ପୂର୍ବ ବିବାଦରୁ ରକ୍ତାକ୍ତ ସଂଘର୍ଷ : ଘନଘନ ବୋମାମାଡ଼, ଗୁଳି ବି ଚାଲିଲା, ୭ ମହିଳାଙ୍କ ସମେତ ୧୫ ଗୁରୁତର

କହ୍ନେଇପୁରରେ ପୁଲିସ ଫୋର୍ସ ମୁତୟନ

ବ୍ରହ୍ମଗିରି : ପୂର୍ବ ବିବାଦକୁ କେନ୍ଦ୍ର କରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା କହ୍ନେଇପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଉଭୟ ପକ୍ଷ ପରସ୍ପର ଉପରକୁ ବୋମା ଫିଙ୍ଗିବା ସହ ଗୁଳି ଚଳାଇବାରୁ ୭ ଜଣ ମହିଳାଙ୍କ ସମେତ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ଓ କୃଷ୍ଣପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ଗୋଟିଏ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା ମୁତାବକ, କହ୍ନେଇପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିବା ବେଳେ ଗତକାଲି ରାତିରେ ଏହା ଉଗ୍ର ରୂପ ନେଇଥିଲା। ପ୍ରଥମେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଏହା ସଂଘର୍ଷର ରୂପ ନେଇଥିଲା। ଉଭୟ ପକ୍ଷ ପରସ୍ପର ଉପରକୁ ବୋମା ମାଡ଼ କରିଥିଲେ। ଅନ୍ଧାର ରାତିରେ ବୋମା ମାଡ଼ରେ ଗାଁ ଦାଣ୍ଡ ଥରି ଉଠିଥିଲା। ଏଥିରେ ଉଭୟ ଗୋଷ୍ଠୀରୁ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଏବଂ ଅନ୍ୟ ୪ ଜଣଙ୍କୁ କୃଷ୍ଣପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷରେ ରାତି ପାହିବା ପରେ ଆଜି ସକାଳେ ଉଭୟ ଗୋଷ୍ଠୀ ପୁଣି ଥରେ ମୁହାଁମୁହିଁ ହୋଇ ପରସ୍ପର ଉପରକୁ ୩୦ରୁ ଅଧିକ ବୋମା ମାଡ଼ କରିବା ସହ ୫ରୁ ୭ ରାଉଣ୍ତ ଗୁଳି ଚଳାଇଥିଲେ। ଖବର ପାଇ କୃଷ୍ଣପ୍ରସାଦ ଥାନା ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସକୁ ଦେଖି ଉଭୟ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ। ଆଜି ସଂଘର୍ଷରେ ଉଭୟ ଗୋଷ୍ଠୀର ୭ ଜଣ ମହିଳାଙ୍କ ସହିତ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଛତ୍ରପୁର ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ମାଧବ ଦାସ ଓ ସୁଦର୍ଶନ ଦଳାଇଙ୍କ ସମେତ ୬ ଜଣ ଆହତ ହୋଇଥିବା ବେଳେ ଆଜି ମୁରଲୀ ପ୍ରଧାନ, ସତ୍ୟଭାମା ପ୍ରଧାନ, ଅନୁସୟା ପ୍ରଧାନ, ବିଶ୍ବଜିତ ପ୍ରଧାନ, ସୁନାମଣି ଦଳାଇ, ଭାରତୀ ଦଳାଇ, ପ୍ରଦ୍ୟୁମ୍ନ ଦଳାଇ, ତ୍ରିନାଥ ଦଳାଇଙ୍କ ସମେତ ୯ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଗାଁରେ ଉେତ୍ତଜନା ଲାଗି ରହିଥିବାରୁ ଗୋଟିଏ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଉଭୟ ପକ୍ଷରୁ ଥାନାରେ ୩ଟି ପୃଥକ ପୃଥକ ଅଭିଯୋଗ ହୋଇଥିବା ବେଳେ ପୁଲିସ ୩ଟି ମାମଲା ରୁଜୁ କରିଛି। ତେବେ ଏହି ଘଟଣାରେ ପୁଲିସ ଏଯାବତ କାହାକୁ ଗିରଫ କରିନାହିଁ।

ସମ୍ବନ୍ଧିତ ଖବର