ଅବସରର ୮ବର୍ଷ ପରେ ବି ଗ୍ରାମସେବକଙ୍କୁ ମିଳୁନି ସର୍ବନିମ୍ନ ପେନ୍‌ସନ୍‌ : ରାଜ୍ୟ ସରକାରଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ସଂଘ

ଭୁବନେଶ୍ୱର : ସାରା ଜୀବନ ରାଜ୍ୟ ସରକାରଙ୍କ ଅଧୀନରେ କାମ କରିବା ପରେ ବି ଅବସରପ୍ରାପ୍ତ ଗ୍ରାମସେବକଙ୍କୁ ସେମାନଙ୍କର ଅଧିକାର ପେନ୍‌ସନ୍‌ ମିଳିପାରୁନାହିଁ। କେବଳ ଏତିକି ନୁହେଁ, ସର୍ବନିମ୍ନ ପେନ୍‌ସନ୍‌ ପାଇଁ ଉଭୟ ରାଜ୍ୟ ସରକାରଙ୍କ ଆଇନ୍‌ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ ମଧ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସେମାନଙ୍କର ହକ୍‌ ନଦେଇ ଓଲଟା ରାଜ୍ୟ ସରକାର ସେମାନଙ୍କ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି। ଏନେଇ ଓଡ଼ିଶା ଅବସରପ୍ରାପ୍ତ ଗ୍ରାମ ସେବକ ସଂଘ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସର୍ବନିମ୍ନ ପେନ୍‌ସନ୍‌ ଯୋଗାଇ ଦେବା ସହ ନ୍ୟାୟଭିକ୍ଷା କରିଛନ୍ତି। ଏଭଳି ମାତ୍ର ୬ଶହ ଜଣ ଅବସରପ୍ରାପ୍ତ କର୍ମଚାରୀ ଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ ନକରି ହାଇକୋର୍ଟରେ ଅପିଲ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଗ୍ରାମ ପଞ୍ଚାୟତ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପଦୋନ୍ନତି ଦେଇ ଖାଲି ଥିବା ୨୫ ପ୍ରତିଶତ ଗ୍ରାମସେବକ ପଦବୀ ପୂରଣ ନିମନ୍ତେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ୧୯୮୯ ମସିହା ସେପ୍ଟେମ୍ବର ୨୩ ତାରିଖରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏହାପରେ ପୁନଃ ୧୯୯୪ ମସିହା ଜୁନ୍‌ ୫ ତାରିଖରେ ୩୦ ପ୍ରତିଶତ ଗ୍ରାମ ସେବକ ପଦ ପୂରଣ କରିବା ନିମନ୍ତେ ରାଜ୍ୟ ସରକାର ଅନ୍ୟ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇଲେ। ଫଳରେ କିଛି ପଞ୍ଚାୟତ ସେକ୍ରେଟାରୀ ଚାକିରିର ଶେଷ ସମୟରେ ପଦୋନ୍ନତି ପାଇ ଗ୍ରାମସେବକ ହୋଇଥିଲେ। କିନ୍ତୁ ସେମାନେ ଅବସର ଗ୍ରହଣ କରିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ କୌଣସି ପ୍ରକାର ପେନ୍‌ସନ୍‌ ସୁବିଧା ଦିଆଗଲା ନାହିଁ। ରାଜ୍ୟ ସରକାରଙ୍କୁ ଏହି କର୍ମଚାରୀମାନେ ଏନେଇ ଅବଗତ କରିଥିଲେ କିନ୍ତୁ କିଛି ସୁଫଳ ହୋଇନଥିଲା। ଶେଷରେ ଏହି ମାମଲା କୋର୍ଟକୁ ଯିବା ପରେ ଏହି ଅବସରପ୍ରାପ୍ତ ଗ୍ରାମସେବକଙ୍କ ଉଭୟ ଚାକିରି କାଳକୁ ମିଶାଇ ସର୍ବନିମ୍ନ ପେନ୍‌ସନ୍‌ ରାଶି ଯୋଗାଇ ଦେବାକୁ କଟକ ସାଟ୍‌ ବେଞ୍ଚ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମଧ୍ୟ ଉକ୍ତ କର୍ମଚାରୀଙ୍କୁ ପେନ୍‌ସନ୍‌ ରାଶି ନମିଳିବାରୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କରାଯାଇ ଏହି ମାମଲାରେ ପଞ୍ଚାୟତିରାଜ ଶାସନ ସଚିବଙ୍କୁ କୋର୍ଟରେ ହାଜର ହେବାକୁ ସମନ କରାଯାଇଥିଲା। ଏହାପରେ ବାଧ୍ୟ ହୋଇ ରାଜ୍ୟ ସରକାର ହାଇକୋର୍ଟରେ ଏହି ମାମଲା ବିରୋଧରେ ଅପିଲ କରିଛନ୍ତି। ଏହି ମାମଲାରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢିବାକୁ ଗତ ଜୁଲାଇ ୧୭ ତାରିଖରେ ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା। ରାଜ୍ୟ ସରକାରଙ୍କ ଏହି ଉଦାସୀନ ମନୋଭାବକୁ ବିରୋଧ କରି ସଂଘ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯିବା ନେଇ ମଧ୍ୟ ସ୍ଥିର କରିଛି। ସଂଘର ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ପାଲ, କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଚନ୍ଦ୍ର ଶତପଥି, ଉପ ସଭାପତି ବିଜୟ ବେହେରା, କୋଷାଧ୍ୟକ୍ଷ ପ୍ରତାପ ମହାନ୍ତି ,ସଭ୍ୟ ନିରଞ୍ଜନ ବିଶ୍ୱାଳ ଓ ଗୁପ୍ତେଶ୍ୱର ପାଢୀ ପ୍ରମୁଖ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭେକଟି ଏ ସମ୍ପର୍କରେ ଅବଗତ କରିଥିବା ଜଣାପଡ଼ିଛି।

ସଂଘ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କନାଟୁଳି ଗ୍ରାମର ରାମଚନ୍ଦ୍ର ଦାଶ ୧୯୭୧ ମସିହା ଅକ୍ଟୋବର ୨୨ ତାରିଖରେ ପଞ୍ଚାୟତ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିଲେ। ୨୦୦୯ ମସିହା ମେ’ ୨୯ ତାରିଖରେ ତାଙ୍କୁ ଗ୍ରାମ ସେବକ ଭାବେ ପଦୋନ୍ନତି ଦିଆଯାଇଥିଲା। ୨୦୧୦ ମସିହା ଅକ୍ଟୋବର ୩୦ ତାରିଖରେ ସେ ଅବସର ଗ୍ରହଣ କରିଥିଲେ। କିନ୍ତୁ ଏଯାଏଁ ତାଙ୍କୁ ପେନସନ ମିଳିପାରି ନାହିଁ। ରାମଚନ୍ଦ୍ର ଦାଶ ଏବେ ୩ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଇ ଚଳୁଛନ୍ତି। ୨୦୧୬ ମସିହାରୁ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଯିବା ପରେ ଏବେ ତାଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତେଣୁ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ଅବସରପ୍ରାପ୍ତ ଗ୍ରାମସେବକ କର୍ମଚାରୀଙ୍କୁ ସେମାନଙ୍କର ଉଭୟ ଚାକିରି କାଳକୁ ମିଶାଇ ପେନସନ ଯୋଗାଇ ଦେବାକୁ ଓଡ଼ିଶା ଅବସରପ୍ରାପ୍ତ ଗ୍ରାମସେବକ ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର