ମରିଗଲା ମାନବିକତା : ଡାକ୍ତରଖାନା ସମ୍ମୁଖରେ ପ୍ରାଣଗଲା

ଅନୁଗୁଳ : ଲୋକେ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନାକୁ ଆସିଥାନ୍ତି। ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ଡାକ୍ତରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଛଟପଟ ହୋଇ ଜଣେ ଜିଆରଏସଙ୍କ ଜୀବନ ଚାଲିଯାଇଛି।

ବଅଁରପାଳ ବ୍ଲକ ତଳମୂଳ ପଞ୍ଚାୟତର ଗ୍ରାମ ରୋଜଗାର ସେବକ(ଜିଆରଏସ) ଜ୍ୟୋତିପ୍ରକାଶ ଦ୍ବିବେଦୀ(୫୦)। ତାଙ୍କ ଘର ବଅଁରପାଳ ବ୍ଲକ ତଳମୂଳ ଗାଁ।

କିଛିଦିନ ତଳେ ଜ୍ୟୋତିପ୍ରକାଶ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଜରୀ-ଅର୍ଥୋପେଡ଼ିକ୍‌ ବିଭାଗ ରଖି ଚିକିତ୍ସା କରାଯାଉଥିଲା। ଆଜି ସକାଳେ ସେ ଅଚାନକ ଡାକ୍ତରଖାନାରୁ ଉଠି ଚାଲି ଆସିଥିଲେ। ଡାକ୍ତରଖାନା ପରିସରରେ ବୁଲାବୁଲି କରୁଥିଲେ। ସେ ନିଜ ଶଯ୍ୟାରେ ବହୁ ସମୟ ଧରି ନଥିଲେହେଁ ଏଥିପ୍ରତି ଡାକ୍ତରଖାନା କର୍ମଚାରୀଙ୍କ ନଜର ପଡ଼ିନଥିଲା। ପ୍ରାୟ ସାଢ଼େ ୧୨ଟା ‌ବେଳେ ଡାକ୍ତରଖାନା ଗେଟ୍ ସମ୍ମୁଖରେ ଅଚାନକ ପଡ଼ି ଯାଇ ଛଟପଟ ହୋଇଥିଲେ। ହେଲ୍ପଡେକ୍ସ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପୁଣି ଡାକ୍ତରଖାନାକୁ ଆଣିଲାବେଳକୁ ଜ୍ୟୋତିପ୍ରକାଶଙ୍କର ଜୀବନ ଆଉ ନଥିଲା। ଡାକ୍ତରଙ୍କଠାରୁ ଆରମ୍ଭ କରି କର୍ମଚାରୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସେହି ବାଟ ଦେଇ ଯା’ଆସ କରୁଥିଲେହେଁ ତାଙ୍କ ପ୍ରତି କାହାରି ନଜର ପଡ଼ିନଥିଲା।

ଅନ୍ୟପକ୍ଷରେ, ଜ୍ୟୋତିପ୍ରକାଶ ଦ୍ବିବେଦୀଙ୍କୁ ଅପରିଚିତ ଦର୍ଶାଇ ତାଙ୍କ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖି ‌ଦେଇ ଅନୁଗୁଳ ଥାନାକୁ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସଂପର୍କିତ କାଗଜପତ୍ର ବି କୁଆଡ଼େ ଗାଏବ କରି ଦିଆଯାଇଥିବା ଭଳି ସାଂଘାତିକ ଅଭିଯୋଗ ହସ୍ତଗତ ହୋଇଛି।

ସମ୍ବନ୍ଧିତ ଖବର