ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍)ରେ ଛାତ୍ର ଉତ୍ତେଜନା ଘଟଣାକୁ କେନ୍ଦ୍ର କରି ସୋମବାର ମରିଚି ହଲ୍ ଅଫ୍ ରେସିଡେନସ୍ ଓ କ୍ରତୁ ହଲ୍ ଅଫ୍ ରେସିଡେନସ୍ ଉଭୟ ହଷ୍ଟେଲର ମୋଟ ୧୪ ଜଣ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ସୂତ୍ରରୁ ଜଣାଯାଇଛି। ଭିସୁଟ୍ ଶୃଙ୍ଖଳା କମିଟି ସେହି ଛାତ୍ରମାନଙ୍କ ପକ୍ଷ ଶୁଣିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରି କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ ପ୍ରଦାନ କରିବେ ଏବଂ ଉକ୍ତ ରିପୋର୍ଟ ଆଧାରରେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ଛାତ୍ର ଉତ୍ତେଜନା ଓ ଗଣ୍ଡଗୋଳ ଘଟଣାର ତିନି ଦିନ ପରେ ସୋମବାର କ୍ୟାମ୍ପସ ପରିସର ସ୍ୱାଭାବିକ ହେଉଥିବା ଦେଖାଯାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ସାଂସ୍କୃତିକ ଉତ୍ସବ ବସନ୍ତ ଟୁକେ୧୮ର ଉଦ୍ଯାପନୀ ଉତ୍ସବକୁ ରବିବାର ବନ୍ଦ କରି ଦିଆଯାଇଥିଲା। ଫଳରେ ସୋମବାର ଭିସୁଟ୍ ଛୁଟି ଘୋଷଣାକୁ ରଦ୍ଦ କରାଯାଇ ଆଜି ପାଠପଢା ସ୍ୱାଭାବିକ ଚାଲିଥିଲା। ଅପରପକ୍ଷେ ଭିସୁଟ୍ କର୍ତ୍ତୃପକ୍ଷଙ୍କ ଲିଖିତ ଅନୁରୋଧ କ୍ରମେ ଆଜି ମଧ୍ୟ କ୍ୟାମ୍ପସ ଓ ହଷ୍ଟେଲରେ ପୁଲିସ୍ ମୁତୟନ ରହିଥିଲେ।