ପର୍ଯ୍ୟଟନ ଶିଳ୍ପରେ ଜିଏସ୍‌ଟି ମାଡ଼ : ଅଧିକ ଦାମର ରୁମ୍‌ ପ୍ରତି ଅନାଗ୍ରହ, ଚିନ୍ତାରେ ଟୁର୍‌ ଅପରେଟର, ହୋଟେଲ ମାଲିକ

ଭୁବନେଶ୍ୱର : ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଜିଏସ୍‌ଟି (ଦ୍ରବ୍ୟ ଓ ସେବା କର) ବାଟ ଓଗାଳୁଛି କି? ଏମିତି ଏକ ପ୍ରଶ୍ନ ଉପରେ ମାନସମନ୍ଥନ ଆରମ୍ଭ ହୋଇଛି। ଟୁର୍‌ ଅପରେଟର ଓ ଟ୍ରାଭେଲ୍‌ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନଙ୍କ ଚିନ୍ତା ବଢିଗଲାଣି। କାରଣ ଯେବେଠୁ ପର୍ଯ୍ୟଟନ କ୍ଷେତ୍ରକୁ ଜିଏସ୍‌ଟି ଛାଟ ବାଜିଛି ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ କମିନି ସତ କିନ୍ତୁ ଅଭିବୃଦ୍ଧି କମୁଛି। କେରଳ, ଗୋଆ ଓ ତାମିଲନାଡ଼ୁକୁ ସ୍ୱଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯେଉଁ ଅନୁପାତରେ ବଢ଼ିଛି ତାହା ଓଡ଼ିଶା ମଧ୍ୟ କ୍ଷେତ୍ରରେ ସମ୍ଭବ ହୋଇନାହିଁ। ଏଣୁ ବିଶେଷଜ୍ଞ ମହଲର କହିବା କଥା ହେଇଛି, ଜିଏସ୍‌ଟି ଏକମାତ୍ର କାରଣ ନୁହେଁ, କିନ୍ତୁ ଅନ୍ୟତମ ପ୍ରମୁଖ କାରଣ।

ଏହାକୁ ଗମ୍ଭୀରତାର ସହିତ ନେଇଛନ୍ତି ବାଣିଜ୍ୟ କର ଓ ଜିଏସ୍‌ଟି ବିଭାଗ। ଜିଏସ୍‌ଟି ଲାଗୁ ହେବା ପରେ ଏହା ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବ ପକାଇଛି କି ନାହିଁ ସେ ସମ୍ପର୍କରେ ଟୁର୍‌ ଅପରେଟର ଓ ହୋଟେଲ୍‌ ବ୍ୟବସାୟୀଙ୍କଠୁ ମତାମତ ଲୋଡ଼ାଯାଇଛି। ଏନେଇ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର ଶାଶ୍ୱତ ମିଶ୍ର ପର୍ଯ୍ୟଟନ ବିଭାଗକୁ ମଧ୍ୟ ଅବଗତ କରାଇଛନ୍ତି।

ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଆସନ୍ତା ସପ୍ତାହରେ ବୈଠକ ହେବା ନେଇ ସ୍ଥିର ହୋଇଥିବା ସୂଚନା ଦେଇଛନ୍ତି ପର୍ଯ୍ୟଟନ ନିର୍ଦେଶକ ନିତିନ ଭାନୁଦାସ ଜାଓ୍ଵଲେ। ଟୁର୍‌ ଓ ଟ୍ରାଭେଲ୍‌ ସହ ଜଡ଼ିତ କିଛି ବ୍ୟକ୍ତି ଓ ହୋଟେଲ୍‌ ଶିଳ୍ପ ସହ ସଂଶ୍ଳିଷ୍ଟ କିଛି ବ୍ୟକ୍ତିବିଶେଷଙ୍କୁ ନେଇ ପର୍ଯ୍ୟଟନ କ୍ଷେତ୍ରରେ ଜିଏସ୍‌ଟିର ପ୍ରଭାବ ସମ୍ପର୍କରେ ଆଲୋଚନା ହେବ।

ଜିଏସ୍‌ଟି ଲାଗୁ ହେବା ପରେ ଓଡ଼ିଶାକୁ ପର୍ଯ୍ୟଟକ ଆସିବା କେତେ ପ୍ରଭାବିତ ହୋଇଛି, ଦାମୀ ହୋଟେଲ୍‌ ରୁମ୍‌ ନେବାକୁ ପର୍ଯ୍ୟଟକ ଅନାଗ୍ରହ ଦେଖାଉଛନ୍ତି କି ନାହିଁ ଏବଂ କର୍ମଶାଳା, ସମ୍ମିଳନୀ ଆଦି ଆୟୋଜନ ପ୍ରଭାବିତ ହୋଇଛି କି ନାହିଁ ଆଦି ପ୍ରସଙ୍ଗକୁ ନେଇ ଏହି ବୈଠକରେ ଆଲୋଚନା ହେବ।

ସୂଚନାଯୋଗ୍ୟ, ୨୦୧୭ ମସିହା ଜୁଲାଇ ୧ ତାରିଖରେ ଜିଏସ୍‌ଟି ଲଗାଯାଇଥିଲା। ଟୁର୍‌ ସମ୍ପର୍କିତ ସେବାରେ ପର୍ଯ୍ୟଟକଙ୍କୁ ୫ ପ୍ରତିଶତ ବ୍ୟୟ କରିବାକୁ ପଡ଼ୁଛି। ଦିନକୁ ୧ହଜାର ଟଙ୍କାରୁ ଅଢ଼େଇ ହଜାର ଟଙ୍କା ଦେବାକୁ ପଡ଼ୁଥିବା ହୋଟେଲ୍‌ ରୁମ୍‌ ପାଇଁ ୧୨%, ଅଢ଼େଇ ହଜାର ଟଙ୍କାରୁ ୭ହଜାର ୫୦୦ ଟଙ୍କା ଦେବାକୁ ପଡ଼ୁଥିବା ରୁମ୍‌ ବାବଦରେ ୧୮% ଏବଂ ଦୈନିକ ୭ହଜାର ୫୦୦ ଟଙ୍କାରୁ ଅଧିକ ଦର ଥିବା ରୁମ୍‌ ବାବଦରେ ୨୮% ଜିଏସ୍‌ଟି ଦେବାକୁ ପଡ଼ୁଛି ପର୍ଯ୍ୟଟକଙ୍କୁ। ତେଣୁ ହୋଟେଲ୍‌ରେ ରହଣି ପାଇଁ ଜିଏସ୍‌ଟି ପଇଠ ବେଳେ ଖୁବ୍‌ ବାଧୁଛି।

ଟୁର୍‌ ଅପରେଟର ଏବଂ ହୋଟେଲ୍‌ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷ ଏହାକୁ ଆରମ୍ଭରୁ ବିରୋଧ କରି ଆସୁଛନ୍ତି। କାରଣ, ଦୈନିକ ୭ହଜାର ୫୦୦ ଟଙ୍କାରୁ ଅଧିକ ଦର ଥିବା ରୁମ୍‌ ପ୍ରାୟ କେହି ନେଉନାହାନ୍ତି। ତେଣୁ ରୁମ୍‌ର ଦର ଜାଣିଶୁଣି ୭ହଜାର ଟଙ୍କାରେ ସୀମିତ ରଖିବାକୁ ପଡ଼ୁଛି ବୋଲି ଏକ ତାରକା ହୋଟେଲ୍‌ର ପରିଚାଳକ କହିଛନ୍ତି।

ନିକଟରେ ପର୍ଯ୍ୟଟନରେ ଜିଏସ୍‌ଟିର ପ୍ରଭାବକୁ ପରଖିବା ପାଇଁ ରାଜସ୍ଥାନ, ଗୋଆ, ଓଡ଼ିଶା ଓ କେରଳର କିଛି ସଦସ୍ୟଙ୍କୁ ନେଇ ଏକ କମିଟି କରାଯାଇଛି।

ସମ୍ବନ୍ଧିତ ଖବର