ଗୁମ୍ମା ପଥର କୁଆଁରି ଅଘଟଣ : ଜଣକ ମୃତଦେହ ଠାବ, ହୋଇପାରିଲାନି ଚିହ୍ନଟ

ଜୟପୁର : ଗତ ୩ ଦିନ ଧରି ନିୟନ୍ତ୍ରିତ ବିସ୍ଫୋରଣ ପରେ ପ୍ରଶାସନକୁ ସଫଳତା ମିଳିଛି । ଗୁମ୍ମା ପଥର କୁଆଁରି ଧସିବାର ୧୧ଦିନ ପରେ ଆଜି ପଥରଫାଙ୍କରେ ଗୋଟିଏ ନିଶ୍ଚଳ ଶରୀର ଠାବ କରାଯାଇଛି। ତେବେ, ସେହି ଶରୀର କାହାର ତାହା ଚିହ୍ନଟ କରାଯାଇନାହିଁ। ଗୋଟିଏ ହାତ ବାହାରକୁ ବାହାରି ରହିଥିବାବେଳେ ପଥର ଓ ମାଟି ତଳେ ପୂରା ଶରୀର ପୋତି ହୋଇ ରହିଥିବା ଜଣାପଡ଼ିଛି।

ଗତକାଲି ଦ୍ୱିତୀୟ ଜେସିବି ଠାବ କରି ଆଜି ସକାଳେ ଅଧାଅଧି ବାହାର କରାଯାଇଥିଲା। ଏହାପରେ କିଛି ବଡ଼ ପଥରକୁ ହଟାଇବାରୁ ସୃଷ୍ଟି ହୋଇଥିବା ଫାଙ୍କରେ ଉଦ୍ଧାରକାରୀ ଦଳ ଭିତର ଅବସ୍ଥା ଅନୁଧ୍ୟାନ କରିଥିଲେ। ବହୁ ସମୟ ଧରି ନିରୀକ୍ଷଣ ପରେ ଚାପି ହୋଇରହିଥିବା ଜେସିବି ତଳେ ଗୋଟିଏ ହାତ ସାମାନ୍ୟ ଦେଖାଯାଇଥିଲା। ତେବେ ଏହି ହାତ କାହାର ଜଣାପଡିନଥିଲା। ତେଣୁ ଅପରାହ୍ନ ପ୍ରାୟ ୩ଟା ବେଳେ ଦୁଇ ଜେସିବି ଅପରେଟର୍‌ଙ୍କ ପରିବାର ଲୋକଙ୍କୁ ଘଟଣାସ୍ଥଳକୁ ଡକାଇ ଚିହ୍ନଟ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ହାତ ବ୍ୟତୀତ ଅନ୍ୟ କିଛି ଦେଖାଯାଉ ନ ଥିବାରୁ ପରିବାର ଲୋକଙ୍କୁ ବି ଚିହ୍ନିବାରେ କଷ୍ଟ ହୋଇଥିଲା। ଘଟଣାର ପ୍ରାୟ ୧୧ଦିନ ବିତିବା ପରେ ଗୋଟିଏ ଶରୀର ଠାବ ହୋଇଥିବ ବେଳେ ଅନ୍ୟ ଜଣଙ୍କ ଶରୀର କେଉଁଠାରେ ଏବଂ କେଉଁ ଅବସ୍ଥାରେ ରହିଛି ଚିନ୍ତା ବଢାଇଛି।

ଅପରପକ୍ଷରେ, ଆଜିଉଦ୍ଧାରକାରୀ ଦଳ, ପ୍ରଶାସନ ଏବଂ ପୁଲିସ ବ୍ୟତୀତ ଆଉ କାହାରିକୁ ଘଟଣାସ୍ଥଳକୁ ଛଡାଯାଇ ନଥିଲା। ଘଟଣାସ୍ଥଳଠାରୁ ପ୍ରାୟ ଶହେ ମିଟର ଦୂରରେ ସମସ୍ତଙ୍କୁ ଅଟକାଇ ରଖାଯାଇଥିଲା। ଏପରିକି ଉଦ୍ଧାରରେ ସାମିଲ ଦଳକୁ ବି ଫୋନ୍‌ ନେବାକୁ ବାରଣ କରାଯାଇଥିଲା। ସକାଳେ ପହଞ୍ଚିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଏପରିକି କଟକଣା ପଛର ଉଦ୍ଦେଶ୍ୟ ସ୍ପଷ୍ଟ କରାଯାଇନଥିଲା। କେବଳ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏମିତି ପଦକ୍ଷେପ ନିଆଯାଇଥିବା ନେଇ ପ୍ରଶାସନିକ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।

ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ମାଟି ମିଶା ପଥର ତଳେ ଗୋଟିଏ ଶରୀର ଆଜି ସକାଳେ ଠାବ କରାଯାଇଛି। ଶରୀର କାହାର ଚିହ୍ନଟ ହୋଇପାରି ନାହିଁ। ଘଟଣାସ୍ଥଳରେ ଆମ୍ବୁଲାନ୍‌ସ ଓ ଡାକ୍ତର ଉପସ୍ଥିତ ରହିଛନ୍ତି। ଜେସିବି ଭିତରେ ପୂରା ଶରୀର ରହିଥିବାରୁ ବାହାରକୁ କାଢିବା ପରେ ପରିବାର ଲୋକଙ୍କୁ ଚିହ୍ନଟ ପାଇଁ ଡକାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର