ପିସି କାରବାର ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ: ଗୁରୁପ୍ରିୟା ସେତୁ ସରିଲା, ଜୁନ୍‌ରେ ଉଦ୍‌ଘାଟନ

ପ୍ରତିମାସରେ ହାରାହାରି ୩ଟି ସେତୁ, ପ୍ରତିଦିନ ୫.୬୦ କି.ମି. ରାସ୍ତା, ୧୫୪ ସେତୁ ମଧ୍ୟରୁ ୩ଟି ଭୁଶୁଡ଼ିଛି

ଭୁବନେଶ୍ୱର : ପୂର୍ତ୍ତ ବିଭାଗରେ ରାସ୍ତା, ସେତୁ ନିର୍ମାଣରେ ବ୍ୟାପକ ପିସି କାରବାର ଚାଲିଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ବିଶେଷ କରି ଭୁବନେଶ୍ୱରର ବମିଖାଲ ଓ ଗୁରୁପ୍ରିୟା ସେତୁ ନିର୍ମାଣରେ ଏଭଳି କାରବାର ହୋଇଛି। ଏହାକୁ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ପିସି କାରବାର ଧର୍ତବ୍ୟ ଅପରାଧ। ପିସି ଦେଉଥିବା ଏବଂ ନେଉଥିବା ବ୍ୟକ୍ତି ଉଭୟେ ଆଇନ ଆଗରେ ଦୋଷୀ। ପିସି କାରବାର ଧରାପଡ଼ିଲେ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ତ୍ତ ବିଭାଗର ସମୀକ୍ଷା କରିଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିଭାଗର ବିଭିନ୍ନ ସଫଳତା ବର୍ଣ୍ଣନା କରିଥିଲେ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଲେ, ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଲାଣି। ଜୁନ୍‌ ମାସରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିବେ। ୯୧୦ ମିଟର ଦୈଘ୍ୟର ଏହି ସେତୁ କାର୍ଯ୍ୟକ୍ଷମ ହେଲେ କାଲିମେଳା ଓ ଚିତ୍ରକୋଣ୍ଡା ଜଳଭଣ୍ଡାର ଯୋଗୁଁ ଜଳବନ୍ଦୀ ପ୍ରାୟ ୧୫୦ ଗ୍ରାମର ୩୦ ହଜାର ଗ୍ରାମବାସୀଙ୍କ ପାଇଁ ଗମନାଗମନର ସୁବିଧା ହୋଇପାରିବ। ତେବେ ଏହାକୁ ମାଓବାଦୀମାନେ ବିରୋଧ କରୁଛନ୍ତି। ସେଥିପାଇଁ ସିସିଟିଭି କ୍ୟାମେରା ସହିତ କଡ଼ା ନିରାପତ୍ତା ବ୍ୟବସ୍ଥା କରାଯାଉଛି। ତେବେ ଗୁରୁପ୍ରିୟା ସେତୁ ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଥିଲେ।

