‘ଫନି’ ପୀଡ଼ିତଙ୍କ ଭିଡ଼ରେ ଅଭିଯୋଗ ପ୍ରକୋଷ୍ଠ ଅଣାୟତ୍ତ : ଗୋଟିଏ ଦିନରେ ୫,୪୫୦ ଅଭିଯୋଗ, ଖୋଲିଲା ଦୁଇ ଅତିରିକ୍ତ ଅଭିଯୋଗ ପ୍ରକୋଷ୍ଠ

ପୁରୀ : ପୁରୀ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ‘ଫନି’ ପୀଡିତଙ୍କ ଭିଡ଼ ଆଜି ଅଣାୟତ ପରିସ୍ଥିତି ସୃଷ୍ଟି କରିଛି। ‘ଫନି’ ସହାୟତା ଦାବିରେ ୧୦ ହଜାରରୁ ଅଧିକ ଅଭିଯୋଗକାରୀ ଏକକାଳୀନ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା ପରେ ଅଧିକାରୀଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପୁଲିସ ମୁତୟନ କରିବାକୁ ବାଧ୍ୟ ହୋଇଥିଲା। ଅତିରିକ୍ତ ଦୁଇଟି ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବା ସହ ଲୋକଙ୍କ ଠାରୁ ୫ ହଜାର ୪୫୦ ଅଭିଯୋଗ ଗ୍ରହଣ କରାଯାଇଛି। ଡହଡହ ଖରାରେ ଏହି ଭିଡ଼ ଭିତରେ ‌ଅନେକ ଅଭିଯୋଗକାରୀ ଚେତାଶୂନ୍ୟ ହୋଇପଡ଼ିବା ଦେଖିବାକୁ ମିଳିଛି। ଆଖପାଖରେ ପିଇବା ପାଣି ନଥିବାରୁ ସମସ୍ତେ କଲବଲ ହୋଇଛନ୍ତି।

ସୋମବାର ଥିବାରୁ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିଲା। ଏହି ଉପଲକ୍ଷେ ସକାଳୁ ଅଭିଯୋଗକାରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଚାହୁଁ ଚାହୁଁ ପୂରା କାର୍ଯ୍ୟାଳୟ ପରିସର ଲୋକଙ୍କ ଭିଡ଼ରେ ଭରି ଯାଇଥିଲା। ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଫନି ସହାୟତା ସହ ଅନ୍ୟାନ୍ୟ ଦାବିରେ ଏକାଠି ହୋଇ ଅଭିଯୋଗ କରିବାକୁ ଆସିଥିଲେ। ପୂର୍ବାହ୍ଣ ୧୧ଟା ବେଳକୁ ଏହି ଭିଡ଼ ଅଣାୟତ ପରିସ୍ଥିତି ସୃଷ୍ଟି କରିଥିଲା।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ରାସ୍ତା ବି ଭିଡ଼ ଯୋଗୁଁ ଜାମ ହୋଇଯାଇଥିଲା। ହଜାର ହଜାର ସଂଖ୍ୟାରେ ଗାଡ଼ି ରାସ୍ତାର ଦୁଇପାର୍ଶ୍ବରେ ପାର୍କିଂ ହେବାରୁ ଜଟିଳ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲା। ଶେଷରେ ପୁଲିସ ଉପସ୍ଥିତିରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେଉଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରିବା ପାଇଁ ମହିଳା ଓ ପୁରୁଷଙ୍କ ଏକାଧିକ ଭିନ୍ନ ଭିନ୍ନ ଧାଡ଼ି କରାଯାଇଥିଲା। ଏହା ସତ୍ତ୍ବେ ବି ଭିଡ଼ ନିୟନ୍ତ୍ରଣକୁ ନଆସିବାରୁ ଅତିରିକ୍ତ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଥିଲା।

ସର୍କିଟ୍‌ ହାଉସ ଠାରେ ଦୁଇଟି ଅଭିଯୋଗ ପ୍ରକୋଷ୍ଠ ଖୋଲି ଅଧିକାରୀମାନେ ଅଭିଯୋଗ ଶୁଣିଥିଲେ। ପରେ ଭିଡ଼ ନିୟନ୍ତ୍ରଣକୁ ଆସିଥିଲା। ତଥାପି ଆଜି ଅପରାହ୍ଣ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡ଼ ଲାଗି ରହିଥିଲା। । ସମସ୍ତଙ୍କ ଗୋଟିଏ ଅଭିଯୋଗ, ଫନି ସହାୟତା ମିଳୁ। କିଏ ପଞ୍ଚାୟତରେ ପାତରଅନ୍ତର କରାଯାଇଥିବା ଅଭିଯୋଗ କରିଥିଲା ତ’ କିଏ ନେତାମାନେ ସହାୟତା ହାତେଇଥିବା ଅଭିଯୋଗ କରିଥିଲେ। ଆଉ କେହି କେହି ରାଜନୈତିକ ଉଦ୍ଦେଶ୍ୟ ରଖି ସହାୟତା ବଣ୍ଟା ଯାଇଥିବା ଅଭିଯୋଗ କରିଥିଲେ। ପରିବାର ପିଛା ୫ରୁ ଅଧିକ ଜଣଙ୍କୁ ଫନି ସହାୟତା ମିଳିଥିବା ବି ଗୁରୁତର ଅଭିଯୋଗ ଆସିଥିଲା। କେହି କେହି ସହାୟତା ପାଇଁ ନେତା ଓ ଅଧିକାରୀମାନେ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ମାଗୁଥିବା ଅଭିଯୋଗ କରିଥିଲେ। ଅପରାହ୍ଣ ସୁଦ୍ଧା ଫନି ସହ ଅନ୍ୟାନ୍ୟ ଅଭିଯୋଗକୁ ମିଶାଇ ୫ ହଜାର ୪୫୦ଟି ଅଭିଯୋଗ ଗ୍ରହଣ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ସମ୍ବନ୍ଧିତ ଖବର