ଗୁମୁଡ଼ୁମାହା ଗୁଳିକାଣ୍ଡ ମାମଲା : ମାନବାଧିକାର କମିସନଙ୍କୁ ଭେଟିଲେ ପରିବାର

ଭୁବନେଶ୍ୱର : କନ୍ଧମାଳ ଜିଲା ଗୁମୁଡ଼ୁମାହାରେ ୨୦୧୬ ମସିହାରେ ପୁଲିସ ଗୁଳିର ଶିକାର ହୋଇଥିବା ପୀଡ଼ିତଙ୍କୁ ଅଦ୍ୟାବଧି ନ୍ୟାୟ ମିଳି ପାରିନାହିଁ। ରାସ୍ତା, ପାଣି, ବିଜୁଳି ଦୂରର କଥା ମାନବାଧିକାର କମିସନଙ୍କ ଆଦେଶ ସତ୍ତ୍ବେ ମୃତକଙ୍କ ପରିବାରକୁ ଅତିରିକ୍ତ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇନାହିଁ। ପୁଲିସ୍‌ ଗୁଳି‌ରେ ନିଜର ଦେଢ଼ ବର୍ଷର ପୁଅ ଓ ସ୍ତ୍ରୀକୁ ହରାଇଥିବା ତଥା ନିଜେ ଗୁରୁତର ଆହତ ହୋଇଥିବା ଲୁଟ ଦିଗଲଙ୍କ ସମେତ ବବି ମଳିକ, ବନମାଳୀ ମଳିକ ଓ ଡୁଲାର ଦିଗଲ ଆଜି ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ତାଙ୍କ ସହିତ ଅନ୍ୟ ଦୁଇଜଣ ମାନବାଧିକାର କର୍ମୀ ମଧ୍ୟ ଦୁଇଟି ପିଟିସନ ଦାଖଲ କରିଛନ୍ତି। ପ୍ରତ୍ୟେକ ପରିବାରକୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଜମି ଯୋଗାଇ ଦେବାକୁ ସରକାରଙ୍କୁ ଆଦେଶ ଦେବା ପାଇଁ ସେମାନେ ଅନୁରୋଧ କରିଛନ୍ତି।

ଅଭିଯୋଗ ମୁତାବକ, ୨୦୧୬ ମସିହା ଜୁଲାଇ ୮ ତାରିଖରେ ପୁଲିସ ଗୁଳିରେ ଏହି ଗ୍ରାମର ୫ଜଣ ଆଦିବାସୀ ପ୍ରାଣ ହରାଇବା ସହ ୮ଜଣ ଗୁରୁତର ଆହତ ହୋଇଥିଲେ। ରାଜ୍ୟ ସରକାର ଏହାର ବିଚାର ବିଭାଗୀୟ ତଦନ୍ତ କରିଥିଲେ। କିନ୍ତୁ ରିପୋର୍ଟ ସାର୍ବଜନୀନ ହୋଇନଥିଲା। ପୁଲିସର ତ୍ରୁଟିକୁ ଘଣ୍ଟ ଘୋଡ଼ାଇବା ପାଇଁ ଏହି ରିପୋର୍ଟକୁ ଚାପି ଦିଆ ଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ରାସ୍ତା, ପାଣି ଓ ବିଦ୍ୟୁତ ସେବା ଆଜି ବି ଯୋଗାଇ ଦିଆଯାଇ ନାହିଁ। ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକ ପରିବାରକୁ ସାତ ଲକ୍ଷ ଟଙ୍କା ଅନୁକମ୍ପା ସାହାଯ୍ୟ ଦେଇଥିବା ବେଳେ ରାଜ୍ୟ ମାନବ ଅଧିକାର କମିସନ ପ୍ରତି ମୃତକଙ୍କ ପରିବାରକୁ ଦୁଇ ମାସ ମଧ୍ୟରେ ଅତିରିକ୍ତ ୨ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦେବା ପାଇଁ ଗତ ବର୍ଷ ଅଗଷ୍ଟ ୨୪ ତାରିଖରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଆଦେଶ ଦେଇଥିଲେ। କିନ୍ତୁ ତାହା ଅଦ୍ୟାବଧି ମିଳିପାରିନାହିଁ କିମ୍ବା ଗୁଳିକାଣ୍ଡରେ ଜଡ଼ିତ ପୁଲିସ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ସମ୍ବନ୍ଧିତ ଖବର