ବାହାଘରରେ ବୋମା ଉପହାର

ବିସ୍ଫୋରଣରେ ବର ଓ ଜେଜେ ମା’ ମୃତ, ନବବଧୂ ଗୁରୁତର

ପାଟଣାଗଡ଼ ସ୍ତବ୍ଧ

ପାଟଣାଗଡ଼/ବଲାଙ୍ଗୀର : ୧୮ ତାରିଖରେ ହୋଇଥିଲା ବାହାଘର। ୨୦ରେ ଭୋଜିଭାତ ବି ସରିଥିଲା। ବାହାରୁ ଆସିଥିବା ଅତିଥିମାନେ ଫେରିଯାଇଥିଲେ। ଫୁରୁସତ ପାଇ କିଏ କ’ଣ ଉପହାର ଦେଇଛନ୍ତି ତାହା ଦେଖୁଥିଲେ ବର-ବଧୂ। ପାଖରେ ଠିଆ ହୋଇଥିଲେ ସଂପର୍କୀୟ ଜେଜେ ମା’। ଗୋଟିଏ ପରେ ଗୋଟିଏ ଉପହାର ପ୍ୟାକେଟ୍‌ ଖୋଲା ହେଉଥିଲା। ହଠାତ୍‌ ଏକ ଉପହାର ପ୍ୟାକେଟ୍‌ ଖୋଲିବା ବେଳେ ଘଟିଲା ପ୍ରଚଣ୍ଡ ବିସ୍ଫୋରଣ। ଥରିଗଲା ସମଗ୍ର ଅଞ୍ଚଳ। ପାଖପଡ଼ିଶା ଲୋକେ ଧାଇଁଆସି ଦେଖିବା ବେଳକୁ ଘର ଭିତର ଛିନ୍‌ଛତ୍ର ହୋଇଯାଇଥିଲା। କାନ୍ଥ ଫାଟି ଆଁ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ ତିନିଜଣ। ବରବଧୂଙ୍କ ପାଦର ଅଳତା, ହାତର ଗଇଁଠାଳ, ମେହେନ୍ଦି ସବୁକିଛି ଜୁଡ଼ୁବୁଡ଼ୁ ହୋଇଯାଇଥିଲା ରକ୍ତରେ।

ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ବର ଓ ଜେଜେମା’ଙ୍କ ମୃତ୍ୟୁ ଘଟିଛି। ୫ ଦିନର ନବବଧୂ ଅବସ୍ଥା ବି ଏବେ ସଂକଟାପନ୍ନ। ବାହାଘର ଉପହାର ନାଁରେ ଏଭଳି ‘ମୃତ୍ୟୁ ଉପହାର’ ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବ୍ରହ୍ମପୁରା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ସମଗ୍ର ରାଜ୍ୟ ହତବାକ୍‌ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ଜବାହାରଲାଲ କଲେଜର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ରବୀନ୍ଦ୍ର ସାହୁ ବ୍ରହ୍ମପୁରା ଅଞ୍ଚଳରେ ରହନ୍ତି। ତାଙ୍କ ସ୍ତ୍ରୀ ସଂଯୁକ୍ତା ସାହୁ ଭଇଁଷା କଲେଜରେ ଅଧ୍ୟକ୍ଷା। ସେମାନଙ୍କ ପୁଅ ସୌମ୍ୟଶେଖରଙ୍କ ବିବାହ ଗତ ୧୮ ତାରିଖରେ ଘଣ୍ଟାପଡ଼ାର ସୁଦାମ ଚରଣ ସାହୁଙ୍କ ଝିଅ ରିମା ସହ ହୋଇଥିଲା। ସୋନପୁରର ଏକ ମଣ୍ଡପରେ ଏହି ବିବାହ ଅନୁଷ୍ଠିତ ହୋଇଥିବା ବେଳେ ୨୦ ତାରିଖରେ ପାଟଣାଗଡ଼ ବ୍ରହ୍ମପୁରାସ୍ଥିତ ଘରେ ଭୋଜି ଦିଆଯାଇଥିଲା। ଏହାପରେ ବନ୍ଧୁବାନ୍ଧବ ଫେରିଥିଲେ। ଏମିତିକି କିରିଗିଜ୍‌ସ୍ଥାନରେ ମେଡିକାଲ ପଢ଼ୁଥିବା ଭଉଣୀ ସ୍ମୃତି ବି ସେଠାକୁ ଫେରିଥିଲେ। ଦିଲ୍ଲୀ ବିମାନ ବନ୍ଦରରେ ଛାଡିବା ପାଇଁ ବାପା ଶ୍ରୀ ସାହୁ ଝିଅ ସହ ଯାଇଥିଲେ। ମା’ ସଂଯୁକ୍ତା ବି କଲେଜ ଯାଇଥିଲେ।

