ବିବାହ ବେଳେ ମନ୍ଦିର ପାଲଟିଲା ରଣକ୍ଷେତ୍ର : ସମ୍ପର୍କୀୟା ମହିଳାଙ୍କ ମାଡ଼ରେ କନ୍ୟା ଅଚେତ

ନୀଳଗିରି : ଆଜି ନୀଳଗିରି ମହନ୍ତ ମନ୍ଦିରରେ ଏକ ପ୍ରେମୀଯୁଗଳଙ୍କ ବିବାହ ବେଳେ କିଛି ସମୟ ପାଇଁ ମନ୍ଦିର ପାଲଟି ଯାଇଥିଲା ରଣକ୍ଷେତ୍ର। କନ୍ୟାଙ୍କ ମା’ ଓ କିଛି ସମ୍ପର୍କୀୟା ମହିଳାଙ୍କ ମାଡ଼ରେ କନ୍ୟାର ମୁଣ୍ଡ ଫାଟିଯିବା ସହ କନ୍ୟା ଅଚେତ ହୋଇଯାଇଥିଲେ। ତେବେ କନ୍ୟା ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିବା ପରେ କୌଣସି ପ୍ରକାରେ ବର-କନ୍ୟାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ଅଭାବନୀୟ ଘଟଣା ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ନୀଳଗିରି ବ୍ଲକ ଅଧୀନସ୍ଥ ଜାମୁଡ଼ିହା ପଞ୍ଚାୟତର ଖରଡିହା ଗ୍ରାମର ହରେକୃଷ୍ଣ ନାୟକଙ୍କ ଝିଅ ରଶ୍ମି(୧୯) ଔପଦା ବ୍ଲକ ଅଧୀନସ୍ଥ ଦକ୍ଷିଣନରସିଂହପୁର ଗ୍ରାମର ବିଶ୍ୱନାଥ ବେହେରାଙ୍କ ପୁତ୍ର ପ୍ରଦୀପ(୨୫)କୁ ଭଲ ପାଉଥିଲେ। ମାତ୍ର ସେମାନଙ୍କ ପ୍ରେମକୁ ପରିବାର ଲୋକେ ସ୍ୱୀକୃତି ନ ଦେବାରୁ କିଛି ଦିନ ତଳେ ଦୁହେଁ ଲୁଚି ଘରୁ ପଳାଇଯାଇଥିଲେ। ପରେ ସେମାନେ କାଣ୍ଡଗରଡ଼ିସ୍ଥିତ ବଳଦେବଜୀଉ ମନ୍ଦିରରେ ପ୍ରଥମେ ବିବାହ କଲା ପରେ ନୀଳଗିରି ନୋଟାରିରେ ମଧ୍ୟ ବିବାହ କରିଥିଲେ। ଏ ନେଇ ରଶ୍ମିର ମା’ ଗତ ୬ ତାରିଖରେ ନୀଳଗିରି ଥାନାରେ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ। ମାତ୍ର କିଛିଦିନ ପରେ ମଧ୍ୟସ୍ଥିଙ୍କ ହସ୍ତକ୍ଷେପରେ ସମାଧାନର ପନ୍ଥା ବାହାରିଥିଲା ଏବଂ ଉଭୟ ପକ୍ଷର ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ପୁଅଝିଅଙ୍କ ବିବାହ ପାଇଁ ଆଜି ଦିନ ସ୍ଥିର ହୋଇଥିଲା।

ସେହି ଅନୁଯାୟୀ ଆଜି ନୀଳଗିରି ମହନ୍ତ ମନ୍ଦିରରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତେବେ ହାତଗଣ୍ଠି ପଡ଼ିବା ପୂର୍ବରୁ କନ୍ୟା ପକ୍ଷର କିଛି ସମ୍ପର୍କୀୟା ମହିଳାଙ୍କ କଟୁ ମନ୍ତବ୍ୟକୁ ନେଇ କନ୍ୟା ସହିତ ପାଟିତୁଣ୍ଡ ହୋଇଥିଲା। ଏଥିରେ ବର ହସ୍ତକ୍ଷେପ କରିବାରୁ ମହିଳାମାନେ କନ୍ୟାକୁ ଠେଲାପେଲା କରିବା ସହିତ ମାଡ଼ ମାରିଥିଲେ। କନ୍ୟା ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଫାଟିଯିବା ସହ ଅଚେତ ହୋଇ ଯାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ନୀଳଗିରି ଡାକ୍ତରଖାନାକୁ ନିଆଯାଇଥିଲା। ଫଳରେ ଅଧାରୁ ବାହାଘର ବନ୍ଦ ହୋଇଯାଇଥିଲା। ଆଉ କନ୍ୟାଘର ଲୋକେ ରାଗରେ ମଣ୍ଡପ ଛାଡ଼ି ଘରକୁ ପଳାଇ ଯାଇଥିଲେ। ପରେ ଅପରାହ୍ଣ ପ୍ରାୟ ୫ଟା ସମୟରେ କନ୍ୟାର ଚେତା ଫେରିବା ପରେ ବରଘର ଲୋକେ ହାତଗଣ୍ଠି ପକାଇ ବରକନ୍ୟାଙ୍କୁ ନିଜ ଘରକୁ ନେଇ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର