ଗଣେଶ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ: ଗୋବିନ୍ଦପୁର ଅଶାନ୍ତ, ୧୪୪ ଧାରା ଜାରି
ଆକ୍ରମଣରେ ୨ ପୁଲିସ୍ ଆହତ, ଉଭୟ ପକ୍ଷରୁ ଥାନାରେ ଏତଲା
ଟାଙ୍ଗୀ : ଗଣେଶ ଭସାଣିକୁ ନେଇ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଦୁଇସାହି ମଧ୍ୟରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେଇଛି। ଆକ୍ରମଣରେ ଉଭୟ ଗୋଷ୍ଠୀର ୧୨ଜଣ ଏବଂ ଦୁଇଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣା ପରେ ଗୋବିନ୍ଦପୁର ଗାଁରେ ୧୪୪ ଧାରା ଜାରି କରାଯିବା ସହ ଦୁଇ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ବିଳମ୍ବିତ ରାତିରେ ଗୋବିନ୍ଦପୁର କଂସାରୀପାଟରା ସାହିର ଗଣେଶ ଭସାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କୌଣସି କାରଣରୁ ଗ୍ରାମର ମଝିସାହିରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଗଣ୍ଡଗୋଳରେ କଂସାରୀପାଟରା ସାହି ଓ ମଝି ସାହିର ୯ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ରାତିରେ ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଆଜି ସକାଳେ ମଝିସାହିର ୫୦ରୁ ଅଧିକ ମହିଳା ଓ ପୁରୁଷ ଟାଙ୍ଗୀ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପରେ ସେମାନେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଗାଁ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। କ୍ରମେ ପରିସ୍ଥିତି ବିସ୍ଫୋରକ ହେବା ସହ ଦୁଇ ସାହି ମଧ୍ୟରେ ଢେଲାପଥର ମାଡ଼ ଆରମ୍ଭ ହୋଇଯାଇଥିଲା। ଏଥିରେ ଉଭୟ ପକ୍ଷରୁ ୩ଜଣ ଆହତ ହୋଇଥିବା ଖବର ମିଳିଛି। ଏ ସମ୍ପର୍କରେ ସୂଚନା ପାଇ ଟାଙ୍ଗୀ ଥାନା କର୍ମଚାରୀ ଓ ପୁଲିସ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାସତ୍ତ୍ୱେ ଗଣ୍ଡଗୋଳ ବନ୍ଦ ହୋଇ ନ ଥିଲା। ଏପରି କି, ଢେଲା ଓ ବୋତଲ ମାଡ଼ରେ ଦୁଇଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳକୁ ଅଧିକ ପୁଲିସ୍ ଫୋର୍ସ ପଠା ଯାଇଥିଲା। ଏହାପରେ ଗଣ୍ଡଗୋଳକାରୀ ଛତ୍ରଭଙ୍ଗ ଦେଇଥିଲେ। ତେବେ ଉତ୍ତେଜନା ଲାଗି ରହିଥିବାରୁ ଗୋବିନ୍ଦପୁର ଗାଁରେ ୧୪୪ଧାରା ଜାରି କରାଯିବା ସହ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଥାନାଧିକାରୀ ବିମଳ କୁମାର ବାରିକ, ଏସ୍ଡିପିଓ ସତ୍ୟନାରାୟଣ ଦାସଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେହିପରି ସନ୍ଧ୍ୟାରେ କଂସାରୀପାଟରା ସାହି ପକ୍ଷରୁ ଥାନାରେ ଅନ୍ୟ ଏକ ଅଭିଯୋଗ କରାଯାଇଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଖୁବ୍ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଟାଙ୍ଗୀ ଥାନା ଅଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି।