ଦ୍ର ସରକାରଙ୍କ ବିଷୟ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ କାହିଁକି ଦିଲ୍ଲୀରେ ଆଲୋଚନା କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ନିଜସ୍ୱ ପ୍ରଚାର ପାଇଁ ସେ ଜିଆରଏସ୍‌ଙ୍କୁ ଧରି ରାଜନୀତି କରୁଥିବା କହିଛନ୍ତି ମହାରଥୀ। କେବଳ ସେତିକି ନୁହେଁ, ବିଜେପି ପାର୍ଟି ଅଫିସରେ ଖାଇ ଜିଆରଏସ୍‌ ମାନେ ଆନ୍ଦୋଳନ କରୁଥିବା ମଧ୍ୟ ଆକ୍ଷେପ କରିଛନ୍ତି ମନ୍ତ୍ରୀ।

ସମ୍ବନ୍ଧିତ ଖବର