ନୂଆ ବିବାଦରେ ଗୁରୁପ୍ରିୟା ସେତୁ : ପୁଣି ଢଳିଗଲା ୨ଟି ପାଇଲ

ମାଲକାନଗିରି : ପୁଣି ନୂଆ ବିବାଦରେ ଛନ୍ଦି ହୋଇଛି ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ଜୀବନରେଖା ଗୁରୁପ୍ରିୟା ସେତୁ। ଆଜି ୧୬ନମ୍ବର ପିଲର ବା ଖମ୍ବର ଦୁଇଟି ପାଇଲ ଆପେ ଆପେ ଢଳିଥିବା ଦେଖିବାକୁ ମିଳିଛି। ଯାହାଫଳରେ ପୁଣିଥରେ ଏହାର ନିର୍ମାଣ କାମରେ ରୋକ୍‌ ଲାଗିଛି।

ଗୁରୁପ୍ରିୟା ସେତୁ ଉପରେ କେବଳ ମାଲକାନଗିିରି ଅଧିବାସୀଙ୍କର ନୁହେଁ ସାରା ରାଜ୍ୟର ଦୃଷ୍ଟି ରହିଆସିଛି। ମାଲକାନଗିରିର ମାଓବାଦୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଲୋକମାନଙ୍କ ଗମନାଗମନ ସୁଗମ କରିବା ପାଇଁ ଏହା ହେଉଛି ସରକାରଙ୍କର ବହୁ ପ୍ରତୀକ୍ଷିତ ପ୍ରକଳ୍ପ। କିନ୍ତୁ, ନିର୍ମାଣ ଦିନଠାରୁ ହିଁ ଏହି ପ୍ରକଳ୍ପ ଚର୍ଚ୍ଚାରେ ରହି ଆସିଛି। ପ୍ରାୟ ଦେଢ଼ ବର୍ଷ ତଳେ ପୋଲର ୧୧ନମ୍ବର ପିଲରର ଦୁଇଟି ପାଇଲ ବଙ୍କା ହୋଇଯାଇଥିଲା। ସେହି ସମୟରେ ନିର୍ମାଣ ଶୈଳୀରେ ତ୍ରୁଟି ରହିଥିବା ଦର୍ଶାଇ ପୁଣି ଉଭୟ ପାଇଲକୁ ସଜଡା ଯାଇଥିଲା। ଏପରିକି ଗୋଟିଏ ପିଲରରେ ୩ଟି ବଦଳରେ ୬ଟି ପାଇଲ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ସେହି କାମ ସରିବା ବେଳକୁ ଗତବର୍ଷ ଜୁଲାଇ ମାସ ୨୫ ତାରିଖରେ ଗୋଟିଏ ଗାର୍ଡର ଖସି ପଡିଥିଲା। ସେତେବେଳେ ବିଭାଗୀୟ ଯନ୍ତ୍ରୀ ପବନ ଯୋଗୁଁ ଏଭଳି ହୋଇଥିବା କହି ବେଶ୍‌ ହାଲ୍‌କା ଭାବେ ଏହାକୁ ନେଇଥିଲେ। ଯାହାଫଳରେ ନିର୍ମାଣ ଦାୟିତ୍ୱରେ ଥିବା କଲିକତାର ରୋୟାଲ ଇନଫ୍ରା କଂପାନି ଅବହେଳା କରି ଚାଲିଥିଲା। ଆଉ ନିର୍ମାଣରେ ଶେଷ ପର୍ଯ୍ୟାୟରେ ସବୁ ଦାୟିତ୍ୱହୀନ କାର୍ଯ୍ୟ ଧରା ପଡିଯାଇଛି। ଆଉ ଅଳ୍ପଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥା’ନ୍ତା। ଏଥିପାଇଁ କାମ ମଧ୍ୟ ଜୋର୍‌ସୋର୍‌ରେ ଚାଲିଥିଲା। ଏପରିସ୍ଥଳେ ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଅପରପକ୍ଷେ, ନିର୍ମାଣ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଘଟଣାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଏଭଳି କିଛି ହୋଇଥିବା ତାଙ୍କ ନଜରକୁ ଆସିନାହିଁ। ୪ଟି ଜାଗାରେ ୬ଟି ଲେଖାଏଁ ପାଇଲ ଦିଆଯାଇଛି। ତେଣୁ ଗୋଟିଏ କିମ୍ବା ଦୁଇଟି ପାଇଲ ବଙ୍କା ହେଲେ ଏହାର କୌଣସି ପ୍ରଭାବ ପୋଲ ଉପରେ ପଡିବ ନାହିଁ ବୋଲି କହିଛନ୍ତି।

୪ କୋଟି ଟଙ୍କା ବ୍ୟୟ ଅଟକଳରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ବର୍ତମାନ ବ୍ୟୟବରାଦ ୧୭୨କୋଟିରେ ପହଞ୍ଚିଛି। ନିର୍ମାଣକାରୀ ସଂସ୍ଥା ରୋୟାଲ ଇନଫ୍ରାକୁ ନିର୍ଧାରିତ ମୂଲ୍ୟ ଠାରୁ ବି ଅଧିକ ୬୮କୋଟି ଟଙ୍କା ସରକାର ଦେଇଛନ୍ତି। ସେହିପରି ଡିଜାଇନ ପାଇଁ ଅନ୍ୟ ଏକ ସଂସ୍ଥାକୁ ୩.୬୮କୋଟି ଟଙ୍କା ଦିଆଯାଇଛି। ତଥାପି ବାରମ୍ବାର ପୋଲକୁ ନେଇ ବିଭ୍ରାଟ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର