ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ

ସମୟ ନେଲେ ସରକାର, ଗଠନ ହେଲା କମିଟି

ଭୁବନେଶ୍ବର : ୬ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ ଡାକରା ଦେଇଥିବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଗ୍ରାମ୍ୟ ପୁରୁଷ ଓ ମହିଳା କୃଷି କର୍ମଚାରୀମାନେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ରବିବାର କୃଷି ନିର୍ଦ୍ଦେଶକଙ୍କ ସହ ଅନୁଷ୍ଠିତ ବୈଠକରେ ଆଲୋଚନା ହେବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମୟ ନେବା ସହ ବିଭାଗ ଏକ କମିଟି ଗଠନ କରିଛି। କମିଟି ରିପୋର୍ଟ ଦେବା ପରେ ଦାବି ପୂରଣ କରାଯିବ ବ‌ୋଲି କୃଷି ନିର୍ଦ୍ଦେଶକ ସଂଘକୁ ଅବଗତ କରାଇବା ପରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ ରହିଛି। ଦାବି ପୂରଣ ନ ହେଲେ ବୈଠକ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସଂଘ କହିଛି। ବୈଠକ ପରେ କର୍ମଚାରୀଙ୍କ ପଦବିର ନାମ ଓ କ୍ୟାଡର୍‌ ରୁଲ୍‌କୁ ନେଇ ରହିଥିବା ଦାବି ପୂରଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି କି ନିଜ ନିଜ ଅଞ୍ଚଳରେ ବୁଲିବା ପାଇଁ ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ସାଇକେଲ ପରିବର୍ତ୍ତେ ବାଇକ୍‌ ଭତ୍ତା ପ୍ରଦାନ ପାଇଁ ସରକାରଙ୍କୁ ସୁପାରିସ କରାଯିବ। ଏହି ଭତ୍ତା ପାଇଁ ମଧ୍ୟ ଦୀର୍ଘଦିନରୁ ସଂଘ ଦାବି କରିଆସୁଥିଲା।

ପଦବିର ନାମ ଗ୍ରାମ୍ୟ କୃଷି କର୍ମଚାରୀରୁ ପରିବର୍ତ୍ତନ କରି ପଞ୍ଚାୟତ ଏଗ୍ରିକଲଚର ଅଫିସର କରିବା, କ୍ୟାଡର୍‌ ପୁନର୍ଗଠନ, କୃଷି ଓଭରସିୟର ପଦବିର ପୁନର୍ବିନ୍ୟାସ, ନିଯୁକ୍ତି କ୍ଷେତ୍ରରେ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ପରିବର୍ତ୍ତେ ସ୍ନାତକ ବା କୃଷି ଶିକ୍ଷାରେ ଡିପ୍ଲୋମା କରିବା ପାଇଁ ସେମାନେ ଦାବି କରି ସଂଘ ଆଜିଠାରୁ କଳା ବ୍ୟାଜ୍‌ ପିନ୍ଧି ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନେଇଥିଲା। ଏହି ପ୍ରତିଶ୍ରୁତି ମିଳିବା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି। ଗଢ଼ାଯାଇଥିବା କମିଟିର ଅଧ୍ୟକ୍ଷ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ରହିଥିବା ବେଳେ ‘ଇମେଜ୍‌’ର ନିର୍ଦ୍ଦେଶକଙ୍କ ପ୍ରତିନିଧି, କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(ସଂପ୍ରସାରଣ), ମୁଖ୍ୟ କୃଷି ଅଧିକାରୀ, ଯୁଗ୍ମ ନିର୍ଦ୍ଦେଶକ ଓ ଡବ୍ଲୁଏମ୍‌ଏସ୍‌ (ସମନ୍ବୟ) ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର