ନେତାଙ୍କ ବିମାନ ଯାତ୍ରା ପାଇଁ ଜାରି ହେଲା ଗାଇଡ୍‌ ଲାଇନ୍‌ : ଦୁଇ ଇଞ୍ଜିନ୍‌ ବିଶିଷ୍ଟ ବିମାନରେ ଯିବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ମନ୍ତ୍ରୀ, ବିଧାୟକ, ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ରାଜ୍ୟ ସରକାରଙ୍କ ଭିଭିଆଇପି ଅଧିକାରୀ ଓ ଅତିଥିମାନଙ୍କ ବିମାନ ଯାତ୍ରା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ନିକଟ ଅତୀତରେ ବିମାନ/ହେଲିକପ୍ଟର ଦୁର୍ଘଟଣାରେ ବାହାର ରାଜ୍ୟର କେତେ ଜଣ ରାଜନେତାଙ୍କର ଅକାଳ ମୃତ୍ୟୁ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି।

କୌଣସି ରାଜନେତା ରାଜ୍ୟ ଭିତରେ ବା ବାହାରକୁ ଯାତ୍ରା ପାଇଁ କେଉଁଭଳିି ସରକାରୀ ବା ଘରୋଇ ବିମାନ/ ଏୟାରକ୍ରାଫ୍ଟ/ ହେଲିକପ୍ଟର ବ୍ୟବହାର କରିବେ ସେନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ ରାଜନେତାମାନେ ସ୍ୱତନ୍ତ୍ର ଭାବେ ବିମାନ ଯାତ୍ରା କଲେ କେବଳ ଦୁଇ ଇଞ୍ଜିନ ବିଶିଷ୍ଟ ଏୟାରକ୍ରାଫ୍ଟ/ହେଲିକପ୍ଟରରେ ଯାତ୍ରା କରିବାକୁ କୁହାଯାଇଛି। ଗୋଟିଏ ଇଞ୍ଜିନ ବିଶିଷ୍ଟ ଏୟାରକ୍ରାଫ୍ଟ/ହେଲିକପ୍ଟରରେ ଅଧିକାଂଶ ସମୟରେ ବୈଷୟିକ ତ୍ରୁଟି ଦେଖାଦେଉଥିବାରୁ ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ ବ୍ୟବହାର କରିବାକୁ କୁହାଯାଇଛି। ପ୍ରତ୍ୟେକ ବିମାନ ଉଡ଼ାଣ ପୂର୍ବରୁ ଏହାକୁ ଏରୋନେଟିକାଲ ମେଣ୍ଟେନାନ୍ସ ଇଞ୍ଜିନିୟରଙ୍କ ଦ୍ୱାରା ଯାଞ୍ଚ କରିବାକୁ କୁହାଯାଇଛି। ପାଇଲଟ୍‌ମାନେ ଉଡ଼ାଣ ପୂର୍ବରୁ ବିମାନରେ କି କି ପ୍ରକାରର ଅସୁବିଧା ଅଛି ତାହା ଯାଞ୍ଚ କରି କହିବାକୁ କୁହାଯାଇଛି। ସେହିପରି ରାଜନେତା ନେଉଥିବା ବିମାନରେ ଯୋଗାଯୋଗ ପାଇଁ ଦୁଇଟି ରେଡିଓ କମ୍ୟୁନିକେସନ୍‌ ଏବଂ ନାଭିଗେସନ୍‌ ଯନ୍ତ୍ରାଂଶ ରଖିବାକୁ କୁହାଯାଇଛି। ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ ପାଇଁ ବିମାନରେ ଆଇଏଲ୍‌ଏସ୍‌ ଲୋକାଲାଇଜର୍‌ ଗ୍ଲାଇଡ୍‌ ପାଥ୍‌ ଏବଂ ମାର୍କର ରିସିଭର୍‌ ବାଧ୍ୟତାମୂଳକ କରାଯାଇଛି।

ରାଜନେତା ଯେଉଁ ଏୟାରକ୍ରାଫ୍ଟ/ହେଲିକପ୍ଟରରେ ଯିବେ ତାହାର ପାଇଲଟ୍‌ଙ୍କର କମର୍ସିଆଲ ହେଲିକପ୍ଟର ଉଡ଼ାଣ ଲାଇସେନ୍ସ(ସିଏଚ୍‌ପିଏଲ୍‌) ଥିବା ଦରକାର। ପାଇଲଟ୍‌ଙ୍କର ସର୍ବନିମ୍ନ ୫୦୦ଘଣ୍ଟା ଉଡ଼ାଣ ଅଭିଜ୍ଞତା ଥିବ। ଏହାବାଦ୍‌ ୧୦ଘଣ୍ଟା ରାତିରେ ଚଳାଇବାର ଅଭିଜ୍ଞତା ଥିବ। ଏହାବାଦ୍‌ ଗତ ୬ମାସରେ ୩୦ଘଣ୍ଟା ପିଆଇସି ହେଲିକପ୍ଟର ଉଡ଼ାଣର ଅଭିଜ୍ଞତା ଥିବ। ପାଇଲଟ୍‌ ଉଡ଼ାଣ ପୂର୍ବରୁ ପାଣିପାଗ କେନ୍ଦ୍ର ସହ ଯୋଗାଯୋଗ କରି ସ୍ଥାନୀୟ ପାଗ ସମ୍ପର୍କରେ ଅବଗତ ହେବେ। ଏହି ଗାଇଡ୍‌ଲାଇନ୍‌ ଯେପରି ପାଳନ ହେବ ସେଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବ, ମୁଖ୍ୟ ନିର୍ବାଚନ ଅଧିକାରୀ, ଗୃହ ବିଭାଗ, ରାଜ୍ୟ ନିର୍ବାଚନ କମିସନର, ଜିଲ୍ଲାପାଳ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି।

ସମ୍ବନ୍ଧିତ ଖବର