ଶୁକ୍ରବାର ଦିନ ଘରେ ଥିଲେ ନବବିବାହିତ ସୌମ୍ୟ ଶେଖର, ନବବଧୂ ରିମା ଓ ସଂପର୍କୀୟ ଜେଜେ ମା’ ଜେମାମଣି। ବାହଘରରେ ଅତିଥିମାନେ କି ଉପହାର ଦେଇଛନ୍ତି ତାହା ଦେଖିବା ପାଇଁ ପ୍ୟାକେଟ୍‌ସବୁ ଖୋଲି ଦେଖୁଥିଲେ ସେମାନେ। ତେବେ ସେଥିମଧ୍ୟରୁ ଗୋଟିଏ ଉପହାର ପ୍ୟାକେଟ୍‌ ଖୋଲିବା ବେଳକୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଘରର କାନ୍ଥ ଫାଟି ଯାଇଥିବା ବେଳେ କବାଟ ଝରକା ଛିଟିକି ପଡ଼ିଥିଲା। ଘରର ସବୁ ଜିନିଷ ଛିନ୍‌ଛତ୍ର ହୋଇଯାଇଥିଲା। ଶବ୍ଦ ଶୁଣି ପାଖପଡ଼ିଶା ଲୋକେ ପହଞ୍ଚି ଥିଲେ ଶ୍ରୀ ସାହୁଙ୍କ ଘରେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୌମ୍ୟଶେଖର, ବୋହୂ ରୀମା ଓ ଜେଜେ ମା’ ଜେମାମଣିଙ୍କୁ ପ୍ରଥମେ ପାଟଣାଗଡ଼ ଓ ପରେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ବଲାଙ୍ଗୀରରେ ଜେମାମଣିଙ୍କର ମୃତ୍ୟୁ ହୋଇଥିଲା। ସେହିପରି ବଲାଙ୍ଗୀରରୁ ରାଉରକେଲା ଆଇଜିଏଚ୍‌କୁ ସୌମ୍ୟଙ୍କୁ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଆହତ ରିମାଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ତେବେ ଏହି ପ୍ୟାକେଟ୍‌ରେ କି ପ୍ରକାର ବିସ୍ଫୋରକ ଥିଲା ଓ କିଏ ଏହାକୁ କେଉଁ ଉଦ୍ଦେଶ୍ୟରେ ପଠାଇଥିଲା ସେ ନେଇ ସବିଶେଷ ସୂଚନା ମିଳିପାରିନାହିଁ। ଘଟଣାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ ତଦନ୍ତ ଚଳାଇଛି। ତେବେ କିଛି ଠୋସ୍‌ ଟେର ପୁଲିସ ପାଇ ପାରି ନଥିବା କହିଛନ୍ତି ପାଟଣାଗଡ ଆଇଆଇସି ବାରିଣୀ ଦାଶ କହିଛନ୍ତି। ତେବେ ବାହାଘର ବେଳେ ଶୁଭେଚ୍ଛା ଉପହାର ବଦଳରେ ବୋମା ଉପହାର ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର