୫ରେ ସବୁ ଜିଲ୍ଲାରେ ହେବ ଗ୍ରାମ ସ୍ୱରାଜ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଚଳିତ ମାସ ୫ ତାରିଖରେ ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତର୍ଗତ ଦକ୍ଷତା ବିକାଶ ଓ ଜୀବିକାକୁ ନେଇ ବିିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି)ର ଜୟକାନ୍ତ ସିଂହ କହିଛନ୍ତି। ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଜଣାଇଛନ୍ତି ଯେ, ସେହିଦିନ ଖୋର୍ଦ୍ଧା ଜିଲ୍ଲାର ବିଡିଓ କଲୋନି ସାମ୍ନାରେ ଥିବା ହାବେଳୀ ପଡ଼ିଆରେ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେଥିରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେବେ। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ଅତିଥି ଭାବେ ଯୋଗଦେବେ। ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଓ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମଗୁଡ଼ିକ ରାଜ୍ୟର ସବୁ ଜିଲ୍ଲାର ୧୬୪ଟି ବ୍ଲକ୍‌ରେ ଆୟୋଜନ କରାଯିବ। ବିଭିନ୍ନ ପାରମ୍ପରିକ ଓ ଆଧୁନିକ ଯୁଗର ବଜାରରେ ଚାହିଦା ଥିବା, ରୋଜଗାର ସୃଷ୍ଟି କରୁଥିବା ବା ଦକ୍ଷତା ବିକାଶ ଯୋଜନାର ପାଠ୍ୟକ୍ରମ ସହ ଯୁବପିଢିଙ୍କୁ ଯୋଡ଼ିବା ପାଇଁ ଚେଷ୍ଟା କରାଯିବ। ଏନ୍‌ଏପିଏସ୍‌ ଯୋଜନାରେ ବିଭିନ୍ନ ସରକାରୀ ସଂସ୍ଥାରେ ଅନ ଜବ୍‌ ଟ୍ରେନିଂ ବ୍ୟବସ୍ଥାରେ ଅଧିକ ଯୁବପିଢି ସାମିଲ ପାଇଁ ସଚେତନତା ସୃଷ୍ଟି କରାଯିବ। ଆଇଟିଆଇଗୁଡ଼ିକୁ ଆଧୁନୀକରଣ କରାଯିବ। ଯୁବପିଢିମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଉପଲବ୍ଧ ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ଏହି ଅବସରରେ ବିକ୍ରମ କୁମାର ଦାସ ଓ ୟାସ୍‌ ବଜାଜ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର