ସ୍କୁଲ ଷ୍ଟଡି ଟୁର୍‌ ଗାଇଡ୍‌ଲାଇନ୍‌ ଜାରି : ଅଭିଭାବକଙ୍କ ସହମତି ବିନା ଯିବେନି ପିଲା

ଛାତ୍ରୀ ଯାଉଥିଲେ ଜଣେ ଶିକ୍ଷୟିତ୍ରୀ ରହିବା ବାଧ୍ୟତାମୂଳକ

ଡ୍ୟାମ, ସମୁଦ୍ର କୂଳ ଲାଗି ଜିଲ୍ଲାପାଳଙ୍କ ଅନୁମତି ଲୋଡ଼ା

ଭୁବନେଶ୍ୱର : ବିପଦସଙ୍କୁଳ ଭାବେ ସ୍କୁଲ ଛାତ୍ରଛାତ୍ରୀ ଷ୍ଟଡିଟୁର୍‌ରେ ଯାଉଥିଲେ ମଧ୍ୟ ସେମାନଙ୍କୁ ଜଗିବାକୁ କେହି ନାହାନ୍ତି। ସାଙ୍ଗରେ ଆବଶ୍ୟକ ଶିକ୍ଷକ, ଶିକ୍ଷୟିତ୍ରୀ ରହୁନାହାନ୍ତି। ପର୍ଯ୍ୟଟନସ୍ଥଳୀ ବୁଲିବା ସମୟରେ ବି ପିଲାମାନେ କେଉଁଆଡ଼େ ଗଲେ, କାହା ସହ ମିଶିଲେ ତାହାର ଖବର ବି ରଖାଯାଉନି। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିକଟରେ ଅଭିଯୋଗ ପହଞ୍ଚିବା ପରେ ତତ୍ପରତା ପ୍ରକାଶ ପାଇଛି। ପିଲାଙ୍କ ସୁରକ୍ଷା ଲାଗି ଜାରି ହୋଇଛି ଗାଇଡ୍‌ଲାଇନ୍‌। ପିଲାଙ୍କୁ କିଭଳି ସୁରକ୍ଷିତ ଭାବେ ଷ୍ଟଡିଟୁର୍‌ରେ ବୁଲାଇବାକୁ ନେବେ, ସାଙ୍ଗରେ କେଉଁମାନେ ରହିବେ, ଅଭିଭାବକଙ୍କ ଅନୁମତି କିଭଳି ଆଣିବେ ସେନେଇ ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

ପିଲାଙ୍କ ପାଠ୍ୟକ୍ରମ ଅନୁଯାୟୀ ତଥା ସେମାନଙ୍କ ଲାଗି ଆବଶ୍ୟକ ଥିବା ସ୍ଥାନକୁ ବୁଲାଇବାକୁ ନେବା ଦିଗରେ ସ୍କୁଲ ମୁଖ୍ୟ ଗୁରୁତ୍ୱ ନେବେ। ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ପରିଚୟପତ୍ର ପ୍ରଦାନ କରାଯିବ। ଯେଉଁ ପିଲାମାନେ ଷ୍ଟଡି ଟୁର୍‌ରେ ଯାଉଛନ୍ତି ସେମାନଙ୍କର ତଥ୍ୟକୁ ନେଇ ଏକ ଡାଟାବେସ୍‌ ପ୍ରସ୍ତୁତ ହେବ। ଏଥିରେ ଅଭିଭାବକଙ୍କ ସମ୍ପୂର୍ଣ୍ଣ ତଥ୍ୟ, ଠିକଣା, ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଆଦି ଉଲ୍ଲେଖ ରହିବ। ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ତଥ୍ୟର ଏକ ନକଲ ଦିଆଯିବ। ଯେଉଁ ପିଲାମାନେ ଯିବେ ସେମାନଙ୍କର ଅଭିଭାବକ ଲିଖିତ ଆକାରରେ ସହମତି ପ୍ରକାଶ କରିବା ନିହାତି ଜରୁରୀ। ବୁଲିବାକୁ ଯିବା ସମୟରେ ଜଣେ ବରିଷ୍ଠ ଶିକ୍ଷକ ସାଙ୍ଗରେ ରହିବା ବାଧ୍ୟତାମୂଳକ। ଯଦି ଗସ୍ତରେ ଛାତ୍ରୀମାନେ ରହିଥିବେ ତେବେ ଜଣେ ଅଭିଜ୍ଞ ଶିକ୍ଷୟିତ୍ରୀଙ୍କୁ ନେବା ନିତାନ୍ତ ଆବଶ୍ୟକ।

ଡ୍ୟାମ, ପାଓ୍ଵାର ପ୍ଲାଣ୍ଟ, ସମୁଦ୍ରକୂଳ ପରି ସ୍ଥାନକୁ ଯିବାକୁ ଥିଲେ ଜିଲ୍ଲାପାଳ କିମ୍ବା ସେହି ସ୍ତରର ଅଧିକାରୀଙ୍କ ଅନୁମତି ଆଣିବା ନିହାତି ଆବଶ୍ୟକ। ନ ହେଲେ ଟୁର୍‌କୁ ବାତିଲ୍‌ କରିବାକୁ ପଡ଼ିବ। ଟୁର୍‌ରେ ଯଦି ୧୦ରୁ ଅଧିକ ପିଲା ରହିଥିବେ ତେବେ ସ୍ଥାନୀୟ ଅଞ୍ଚଳର ଜଣେ ଟୁର୍‌ ଅପରେଟରଙ୍କୁ ସାଙ୍ଗରେ ନେବାକୁ ହେବ। ଯାହାଙ୍କର ସମ୍ପୃକ୍ତ ଅଞ୍ଚଳ ସମ୍ପର୍କରେ ଜ୍ଞାନ ରହିଥିବା ଆବଶ୍ୟକ। ବସ୍‌ରେ ନେଉଥିଲେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖିବା ବାଧ୍ୟତାମୂଳକ। ମାଦକ ଦ୍ରବ୍ୟ ସେବନ କରି ଡ୍ରାଇଭର ଯେପରି ଗାଡ଼ି ନ ଚଲାନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଗାଡ଼ିର ଲାଇସେନ୍ସ ଥିବା ଦରକାର। କୌଣସି ପିଲାଙ୍କୁ ବସ୍‌ରେ ଛିଡ଼ା କରି ନିଆଯିବ ନାହିଁ। ସୁରକ୍ଷା ଲାଗି ବସ୍‌ରେ ସିସିଟିଭି ଲଗାଯାଇଥିଲେ ଭଲ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ଗାଇଡ୍‌ଲାଇନ୍‌ ହୋଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଥିବା ସର୍ବଶିକ୍ଷା ଅଭିଯାନ ଓ ରାମ୍‌ସା ପରି ଯୋଜନାରେ ଷ୍ଟଡି ଟୁର୍‌ ନେବାର ନିୟମ ରହିଛି। ତାହାକୁ ଦଷ୍ଟିରେ ରଖି ଗାଇଡ୍‌ଲାଇନ୍‌ରେ କଡ଼ାକଡ଼ି ଭାବେ ଲାଗୁ କରିବାକୁ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର