ସଂରକ୍ଷିତ ଜଙ୍ଗଲକୁ ନେଇ ବିବାଦ : ବିଜାପୁରରେ ଗୋଷ୍ଠୀ ସଂଘର୍ଷ, ୧୦ ଆହତ

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବିଜାପୁର ସଂରକ୍ଷିତ ଜଙ୍ଗଲକୁ ନେଇ ବିଜାପୁର ଓ ମାଝୀଗୁଡା ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ବିଜାପୁର ଗ୍ରାମର ଗୁରୁତର ଆହତ ୩ ଜଣ ଉମରକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମାଝୀଗୁଡା ଗ୍ରାମର ୭ ଜଣ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଉଭୟ ବିଜାପୁର ଓ ମାଝୀଗୁଡା ଗ୍ରାମବାସୀ ଡାବୁଗାଁ ଥାନାରେ ଦ୍ବାରସ୍ଥ ହୋଇଛନ୍ତି। ସେପଟେ ମାଝୀଗୁଡା ଗ୍ରାମର ନୀଲମ ମାଝୀ ବିଜାପୁର ସଂରକ୍ଷିତ ଜଙ୍ଗଲରୁ ୨୧ଟି କାଠ ବଳା ଚୋରି କରି ଧରାପଡିବା ପରେ ଡାବୁଗାଁ ବନ ବିଭାଗ ତରଫରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ ଡାବୁଗାଁ ବନାଞ୍ଚଳ ଅଧିନସ୍ଥ ୫୩ ଏକର ପରିମିତ ବିଜାପୁର ସଂରକ୍ଷିତ ଜଙ୍ଗଲରେ ଆକାଶିଆ, ନୀଳଗିରି, ଟିକ, ଚାକୁଣ୍ଡା, କାଜୁ ଗଛ ଆଦି ଲଗାଯାଇଥିଲା। ଏହାର ରକ୍ଷଣା ବେକ୍ଷଣ ବିଜାପୁର ବନ ସୁରକ୍ଷା ସମିତି କରୁଛି। ବିଜାପୁର ଓ ମାଝୀଗୁଡା ଗ୍ରାମର ୧୦୦ ମିଟର ମଧ୍ୟରେ ଜଙ୍ଗଲ ଲାଗି ରହିଥିବାରୁ ମାଝୀଗୁଡା ଗ୍ରାମବାସୀ ମଧ୍ୟ ଜଙ୍ଗଲ ଉପରେ ଅଧିକାର ଦେଖେଇ ଆସୁଛନ୍ତି। ତେବେ ଆଜି ସକାଳେ ମାଝୀଗୁଡା ଗ୍ରାମର ନୀଲମ ମାଝୀ ବିଜାପୁର ଜଙ୍ଗଲ ମଧ୍ୟରେ ପଶି ବିଭିନ୍ନ ଗଛର ୨୧ଟି ବଳା ଚୋରି କରି ନେଉଥିବା ସମୟରେ ବିଜାପୁର ଗ୍ରାମବାସୀ ଏହା ଦେଖି ଡାବୁଗାଁ ବନପାଳଙ୍କୁ ଖବର ଦେଇଥିଲେ। ବନପାଳ ଲକ୍ଷ୍ମୀକାନ୍ତ ସାାହୁ ଏବଂ ବନରକ୍ଷୀ ମନୋରଂଜନ ନାୟକ ଘଟଣା ସ୍ଥଳରେ ପହଞ୍ଚି ନୀଲମ ମାଝୀକୁ ଗିରଫ କରିବା ସହ ୨୧ଟି ବଳା ଓ ଗୋଟିଏ ଟାଙ୍ଗିଆ ଜବତ କରିଛି। ଏହି ଘଟଣାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ। ତେବେ ମାଝୀଗୁଡା ଗ୍ରାମର ନୀଲମ ମାଝୀ ଗିରଫକୁ ନେଇ ଆଜି ଉଭୟ ବିଜାପୁର ଓ ମାଝୀଗୁଡା ଗ୍ରାମବାସୀ ନର୍ସରୀ ପଡିଆରେ ଆପୋଷ ବୁଝାମଣା ହେବା ପାଇଁ ଏକତ୍ରିତ ହୋଇଥିଲେ। କିନ୍ତୁ ସେଠାରେ ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଖବର ଲେଖାହେବା ସୁଦ୍ଧା ବିଜାପୁର ଗ୍ରାମବାସୀ ଡାବୁଗାଁ ଥାନାରେ ଏକ ଏତଲା ଦେଇଥିବା ବେଳେ ମାଝୀଗୁଡା ଗ୍ରାମବାସୀ ମଧ୍ୟ ଏତଲା ଦେବାକୁ ଡାବୁଗାଁ ଥାନା ଆସିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର