ଭୁବନେଶ୍ୱର : ମାଲକାନଗିରିରେ ଗୁରୁପ୍ରିୟା ସେତୁ ଉଦ୍ଘାଟନ ହୋଇଥିଲା ବେଳେ ଏହାର ଶ୍ରେୟ ନେବାକୁ ରାଜନୈତିକ ଦଳ ମଧ୍ୟ ଟଣାଓଟରା ଆରମ୍ଭ ହୋଇଛି। ସମସ୍ତେ ଗୁରୁପ୍ରିୟା ସେତୁକୁ ସ୍ୱାଗତ କରିଥିଲେ ବି କେହି ଅପର ପକ୍ଷକୁ ଶ୍ରେୟ ଦେବାକୁ ଚାହିଁ ନାହାନ୍ତି। ତିନି ପ୍ରମୁଖ ଦଳର ଏହି ପ୍ରସଙ୍ଗରେ ବୟାନବାଜି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗୁରୁପ୍ରିୟା ସେତୁ ଉଦ୍ଘାଟନ ହେଲା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ବି ପଟ୍ଟନାୟକଙ୍କ ସ୍ୱପ୍ନ ସାକାର ହୋଇଛି। ସେ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଏହି ସେତୁର ପରିକଳ୍ପନା କରିଥିଲେ ଓ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାଙ୍କରି ସମୟରେ ଟେଣ୍ଡର୍ ଡକାଯାଇ କାର୍ଯ୍ୟାଦେଶ ବି ଦିଆଯାଇଥିଲା। କିନ୍ତୁ ନକ୍ସଲ ଉପଦ୍ରବ ଯୋଗୁଁ କାମ ଆରମ୍ଭ ହୋଇପାରି ନ ଥିଲା। ଯଦି ଗୁରୁପ୍ରିୟା ସେତୁର ଶ୍ରେୟ ନେବାକୁ ଶାସକ ବିଜେଡି ବିକଳ ହେଉଛି, ତେବେ ରାଜ୍ୟରେ ବଢ଼ିଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର, ବେରୋଜଗାରୀ ଓ ମହିଳାଙ୍କ ବିରୋଧରେ ହିଂସାର ଶ୍ରେୟ କାହିଁକି ବିଜେଡି ନେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ଗୁରୁପ୍ରିୟାକୁ ଜେବିଙ୍କ ସ୍ୱପ୍ନର ପ୍ରକଳ୍ପ ଭାବେ ଗ୍ରହଣ କରିବାକୁ ନାରାଜ ରାଜ୍ୟ ବିଜେପି। ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ବିଗତ ଦିନରେ ୧୦ ବର୍ଷ ଧରି ଉପା ସରକାର କେନ୍ଦ୍ରରେ ଥିଲା। ଯଦି ଏହା ସ୍ୱପ୍ନର ପ୍ରକଳ୍ପ ଥିଲା, ତେବେ ଉପା ସରକାର ସମୟରେ ତାହାକୁ କାର୍ଯ୍ୟକାରୀ କରାଇବାକୁ କିଏ ମନା କରିଥିଲା ? ଦଳର ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ଗୁରୁପ୍ରିୟା ସେତୁରେ କେନ୍ଦ୍ରୀୟ ଅନୁଦାନ ଥିବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଜଣେ ବି ପ୍ରତିନିଧିଙ୍କୁ ନିମନ୍ତ୍ରଣ ନ କରାଯିବା ନିନ୍ଦନୀୟ। ପୂର୍ବରୁ ୧୧ ଥର ଟେଣ୍ଡର୍ ହୋଇଥିଲେ ବି କାମ ହୋଇପାରୁ ନ ଥିଲା। କେନ୍ଦ୍ରରେ ମୋଦି ସରକାର ଆସିଲା ପରେ ବିଏସ୍ଏଫ୍ ଜବାନ୍ଙ୍କ ସୁରକ୍ଷା ବଳୟରେ ସେଠାରେ କାମ ହେଲା। କିନ୍ତୁ ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର କିମ୍ବା ଜବାନ୍ଙ୍କୁ ଶ୍ରେୟ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେଡି ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି, ବହୁ ପ୍ରତିବନ୍ଧକ ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କ ଶାସନରେ ଗୁରୁପ୍ରିୟା ସେତୁ ପୂର୍ଣ୍ଣାଙ୍ଗ ରୂପ ନେଲା। ତେଣୁ ସେତୁର ଶ୍ରେୟ କାହାର, ତାହାର ନିଷ୍ପତ୍ତି ଓଡ଼ିଶାର ଜନସାଧାରଣ ନେବେ।