ଜିଏସ୍‌ଟି ଠକେଇ ହଜାରେ କୋଟି ଟପିବ; ଗିରଫ ହେଲେଣି ୯, ତାଲିକା ଲମ୍ବା

୧୫୦ରୁ ଅଧିକ ବ୍ୟବସାୟୀ ସାମିଲ, ତଦନ୍ତ ଜାରି, ଗିରଫ ସଂଖ୍ୟା ବଢ଼ିବ

ରାଉରକେଲା : ଜିଏସ୍‌ଟି ଠକେଇର ପେଣ୍ଠସ୍ଥଳୀ ପାଲଟିଛି ରାଉରକେଲା। ଏଠାକାର ଅସାଧୁ ବ୍ୟବସାୟୀଙ୍କ ଅର୍ଥ ରୋଜଗାର କରିବାର ଅନୈତିକ ଉପାୟ, ଏହାର ମୂଳ କାରଣ। କେନ୍ଦ୍ର ସରକାରଙ୍କ ଦ୍ବାରା ଜିଏସ୍‌ଟି ଲାଗୁ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ; କୋଟି କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିସାରିଲେଣି ଏମାନେ। ଏଥିପାଇଁ ରାଉରକେଲାର ୯ ଜଣ ବ୍ୟବସାୟୀ ବି ଧରାପଡ଼ି ଗିରଫ ବି ହୋଇସାରିଛନ୍ତି; ତଥାପି ଜିଏସ୍‌ଟି ମହାଠକେଇ ଥମିବାର ନାଁ ନେଉନି। ନିୟମିତ ବ୍ୟବଧାନରେ ଏଠାକାର ବ୍ୟବସାୟୀମାନେ ସମାନ ଅଭିଯୋଗରେ ଗିରଫ ହେଉଛନ୍ତି। ପ୍ରକୃତରେ କେବଳ ରାଉରକେଲାର ଦେଢ଼ ଶହରୁ ଅଧିକ ବ୍ୟବସାୟୀ ଏହି ମହାଠକେଇର ସାମିଲ ଅଛନ୍ତି। ଜଣେ ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, କେବଳ ରାଉରକେଲାରେ ହିଁ ୧ ହଜାର କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି। ଏ ନେଇ ବିଭାଗ ପର୍ଯ୍ୟାୟକ୍ରମେ ଯାଞ୍ଚ ଜାରି ରଖିଛି।

ରାଜ୍ୟରେ ପ୍ରଥମ ଥର ପାଇଁ ଜିଏସ୍‌ଟି ଠକେଇ ରାଉରକେଲାରେ ହୋଇଥିବା କେନ୍ଦ୍ରୀୟ ଜିଏସ୍‌ଟି, ରାଉରକେଲା କମିସନରେଟ୍‌ ଜାଣିବାକୁ ପାଇଥିଲା। ୨୦୧୮ ମାର୍ଚ୍ଚ ୨୭ ତାରିଖ ବେଳକୁ ସହରର ୧୫ ଜଣ ବ୍ୟକ୍ତି ୧୧.୫୦ କୋଟି ଜିଏସ୍‌ଟି ଠକିଥିବା ଜଣାପଡ଼ିଥିଲା। ଏଣୁ ବିଭାଗ ସମସ୍ତ ୧୫ ଜଣଙ୍କୁ ନୋଟିସ୍‌ ଦେଇଥିଲା। ସେତେବେଳେ ଏହି ୧୫ ଜଣଙ୍କ ମଧ୍ୟରୁ ୫ ଜଣ ବ୍ୟବସାୟୀଙ୍କଠାରୁ ୮.୫ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଔପଚାରିକ ଭାବେ ଏହା ହିଁ ରାଜ୍ୟରେ ପ୍ରଥମ ଜିଏସ୍‌ଟି ଠକେଇ ଘଟଣା ଥିଲା। ଏହାପରଠାରୁ ଏହି ପ୍ରସଙ୍ଗରେ ରାଉରକେଲା ଯେ ଜିଏସ୍‌ଟି ଠକୁଥିବା ଅସାଧୁ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ, ତାହା ସ୍ପଷ୍ଟ ହୋଇଥିଲା।

