ଉଦ୍‌ଘାଟନ ଅପେକ୍ଷାରେ ଗୁରୁପ୍ରିୟା ସେତୁ : ୩୦ରୁ କେନ୍ଦ୍ରୀୟ ଦଳ ପକ୍ଷରୁ ୩ୟ ପକ୍ଷ ଅଡିଟ୍‌

ଭୁବନେଶ୍ୱର : ଇତି ମଧ୍ୟରେ ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ ସରିଛି। ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନର ପରୀକ୍ଷା ପାଇଁ ପୂର୍ତ୍ତ ବିଭାଗର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଅଧୀନ ସେଣ୍ଟ୍ରାଲ୍‌ ରୋଡ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌(ସିଆରଆରଆଇ) ପକ୍ଷରୁ ତୃତୀୟ ପକ୍ଷ କ୍ୱାଲିଟି ଅଡିଟ୍‌ କରାଯିବ। ଏଥିପାଇଁ ସିଆରଆରଆଇର ଏକ ୬ଜଣିଆ ଦଳ ଆସୁଛନ୍ତି। ଆସନ୍ତା ୩୦ ତାରିଖରୁ ଏହି ଅଡିଟ୍‌ କାର୍ଯ୍ୟ ଆରମ୍ଭ ହେବ।

ପୂର୍ତ୍ତ ବିଭାଗର ସୂଚନା ମୁତାବକ ସିଆରଆରଆଇର ମୁଖ୍ୟ ବୈଜ୍ଞାନିକ ଡ. ରାଜୀବ ଗୋଏଲ୍‌ଙ୍କ ନେତୃତ୍ୱରେ ଏହି ଅଡିଟ୍‌ ଦଳ ସେମାନଙ୍କ କାମ ଆରମ୍ଭ କରିବେ। ଜୁନ୍‌ ୩ ତାରିଖ ମଧ୍ୟରେ ଅଡିଟ୍‌ କାର୍ଯ୍ୟ ସାରିବାର କାର୍ଯ୍ୟକ୍ରମ ରହିଛି। ସେତୁ ନିର୍ମାଣ ବେଳେ ଏକାଧିକ ବାର ଡିଜାଇନ ପରିବର୍ତନ ହେବା ସହିତ ଗୋଟିଏ ସ୍ପାନ୍‌ ଭୁଶୁଡିଥିଲା। ଫଳରେ ଏହାର ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ନେଇ ବିଭିନ୍ନ ମହଲରୁ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୂର୍ତ୍ତ ବିଭାଗ ପକ୍ଷରୁ ଅଡିଟ୍‌ କରିବାକୁ କେନ୍ଦ୍ରୀୟ ଦଳଙ୍କୁ ଅନୁରୋଧ କରାଯାଇଛି। ସେତୁ ଭୁଶୁଡ଼ିବା ହେଉ ବା ଡିଜାଇନ ବଦଳିବା କାରଣରୁ ଟଙ୍କାଏ ବି ଅଧିକ ସରକାରଙ୍କ ତହବିଲ୍‌ରୁ ଖର୍ଚ ହୋଇନଥିବା ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ କହିଛନ୍ତି। ସେ କହିବାନୁସାରେ ଇଞ୍ଜିନିୟରିଂ ପ୍ରୋକ୍ୟୁରମେଣ୍ଟ କନ୍‌ଷ୍ଟ୍ରକସନ୍‌(ଇପିସି) ଚୁକ୍ତିନାମା ଅନୁଯାୟୀ ସଂପୃକ୍ତ ଠିକା କମ୍ପାନି ପ୍ରକଳ୍ପ କାର୍ଯ୍ୟ କରିଛି। ଏହି ପ୍ରକଳ୍ପର ବ୍ୟୟ ଅଟକଳ ପ୍ରାୟ ୧୦୦ କୋଟି ହୋଇଥିବା ବେଳେ ଇପିସି ଅନୁଯାୟୀ ଠିକା କମ୍ପାନି ପ୍ରାୟ ୧୬୭ କୋଟି ଟଙ୍କାରେ କାର୍ଯ୍ୟ କରିବାକୁ ଚୁକ୍ତିବଦ୍ଧ ହୋଇଛି। ଜଳଭଣ୍ଡାରର ଗଭୀର ଜଳରେ ସେତୁ ନିର୍ମାଣ କରାଯାଇଛି। ବିଶେଷ କରି ଗୋଟିଏ ସ୍ପାନରର ପ୍ରାୟ ୬୦ ମିଟରର ଗାର୍ଡରର ଦୈଘ୍ୟରେ ନିର୍ମାଣ କରାଯିବା ଉଲ୍ଲେଖନୀୟ ବିଷୟ। ୯୧୦ ମିଟର ଦୈଘ୍ୟର ଏହି ସେତୁ କାର୍ଯ୍ୟକ୍ଷମ ହେଲେ କାଲିମେଳା ଓ ଚିତ୍ରକୋଣ୍ଡା ଜଳଭଣ୍ଡାର ଯୋଗୁଁ ଜଳବନ୍ଦୀ ପ୍ରାୟ ୧୫୦ ଗ୍ରାମର ୩୦ ହଜାର ଗ୍ରାମବାସୀଙ୍କ ପାଇଁ ଗମନାଗମନର ସୁବିଧା ହୋଇପାରିବ। ସେହିପରି ବାମପନ୍ଥୀ ଉଗ୍ରବାଦ ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଉଛି। ତେବେ ଜୁନ୍‌ ମାସ ୧୫ ତାରିଖ ବେଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର ସମ୍ଭାବନା ଥିବା ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର