ମନେପଡ଼ନ୍ତି ପାଣୁ ମଉସା, ଝୁରୁଛନ୍ତି ଶହ ଶହ ମୟୁର

ମୟୁରମାନେ ତତେ ଲାଗିଲେ କହି ଆରପାରିକୁ ଚାଲିଯାଇଥିଲେ ପାଣୁ ମଉସା

ଭୁବନେଶ୍ୱର: ରାଜା ଆ, ଅଜଣା ମଣିଷର ଆବେଗଭରା ଡାକରେ ରହିଛି ଅମାପ ଆତ୍ମୀୟତା | ତେଣୁ ବିଶ୍ୱାସର ସ୍ୱର ଶୁଣିଲେ ବଣ ଛାଡି ଚାଲିଆସୁଛନ୍ତି ବଣୁଆ ପକ୍ଷୀ | ସହରୀ ମଣିଷଙ୍କ ସମ୍ପର୍କ ସହ ଛାଡି ସୁନ୍ଦରୀ ପକ୍ଷୀଙ୍କ ସହ ସମ୍ପର୍କ ଯୋଡିଥିବା ପାଣୁ ବେହେରା ନାହାନ୍ତି ସତ କିନ୍ତୁ ଏବେ ବି କଟକ ନରାଜରେ ଭାବ ଦିଆନିଆର ଏହି ଦୃଶ୍ୟ ଦେଖିବାକୁ ମିଳୁଛି | କାରଣ ଜେଜେ ପାଣୁ ବେହେରାଙ୍କ ଏହି ପରମ୍ପରାକୁ ଆଗକୁ ବଢ଼ାଇନେଇଛନ୍ତି ନାତି କାହ୍ନୁଚରଣ ବେହେରା | ମେ ୨୬ ୨୦୧୭ରେ ମୟୁର ମଣିଷ ପାଣୁ ଆରପାରିକୁ ଚାଲିଯାଇଥିଲେ ସତ କିନ୍ତୁ ଯିବାବେଳେ ନାତି କାହ୍ଣୁଙ୍କୁ କହିଥିଲେ ମୟୁରମାନଙ୍କର ଯତ୍ନ ନେବୁ | ଆଉ ଜେଜେଙ୍କ ସହ ପିଲାବେଳେ ମୟୁରଙ୍କୁ ଖାଦ୍ୟ ଦେବାକୁ ଯାଉଥିବା ନାତି ବି ଏହି ମୟୁରଙ୍କ ସେବା କରିବାକୁ ଭୁଲିନାହାନ୍ତି | ଜେଜେଙ୍କ ସମୟରେ ୬୭ଟି ମୟୁର ଥିବାବେଳେ ଏବେ ୧୩୨ଟି ମୟୁର ଆସୁଛନ୍ତି |

୩ ବର୍ଷ ହେଲାଣି ଜେଜେ ପାଣୁ ବେହେରା ଚାଲିଗଲେଣି ସତ କିନ୍ତୁ ଏବେ ବି ମନେପଡୁଛି ଜେଜେଙ୍କ ସେହି ଆପ୍ତବାକ୍ୟ | ”କାଳୁରେ ମୟୁରମାନେ ତତେ ଲାଗିଲେ, ଦେଖାଶୁଣା କରିବୁ’ ଯାହାକି କାହ୍ନୁଙ୍କୁ ସବୁବେଳେ ପ୍ରେରଣା ଯୋଗାଇଥାଏ | ସକାଳୁ ସଞ୍ଜ ମୟୁରମାନଙ୍କ ଖାଦ୍ୟପେୟ ପାଇଁ ନାତି କାହ୍ନୁ ନିଜକୁ ସମର୍ପି ଦେଇଛନ୍ତି |

ପିକକ ଭ୍ୟାଲି କୁହାଯାଉଥିବା ନରାଜ ପାହାଡ ୧୯୯୯ ମହାବାତ୍ୟା ସମୟରେ ଏକ ପ୍ରକାର ମୟୁରଶୂନ୍ୟ ହୋଇଯାଇଥିଲା | ପାଣୁ ବେହେରା ୩ଟି ଆହତ ମୟୁରଙ୍କୁ ଠାବ କରି ସେମାନଙ୍କର ସୁରକ୍ଷା ଓ ଯତ୍ନ ନେଇଥିଲେ | ୨୦୧୭ରେ ପାଣୁଙ୍କ ଦେହାନ୍ତ ବେଳକୁ ମୟୁର ସଂଖ୍ୟା ଶତାଧିକ ହୋଇଯାଇଥିଲା | ଜେଜେଙ୍କ ସହ ପାହାଡ଼ ଉପରେ ମୟୁରଙ୍କୁ ଖାଦ୍ୟ ଦେବାର ଆନନ୍ଦ ନେଉଥିବା କାହ୍ନୁ ଜେଜେବାପାଙ୍କ ମୃତ୍ୟୁ ପରେ ମୟୁରଙ୍କୁ ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି |

ସମ୍ବନ୍ଧିତ ଖବର