୨୦୧୮ ଅକ୍ଟୋବର ମାସରେ ୨୦ କୋଟି ଟଙ୍କାର ଜିଏସ୍‌ଟି ଠକିଥିବା ଅଭିଯୋଗରେ କେନ୍ଦ୍ରୀୟ ଜିଏସ୍‌ଟି, ଗୁଇନ୍ଦା ବିଭାଗ ରାଉରକେଲାର ଦୁଇ ବ୍ୟବସାୟୀ ନାରାୟଣ ଖୈତାନ (୫୫) ଓ ସଞ୍ଜୀବ ସିଂହ (୩୪)ଙ୍କୁ ଗିରଫ କରିଥିଲା। ଏହାପରେ ୨୦୧୯ ମେ ୩ ତାରିଖରେ ୬୨ କୋଟି ଟଙ୍କା ଠକିଥିବା ଅଭିଯୋଗରେ ସିଭିଲ୍‌ଟାଉନସିପ୍‌ର ବ୍ୟବସାୟୀ ମାନସ ଚନ୍ଦ୍ର ବରାଳ (୪୭), ୨୦୧୯ ମେ ୨୧ରେ ୧୮.୮୪ କୋଟି ଟଙ୍କା ଠକିଥିବା ଅଭିଯୋଗରେ କମଳ ପସାରୀ ଗିରଫ ହୋଇଥିଲେ। ୨୦୧୯ ଅକ୍ଟୋବର ୨୫ରେ ୧୩୮ କୋଟି ଠକିଥିବା ଅଭିଯୋଗରେ ୪ ଜଣ ଗିରଫ ହୋଇଥିଲେ। ସମଗ୍ର ମାମଲାର ମୁଖ୍ୟ ଅତୁଲ ବଂଶଲ ସମେତ ଦୀନ ଦୟାଲ ଅଗ୍ରୱାଲ, ଆଦିତ୍ୟ ନାୟକ ଓ ଯାଜପୁରର ରାମଚନ୍ଦ୍ର ମଲ୍ଲିକ ଗିରଫ ହୋଇଥିଲେ। ଏହି ଅଭିଯୁକ୍ତମାନେ ୨୦ଟି ଜାଲ୍‌ କମ୍ପାନି ତିଆରି କରିଥିଲେ। ବିନା କୌଣସି କିଣାବିକା କରି ଜାଲ୍‌ କାଗଜପତ୍ରରେ ୬୦୩ କୋଟିର ଲୌହ ଇସ୍ପାତ ସାମଗ୍ରୀ କିଣିଥିବା ଓ ୭୪୩ କୋଟି ଟଙ୍କା ବିକ୍ରି କରିଥିବା ଦର୍ଶାଇ ୧୩୮ କୋଟି ଟଙ୍କା ଜିଏସ୍‌ଟି ଠକିଥିଲେ। ଗତକାଲି (୨୩ ଜାନୁଆରି)ରେ ସମାନ ପନ୍ଥା ଅବଲମ୍ବନ କରି ରାଉରକେଲାର ଦୁଇ ଜଣ ବ୍ୟବସାୟୀ ସିଭିଲ୍‌ଟାଉନସିପ୍‌ ସ୍ଥିତ ଜି.ଏସ. ୟୁନିଟ୍ରେଡ୍‌ର ଅମିତ ବେରିୱାଲ ଓ ବାସନ୍ତୀ କଲୋନି ସ୍ଥିତ ବି.ବି. ଆସୋସିଏଟ୍‌ର ସୁବାସ ଚନ୍ଦ୍ର ସ୍ବାଇଁ ଗିରଫ ହୋଇଛନ୍ତି। ଏମାନେ ୨୮ଟି ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରିଥିଲେ। ନିଜର ବ୍ୟକ୍ତିଗତ ବ୍ୟବସାୟିକ ପ୍ରତିଷ୍ଠାନ ଓ ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନ ମାଧ୍ୟମରେ ଜାଲ୍‌ ବିଲ୍‌ ଜରିଆରେ ୪୯୩ କୋଟି ଟଙ୍କାର ଜିନିଷ କିଣିଥିବା ଓ ୬୮୭ କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଥିବା ଦର୍ଶାଇଥିଲେ। ଏଭଳି ଚଞ୍ଚକତା କରି ଉଭୟ ୧୨୩ କୋଟି ଟଙ୍କାର ଜିଏସ୍‌ଟି ଠକି ନେଇଥିଲେ।

ସମ୍ବନ୍ଧିତ ଖବର