ସ୍ୱାମୀଙ୍କୁ ଠକିଥିବା ମହିଳାର ପତ୍ତା ମିଳିଲାନି : ଖାଲି ହାତରେ ଫେରିଲା ଗୁଜରାଟ ପୁଲିସ୍‌

ରାଉରକେଲା : ସ୍ୱାମୀଙ୍କୁ ଲକ୍ଷଲକ୍ଷ ଟଙ୍କା ଠକି ଓଡ଼ିଶା ଚାଲି ଆସିଥିବା ଜଣେ ମହିଳାଙ୍କୁ ଧରିବା ପାଇଁ ଗୁଜରାଟ ପୁଲିସ୍‌ ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ତେବେ, ମହିଳାଙ୍କର କୌଣସି ପତ୍ତା ନ ପାଇ ନିରାଶ ହୋଇ ଫେରିଥିବା ଜଣାପଡ଼ିଛି।

ଏହି ମହିଳା ଜଣଙ୍କ ପ୍ରଥମ ସ୍ୱାମୀଙ୍କୁ ଧୋକା ଦେଇ ଗୁଜୁରାଟ ଜାମନଗରସ୍ଥିତ ଲାର୍ସେନ୍‌ ଆଣ୍ଡ ଟ୍ୟୁବ୍ରୋ (ଏଲ୍‌ ଆଣ୍ଡ ଟି)ରେ କାର୍ଯ୍ୟରତ ସୁନ୍ଦରଗଡ଼ ଅଞ୍ଚଳର ପ୍ରୀତମ ଦାସ (ଛଦ୍ମନାମ)ଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ପ୍ରୀତମଙ୍କ ଏକାନ୍ତ ଭଲ ପାଇବାରୁ ଫାଇଦା ଉଠାଇ ବିଭିନ୍ନ ଆଳରେ ୫ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ । ଏପରିକି ବାପଘରକୁ ବୁଲି ଆସିବା ବାହାନାରେ ରାଉରକେଲାରେ ରହି ପ୍ରୀତମ୍‌ଙ୍କ ଏଟିଏମ୍‌ କାର୍ଡ଼ ବ୍ୟବହାର କରି ଏଠାରେ ଟଙ୍କା ଉଠାଉଥିଲେ। ମନ୍ଦ ଉଦ୍ଦେଶ୍ୟର ସୁରାକ ପାଇନଥିବା ପ୍ରୀତମ ପତ୍ନୀଙ୍କ ଖର୍ଚ୍ଚ ବାବଦରେ ମାସକୁ ୧୦ ହଜାର ଟଙ୍କା ଲେଖାଏଁ ପଠାଉଥିଲେ। ସ୍ୱାମୀଙ୍କ ସହ ମାତ୍ର ୨ ମାସ ରହି ପଳାଇ ଆସିବା ଏବଂ ଘରେ ୫/୬ ମାସ ରହି ନ ଫେରିବାରୁ ପ୍ରୀତମଙ୍କ ମନରେ ସନ୍ଦେହ ହୋଇଥିଲା। ପରେ, ପତ୍ନୀଙ୍କ କାରନାମା ଜାଣିବା ପରେ ପ୍ରୀତମ୍‌ ପୁଲିସ୍‌ର ସହାୟତା ନେଇଥିଲେ।

ରାଉରକେଲା କୋଏଲନଗରର ଏହି ମହିଳା ପ୍ରିୟଙ୍କା ପ୍ରୟଦର୍ଶିନୀ (ଛଦ୍ମନାମ)ଙ୍କୁ ଠାବ କରିବାକୁ ଗୁଜୁରାଟ ଜାମନଗର ପୁଲିସର ଚାରିଜଣିଆ ଟିମ୍‌ ପ୍ରୀତମଙ୍କୁ ଧରି ଗୁରୁବାର ଓ ଶୁକ୍ରବାର କୁଜଂଗ ପୋଲିସ ସହାୟତାରେ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ସେଠାରୁ ରାଉରକେଲାରେ ପହଞ୍ଚ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି। ମାତ୍ର, ସେ ପ୍ରିୟଙ୍କାଙ୍କର କୌଣସି ପତ୍ତା ପାଇନଥିବା ଜଣାପଡ଼ିଛି। ଫଳରେ, ଗୁଜରାଟ ପୁଲିସ୍‌କୁ ଖାଲି ହାତରେ ଫେରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର