ରାଜାବଗିଚା ପାଲଟିଲା ରଣକ୍ଷେତ୍ର

୨୭ ଅଭିଯୁକ୍ତଙ୍କୁ ଉଠାଇଲା ପୁଲିସ, ପୁଲିସ ସମେତ ୬ ଆହତ, ପାଞ୍ଚ ଅଟୋ ଗୁଣ୍ଡ

କଟକ : କଟକ ରାଜାବଗିଚା ଆଜି ଚାରି ଘଣ୍ଟା କାଳ ରଣକ୍ଷେତ୍ର ପାଲଟିଥିଲା । ନାୟକ ସାହିର ଜଣେ ବୃଦ୍ଧଙ୍କୁ ସର୍ବୋଦୟପୁରର ଜଣେ ଯୁବକ ସ୍କୁଟିରେ ଧକ୍କା ଦେବା ଘଟଣାକୁ ନେଇ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା। ଉଭୟ ନାୟକ ସାହି ଓ ସର୍ବୋଦୟପୁର ମଧ୍ୟରେ ଢେଲା, ମଦ ବୋତଲ ଫିଙ୍ଗା ହୋଇଥିଲା । ବାଦାମବାଡ଼ି ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲା। ସ୍ଥିତି ବିଗିଡ଼ିଯିବାରୁ ନାୟକ ସାହିରେ ପୁଲିସ ଘରେ ଘରେ ପଶି ଲାଠି ମାଡ଼ କରିଥିଲାା ଆକ୍ରମଣରେ ପୁଲିସ ଓ ସ୍ଥାନୀୟ ୬ ଜଣ ବାସିନ୍ଦା ଆହତ ହୋଇଛନ୍ତି । ଦୁଇ ପକ୍ଷରୁ ଗଣ୍ଡଗୋଳରେ ସାମିଲ ଦୁଇ ସାହି ସମ୍ପାଦକଙ୍କ ସମେତ ମୋଟ ୨୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ବାଦମବାଡ଼ି ଥାନା ଅନ୍ତର୍ଗତ ରାଜାବଗିଚା ନାୟକ ସାହି ଅଞ୍ଚଳର କେଦାର ଘଡ଼େଇ(୬୦) ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ସର୍ବୋଦୟପୁରରେ ଏକ ଦୋକାନରୁ ସଉଦା କିଣିବାକୁ ଯାଇଥିଲେ। ସଉଦା କିଣିସାରି ସେ ନାୟକ ସାହି ଭିତରକୁ ଚାଲି ଚାଲି ଫେରୁଥିବା ବେଳେ ରାସ୍ତାରେ ସର୍ବୋଦୟପୁର ଅଞ୍ଚଳର ଶନ୍ତୁ ପାତ୍ର ନାମକ ଜଣେ ଯୁବକ ନିଜ ହୋଣ୍ଡା ଆକ୍ଟିଭା ଗାଡ଼ିରେ କେଦାରଙ୍କୁ ଧକ୍କା ଦେଇଥିଲା । ଫଳରେ କେଦାର ତଳେ ପଡ଼ିଯିବାରୁ ଉଭୟ ସର୍ବୋଦୟପୁର ଏବଂ ନାୟକ ସାହି ମଧ୍ୟରେ ଲଙ୍କାକାଣ୍ଡର ସୂତ୍ରପାତ ହୋଇଥିଲା। ନାୟକ ସାହିର କେତେକ ଯୁବକ ସର୍ବୋଦୟପୁର ରାସ୍ତା ଉପରେ ପାର୍କିଂ ହୋଇଥିିବା ପାଞ୍ଚଟି ଅଟୋ (ଓଆର୍‌୦୫କ୍ୟୁ୯୩୨୫, ଓଆର୍‌୦୫ଏଡବ୍ଲୁ୧୬୪୮, ଓଆର୍‌ ୦୫ ଏଏନ୍‌ ୫୬୫୯, ଓଆର୍‌ ୦୫ଏକେ ୫୨୪୯, ଓଆର୍‌୦୫ସି୬୦୬୯)କୁ ଭଙ୍ଗାରୁଜା କରିଥିଲେ । ସେମାନେ ରାସ୍ତାରେ ଥିବା ଏକ ପରିବା ଦୋକାନ ଏବଂ ପାନ ଦୋକାନରେ ମଧ୍ୟ ଭଙ୍ଗାରୁଜା କରିଥିଲେ । ପରେ ଉଭୟ ସର୍ବୋଦୟପୁର ଏବଂ ନାୟକ ସାହିର ଶହ ଶହ ଯୁବକଙ୍କ ମଧ୍ୟରେ ମଦ ବୋତଲ ଏବଂ ଢେଲା ମାଡ଼ ବି ହୋଇଥିଲା ।

ଏହି ଆକ୍ରମଣରେ ନାୟକସାହିର ହରିଆ ନାୟକ, ବାପି ନାୟକ, ଆକା ନାୟକ ଆହତ ହୋଇଥିବା ବେଳେ ସର୍ବୋଦୟପୁର ଅଞ୍ଚଳର ଏକାଧିକ ଯୁବକ ମଧ୍ୟ ଆହତ ହୋଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ ଇନ୍‌ସପେକ୍ଟର ବିରଞ୍ଚି ପତି, ତାପସ ପ୍ରଧାନ, କନେଷ୍ଟବଳ ହିମାଂଶୁ ଶେଖର ରଥ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ କମିସନର ଓ୍ଵାଇ.ବି. ଖୁରାନିଆ, ଡିସିପି ଅଖିଳେଶ୍ୱର ସିଂହ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏସିପି ଅନିଲ ମିଶ୍ର, ବାଦାମବାଡ଼ି ଥାନା ଅଧିକାରୀ ବିରଞ୍ଚି ପତି, ପୁରୀଘାଟ ଥାନା ଅଧିକାରୀ ତାପସ ପ୍ରଧାନ ଏବଂ ମଧୁପାଟଣା ଥାନା ଅଧିକାରୀ ଜିତେନ୍ଦ୍ର ଦଳାଇ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ମୋଟ ୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା ।

ଦୁଇ ଗୋଷ୍ଠୀ ଅଧିକ ଉଗ୍ର ହେବାରୁ ପୁଲିସ ନାୟକ ସାହିର ଘରେ ଘରେ ପଶି ତଲାସି କରିବା ସହିତ ଲାଠିମାଡ଼ କରିଥିଲା । ପ୍ରାଣ ଭୟରେ ବସ୍ତି ପୁରୁଷଶୂନ୍ୟ ହୋଇଯାଇଥିବା ବେଳେ ପୁଲିସ ଦୁଇ ପକ୍ଷରୁ ୨୭ ଜଣ ଅକ୍ରମଣକାରୀଙ୍କୁ ଗିରଫ କରିଥିଲା । ଅନ୍ୟପଟେ ସର୍ବୋଦୟପୁର ଅଞ୍ଚଳ ବାସିନ୍ଦା ପୁଲିସ ବିରୋଧରେ ରାସ୍ତାରୋକ କରିଥିଲେ । ପୁଲିସ ସେମାନଙ୍କୁ ଲାଠି ଧରି ଘଉଡ଼ାଇଥିଲା । ବାଦାମବାଡ଼ି ଥାନା ଅଧିକାରୀ ବିରଞ୍ଚି ପତିଙ୍କ ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଦଫା ୩୦୭, ୩୪୧, ୩୨୩, ୨୯୪, ୪୨୭,୩୩୬,୧୪୭,୧୪୮,୧୪୯/ ୭ ସିଏଲ୍‌ଆର୍‌(କ୍ରିମିନାଲ୍‌ ଲ’ ଆମେଣ୍ଡମେଣ୍ଟ) ଆକ୍ଟରେ ଏକ ମାମଲା(କେସ୍‌ ନଂ ୨୫୦) ରୁଜୁ କରିଥିବା ସୂଚନା ମିଳିିଛି ।

ଡିସିପି ଅଖିଳେଶ୍ୱର ସିଂହ କୁହନ୍ତି, ଗଣମାଧ୍ୟମରେ ଗଣ୍ଡଗୋଳ ସମୟରେ ପ୍ରସାରିତ ହେଉଥିବା ଭିଡ଼ିଓ ଆଧାରରେ କିଛି ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ପୁଲିସ ଗିରଫ କରିବାକୁ ଯୋଜନା ଥିବା ଡିସିପି କହିଛନ୍ତି ।

ସମ୍ବନ୍ଧିତ ଖବର