ବମିଖାଲ୍‌ ସେତୁ ଓ ଅନ୍ୟାନ୍ୟ ସେତୁ ନିର୍ମାଣ ସହିତ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ, ଗତ ଚାରିବର୍ଷରେ ୧୫୪ଟି ସେତୁ ନିର୍ମାଣ ହୋଇଛି। ସେଥିମଧ୍ୟରୁ ୨/୩ଟି ଭୁଶୁଡ଼ିଛି। ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ମିଳିଲେ, ତା’ର ଗୁଣାତ୍ମକ ମାନ ନେଇ ପରୀକ୍ଷା କରାଯାଉଥିବା ସେ କହିଥିଲେ। ଗତ ୧୮ ବର୍ଷରେ ବିଭାଗ ପକ୍ଷରୁ ୧୬୦୫୨ କି.ମି. ରାସ୍ତାର ଉନ୍ନତୀକରଣ, ୧୦ଟି ରେଳ ଓଭରବ୍ରିଜ୍‌ ସମେତ ୩୭୧ଟି ସେତୁ, ୩ଟି ଫ୍ଳାଏ-ଓଭରବ୍ରିଜ୍‌ କାର୍ଯ୍ୟ କରାଯାଇଛି। ଗତ ଚାରିବର୍ଷରେ ବିଭାଗ ପକ୍ଷରୁ ସଂପୂର୍ଣ୍ଣ ହୋଇଛି ୮୧୭୬ କି.ମି. ରାସ୍ତା, ୧୫୪ଟି ସେତୁ(୫ଟି ରେଳ ଓଭରବ୍ରିଜ୍‌, ୧ଟି ଫ୍ଳାଏ-ଓଭରବ୍ରିଜ୍‌)। ଏହି ହିସାବରେ ପ୍ରତିଦିନ ହାରାହାରି ୫.୬୦ କି.ମି. ରାସ୍ତାର ଉନ୍ନତୀକରଣ ଏବଂ ପ୍ରତିମାସରେ ୩ଟି ସେତୁ (୧ଟି ବୃହତ୍‌ ଏବଂ ୨ଟି କ୍ଷୁଦ୍ର) ନିର୍ମାଣ କାର୍ଯ୍ୟ ସଂପନ୍ନ ହେଉଛି। ଏହି ସମୟ ମଧ୍ୟରେ ମହାନଦୀ ଉପରେ ୪ଟି ସେତୁର ନିର୍ମାଣ କାର୍ଯ୍ୟ ସରିଛି। ଚଳିତ ବର୍ଷ ମହାନଦୀ ଉପରେ ଆଉ ଗୋଟିଏ ସେତୁ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ।

ବିଭାଗୀୟ ସଫଳତା ମଧ୍ୟରେ ଉଲ୍ଲେଖନୀୟ ହେଉଛି ପଶ୍ଚିମ ଓଡ଼ିଶା ଏବଂ କେବିକେ ଦେଇ ଗତି କରୁଥିବା ଜଗ୍‌ଦଲ୍‌ପୁରଠାରୁ ରାଉରକେଲା ସଂଯୋଗ ନିମନ୍ତେ ୬୩୯ କି.ମି.ର ବିଜୁ ଏକ୍ସପ୍ରେସ୍‌ ହାଇେଓ୍ଵ। ଏଥିମଧ୍ୟରୁ ରାଉରକେଲା-ସମ୍ବଲପୁର ୧୬୩ କି.ମି. ରାସ୍ତା ସଂପୂର୍ଣ୍ଣ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇସାରିଛି। ହୀରାକୁଦ ଜଳଭଣ୍ଡାର ଉପରେ ପଶ୍ଚିମ ଓଡ଼ିଶାର ଦୀର୍ଘତମ ଇବ୍‌ ନଦୀ ସେତୁ ଓ ମହାନଦୀ ଉପରେ ୨.୫ କି.ମି. ଦୈଘ୍ୟ ଉତ୍କଳ ଗୌରବ ମଧୁସୂଦନ ସେତୁ ନିର୍ମାଣ ସରିଛି। ସେହିପରି ୩ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୮ଟି କଲେଜ, ୪ଟି ମେଡିକାଲ୍‌ କଲେଜ, କଳିଙ୍ଗ ଷ୍ଟାଡିୟମର ଆଧୁନିକୀକରଣ ଆଦି କାର୍ଯ୍ୟ ସରିଥିବା ବେଳେ ଆଗାମୀ ଦିନରେ ସ୍ମାର୍ଟ ସିଟିର ଭିତ୍ତିଭୂମି, ରାଜଧାନୀରେ ୪୦ କି.ମି. ସାଇକେଲ୍‌ ପଥ ନିର୍ମାଣ ପ୍ରଭୃତି କାର୍ଯ୍ୟ ତାଙ୍କ ବିଭାଗ ହାତକୁ ନେଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ସମ୍ମିଳନୀରେ ବିଭାଗୀୟ ସଚିବ ନଳିନୀକାନ୍ତ ପ୍ରଧାନ, ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର