‘ପିଠା’ପାଇଁ ପିଟାପିଟି : କଟକରେ ରକ୍ତାକ୍ତ ସଂଘ‌ର୍ଷ, ମହିଳା ସରପଞ୍ଚଙ୍କ ସମେତ ୫ ଆହତ

ଥାନାରେ ଉଭୟପକ୍ଷରୁ ଦୁଇଟି ମାମଲା, ୨ ମହିଳାଙ୍କ ହାତାହାତି ଦୃଶ୍ୟ ଭାଇରାଲ୍

କଟକ-ବିଦ୍ୟାଧରପୁର/ମହାକାଳପଡା : ‘ପିଠା’ କାର୍ଯ୍ୟକ୍ରମରେ ପିଟାପିଟି ଯାଏ କଥା ଯିବା ଭଳି ଅଭାବନୀୟ ଘଟଣା ଘଟିଛି କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ। ଏଥିରେ ଜଣେ ମହିଳା ସରପଞ୍ଚ, ତାଙ୍କ ସ୍ବାମୀ ଓ ପୁଅ ରକ୍ତାକ୍ତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ କଟକ ସଦର ବ୍ଲକ୍‌ରେ ‘ପିଠା’ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କଟକ ସଦର ବ୍ଲକ୍‌ ଅନ୍ତର୍ଗତ ଗତିରାଉତ ପାଟଣାରେ କେତେକ ଦୁର୍ବୃତ୍ତ ଓ ମହିଳା ସରପଞ୍ଚଙ୍କ ଗୋଷ୍ଠୀ ଭିତରେ ଖଣ୍ଡଯୁଦ୍ଧ ଘଟିଥିଲା। ଆକ୍ରମଣକାରୀ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସମର୍ଥକ ବୋଲି ଆହତ ସରପଞ୍ଚ ଅଭିଯୋଗ କରୁଥିବା ବେଳେ ମନ୍ତ୍ରୀ ଶ୍ରୀ ବେହେରା ଏହାକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି। ସରପଞ୍ଚ ଲକ୍ଷ୍ମୀପ୍ରିୟା, ତାଙ୍କ ସ୍ବାମୀ ଓ ପୁଅଙ୍କୁ ଆକ୍ରମଣ କରି ମନ୍ତ୍ରୀଙ୍କ ସମର୍ଥକ ମୁଣ୍ଡଫଟାଇ ଦେଇଥିବା ସଂପର୍କରେ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହୋଇଛି। ମାରଣାସ୍ତ୍ର ଏମିତିକି ବଂଧୁକ ପଛରେ ସେମାନଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଅନ୍ୟପଟେ ମନ୍ତ୍ରୀଙ୍କ ସମର୍ଥକ କୁହାଯାଉଥିବା ଅମର ସାହୁ ମଧ୍ୟ ସରପଞ୍ଚ, ତାଙ୍କ ସ୍ବାମୀ, ତିନି ପୁଅଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ ସମର୍ଥକମାନେ ସେମାନଙ୍କୁ ମାଡମାରି ଆହତ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତି କରି ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସରପଞ୍ଚଙ୍କ ଅଭିଯୋଗକ୍ରମେ ଅମର ସାହୁ, ହିମାଂଶୁ ଭୂଷଣ ଦାସ, ସତ୍ୟବ୍ରତ ସାହୁ, ପ୍ରିୟବ୍ରତ ସାହୁଙ୍କ ସମେତ ୫ଜଣ ନ‌ା‌ଁରେ ମାମଲା ଦେଇଥିବା ବେଳେ ଅମର ସାହୁଙ୍କ ପକ୍ଷରୁ ସରପଞ୍ଚ, ତାଙ୍କ ସ୍ବାମୀ, ତିନି ପୁଅ ସମେତ ୮ଜଣଙ୍କ ନାଁରେ ଏତଲା ହୋଇଛି।

ସଦର ବ୍ଲକ୍ ଗତିରାଉତପାଟଣା ପଞ୍ଚାୟତ ପରିସରରେ ‘ପିଠା’ କାର୍ଯ୍ୟକ୍ରମରେ ସଦର ବିଧାୟକ ତଥା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଦ୍ବାରା ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀଙ୍କୁ ଏଲ୍ଇଡି ବଲ୍‌ବ ବାଣ୍ଟିବାର କାର୍ଯ୍ୟକ୍ରମ ଥିଲା।ଏଥିରେ ଶତାଧିକ ମହିଳା, ବିଜେଡି କର୍ମୀ ଏକଜୁଟ୍ ହୋଇଥିଲେ। ନିର୍ଦ୍ଧାରିତ ସମୟର ଠିକ୍‌ ଦେଢ଼ଘଣ୍ଟା ପୂର୍ବରୁ ଗତିରାଉତପାଟଣା ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ବାଇଁ ତାଙ୍କ ସ୍ବାମୀ ବନମାଳୀ ସ୍ବାଇଁ ଏବଂ ମଝିଆ ପୁଅ ପିଣ୍ଟୁ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ମନ୍ତ୍ରୀ ଆସିବାକୁ ଅପେକ୍ଷା ନ କରି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ। ଫଳରେ ସେଠାରେ ଉପସ୍ଥିତି ଥିବା ମନ୍ତ୍ରୀଙ୍କ ସମର୍ଥକ ତଥା ସରପଂଚଙ୍କ ଗ୍ରାମର ଅମର ସାହୁ ଏହାର ପ୍ରତିବାଦ କରିଥିଲେ। ଯାହାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ। ଉଭୟ ଗୋଷ୍ଠୀ ମଧ୍ୟରେ ଗାଳିଗୁଲଜ, ମାରପିଟ୍ ଓ ଧସ୍ତାଧସ୍ତିରେ ସଭାସ୍ଥଳରେ ପଡ଼ିଥିବା ପ୍ଲାଷ୍ଟିକ ଚେୟାର ସବୁ ଭାଙ୍ଗିରୁଜି ଯାଇଥିଲା। ସଭାସ୍ଥଳରେ ଏଭଳି ଖଣ୍ଡଯୁଦ୍ଧ ଯୋଗୁଁ ଉପସ୍ଥିତ ହିତାଧିକାରୀମାନେ ଦୌଡି ପଳାଇଥିଲେ। ନିକଟରେ ପିସିଆର୍‌ ଭ୍ୟାନ ଥିଲେ ମଧ୍ୟ କୌଣସି ପୁଲିସ କର୍ମଚାରୀ ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ କରି ନଥିବା ଅଭିଯୋଗ ହୋଇଛି। ତେବେ ଘଣ୍ଟାଏ ପରେ ମନ୍ତ୍ରୀ ପିଠା କାର୍ଯ୍ୟକ୍ରମରେ ପହଞ୍ଚି ହିତାଧିକାରୀଙ୍କୁ ବଲ୍‌ବ ବଣ୍ଟନ କରିଥିଲେ।

ସେହିଭଳି କେନ୍ଦ୍ରାପଡା ଜିଲ୍ଲା ଗଗୁଆ ଏବ˚ ଲାଞ୍ଜୁଡ଼ା ପଞ୍ଚାୟତରେ ଆୟୋଜିତ ‘ପିଠା’ କାର୍ଯ୍ୟକ୍ରମରେ ଦୁଇ ମହିଳାଙ୍କ ମଧ୍ୟରେ ପିଟାପିଟିକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦୃଶ୍ୟର ଭିଡିଓ ଭାଇରାଲ୍‌ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର