କେନ୍ଦୁପତ୍ର ତୋଳାଳିଙ୍କ ଦାବି : ଗ୍ରାମସଭା ଦ୍ୱାରା ସଂଗୃହୀତ କେନ୍ଦୁପତ୍ରକୁ ଟ୍ରାନଜିଟ୍‌ ପରମିଟ୍‌ ମିଳୁ

ଭୁବନେଶ୍ୱର : କେନ୍ଦୁ ପତ୍ର ତୋଳାଳିଙ୍କୁ ରାଜ୍ୟ ସରକାର କେରି ପିଛା ଅର୍ଥ ଦେଉଛନ୍ତି। ଏହାବାଦ୍‌ ବୋନସ୍‌ ବି ଦିଆଯାଉଛି। କିନ୍ତୁ କେନ୍ଦୁପତ୍ର ଗୋଟାଳିମାନେ ଦାବି କରିଛନ୍ତି ଯେ, ଆମକୁ ସଂଗ୍ରହ କରୁଥିବା କେନ୍ଦୁପତ୍ର ବିକ୍ରି କରିବା ପାଇଁ ଗ୍ରାମସଭା ଦ୍ୱାରା ଅନୁମତି ଦିଆଯାଉ। ଯେପରି ବ୍ୟବସାୟୀଙ୍କୁ ସିଧାସଳଖ ବିକ୍ରି କରିହେବ ସେଥିପାଇଁ ଗ୍ରାମସଭା ଦ୍ୱାରା ଟ୍ରାନଜିଟ୍‌ ପରମିଟ୍‌ ଦିଆଯାଉ। ଆଉ ଏହାକୁ ବନ ପ୍ରଶାସନ ସ୍ୱୀକୃତି ଦେଉ।

ଆଜି ରେଡକ୍ରସ୍‌ ଭବନଠାରେ ରୁରାଲ ସେଣ୍ଟର ଫର୍‌ ଡେଭଲପମେଣ୍ଟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ଯେ, ଏବେ ପ୍ରାୟ ୨୯,୦୩୨ଟି ଗ୍ରାମର ବାସିନ୍ଦା କେନ୍ଦୁପତ୍ର ଗୋଟାଇବାରେ ନିୟୋଜିତ ହେଉଛନ୍ତି। ସେମାନଙ୍କ ଜୀବନ ଜୀବିକା ଏହା ଉପରେ ନିର୍ଭର କରୁଛି। କିନ୍ତୁ ସେମାନେ ଯେଉଁଭଳି ପରିଶ୍ରମ କରି କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି ସେହି ଅନୁଯାୟୀ ପାରିଶ୍ରମିକ ପାଉନାହାନ୍ତି। ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ, ରାଜ୍ୟ ସରକାର ୬ହଜାର ଗ୍ରାମକୁ ଗୋଷ୍ଠୀଗତ ଅଧିକାର ସ୍ୱୀକୃତି ଦେଇଛନ୍ତି। ଏହି ଆଇନରେ ପୂର୍ବରୁ ନିୟନ୍ତ୍ରିତ ଦ୍ରବ୍ୟ ଥିବା କେନ୍ଦୁପତ୍ର ଲଘୁବନଜାତ ଦ୍ରବ୍ୟରେ ପରିଣତ ହୋଇଛି। ଏହାସହିତ ଲଘୁ ବନଜାତ ଦ୍ରବ୍ୟ ଉପରେ ଗ୍ରାମସଭାର ମାଲିକନା ରହିଛି ବୋଲି ଜଙ୍ଗଲ ଅଧିକାର ଆଇନ ଧାରା ୩(୧)ଗ ରେ ରହିଛି। ଲଘୁ ବନଜାତ ଦ୍ରବ୍ୟର ବିପଣନ କ୍ଷେତ୍ରରେ ଗ୍ରାମସଭା ମଧ୍ୟ ଟ୍ରାନଜିଟ୍‌ ପରମିଟ୍‌ ପ୍ରଦାନ କରିବାର କ୍ଷମତା ଅଛି ବୋଲି ଜଙ୍ଗଲ ଅଧିକାର ନିୟମ ସଂଶୋଧିତ ୨୦୧୨ର ଧାରା (୨)ଘ ରେ ରହିଛି। କିନ୍ତୁ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକ ଅଧୀନସ୍ଥ ଧାମନପୁର, ଖଲିଆପାଲି ପଞ୍ଚାୟତର ୬ଟି ଗ୍ରାମର ବାସିନ୍ଦା କେନ୍ଦୁପତ୍ର ସଂଗ୍ରହ କରୁଥିବାବେଳେ ରାଜ୍ୟ ସରକାର ଗତବର୍ଷ ଏହି ୬ଟି ଗ୍ରାମସଭା ପାଇଁ କେନ୍ଦୁପତ୍ରରୁ ନିୟନ୍ତ୍ରଣ ହଟାଇଛନ୍ତି। ଏପରିକି ଗ୍ରାମସଭାର ଟ୍ରାନଜିଟ୍‌ ପରମିଟ୍‌ରେ ସେମାନେ କେନ୍ଦୁପତ୍ର ରତ୍ପାନି କରିପାରିବେ। ହେଲେ ସ୍ଥାନୀୟ ଡିଏଫ୍‌ଓ ଏହା ଉପରେ ରୋକ୍‌ ଲଗାଇଛନ୍ତି। ଗ୍ରାମ ସଭାକୁ ଡିଏଫ୍‌ଓ ଟ୍ରାନଜିଟ୍‌ ପରମିଟ୍‌ ଦେଉନଥିବାରୁ ବନ ପ୍ରଶାସନ ଏହାକୁ ସ୍ୱୀକୃତି ଦେଉନାହିଁ। ଏହାଦ୍ୱାରା ଗ୍ରାମବାସୀ କେନ୍ଦୁପତ୍ର ବାହାରେ ବିକ୍ରି କରିପାରୁନାହାନ୍ତି। ବାହାରେ କେନ୍ଦୁପତ୍ର ବିକ୍ରି କରି ଅଧିକ ଅର୍ଥ ରୋଜଗାର କରିବାକୁ ଆଶା ବାନ୍ଧିଥିବା ଗ୍ରାମବାସୀଙ୍କ ଉପରେ ଚଡ଼କ ପଡ଼ିଛି। ତେଣୁ ଗ୍ରାମସଭା ଦ୍ୱାରା ସଂଗୃହୀତ କେନ୍ଦୁପତ୍ରକୁ ଟ୍ରାନଜିଟ୍‌ ପରମିଟ୍‌ ଦେବାକୁ ଦାବି ହୋଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଜଙ୍ଗଲ ମହାସଂଘର ସମ୍ପାଦକ ବାଉରୀବନ୍ଧୁ ରାଉତ, ଇଣ୍ଡିଜେନସ୍‌ ପିପୁଲ୍ସ ଫୋରମ୍‌ର ଚନ୍ଦ୍ରାଏ ହାଁସଦା, ଖସିଗୁଡ଼ା ଗ୍ରାମସଭାର ତିଳୋତ୍ତମା ଭୋଇ, ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟିର ପରାମେର ଭୋଇ, କୀର୍ତ୍ତନ ଭୋଇ, ଦିଲ୍ଲୀପ ନାୟକ, ପ୍ରଭାତ ମିଶ୍ର, ଆନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର