ଗୁଣପୁର ଚିଟ୍‌ଫଣ୍ଡ ଘୋଟାଲା : ଅଚଳ ହେଲା ସଂସ୍ଥାର ବ୍ୟାଙ୍କ ଅକାଉଣ୍ଟ

ଗୁଣପୁର : ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ଗରିବ ଲୋକଙ୍କ ଠାରୁ ୫କୋଟିରୁ ଊର୍ଧ୍ୱ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ପରେ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ତନାଘନା ଜାରି ରହିଛି। ଗତକାଲି ଏହି କାର୍ଯ୍ୟାଳୟରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କର ପାସ ବୁକ ସମେତ ମନି ରସିଦ୍‌ ମଧ୍ୟ ଯାଞ୍ଚ କରାଯାଇଛି।। ସେହିପରି ଜଲତାର ପଞ୍ଚାୟତର ସିଙ୍ଗାପୁରରେ ଥିବା ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି। ଜବତ ହୋଇଥିବା ପାସବୁକ ଗୁଡିକୁ ଅଚଳ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ନିର୍ଦେଶ ଜାରି କରାଯାଇଥିବା ଜଣାପଡିଛି।

ପ୍ରକାଶ ଥାଉକି, ଗତ କିଛି ମାସ ହେଲା ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ଶବର ବିହାର ଅଞ୍ଚଳରେ ଦାମନ ଓ ଲିଷ୍ଟ ନାମକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ପ୍ରଲୋଭନ ଦେଖା ଦିଆଯାଇଥିଲା। କିନ୍ତୁ ଚୁକ୍ତି ଅନୁଯାୟୀ ଟଙ୍କା ନମିଳିବାରୁ କିଛି ହିତାଧିକାରୀ ଗତ ଦିନରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ନିକଟରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଗତକାଲି ପ୍ରଶାସନ ଓ ପୁଲିସ ପକ୍ଷରୁ ଏହି କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଥିଲା।

ସମ୍ବନ୍ଧିତ ଖବର