ସ୍କୁଲ କ୍ୟାମ୍ପସରେ ଗୁଟ୍‌ଖା ମନା : ମଦ୍ୟପାନ କରି ଆସିଲେ ବହିଷ୍କୃତ ହେବେ ଶିକ୍ଷକ, କ୍ୟାମ୍ପସ୍‌ ନିକଟରୁ ନିଶା ଦୋକାନ ହଟାଇବାକୁ ନିର୍ଦେଶ

ଭୁବନେଶ୍ବର : ଯଦି ଶିକ୍ଷକ କିମ୍ବା କର୍ମଚାରୀ ମଦ୍ୟପାନ/ନିଶାଦ୍ରବ୍ୟ ସେବନ କରି ବିଦ୍ୟାଳୟ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓସିଏସ୍‌(ସିସିଏ ରୁଲ୍‌ସ) ୧୯୬୨ର ରୁଲ୍‌-୧୬ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବହିଷ୍କାର ପରି ଦଣ୍ଡ ବି ମିଳିପାରେ। କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା‌ ନିର୍ଦେଶ ଜାରି ହୋଇଛି।

ତିନି ବର୍ଷ ହେଲା ଓଡ଼ିଶାରେ ଛାତ୍ରୀ ନିର୍ଯାତନା ଅଭିଯୋଗ ବଢ଼ି ଚାଲିଛି। କେଉଁଠି ଶିକ୍ଷକମାନେ କ୍ୟାମ୍ପସ୍‌କୁ ମଦ୍ୟପାନ କରି ଆସୁଛନ୍ତି ତ ଆଉ କେଉଁଠି ଶିକ୍ଷକଙ୍କ ଗାଡ଼ି ଡିକିରୁ ମଦ ବାହାରୁଛି। କେଉଁଠି ନାବାଳିକା ଗର୍ଭବତୀ ହେବାର ମଧ୍ୟ ଅଭିଯୋଗ ହେଉଛି। ଗତ ଶିକ୍ଷାବର୍ଷରେ ଏନେଇ ବାରମ୍ବାର ଅଭିଯୋଗ ଆସିଥିବାରୁ ଏଥର ବିଭାଗ ପକ୍ଷରୁ ପୁଣିଥରେ ଗାଇଡ୍‌ଲାଇନ୍‌ ଜାରି ହୋଇଛି। କୌଣସି ସ୍ଥାନରେ ଯଦି ଛାତ୍ରଛାତ୍ରୀଙ୍କ ଅଧିକାର ଓ ସୁରକ୍ଷା ବାଧାପ୍ରାପ୍ତ ହେଉଥିବା ଦୃଷ୍ଟିକୁ ଆସେ, ‌ତେବେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। କ୍ଲାସରୁମ୍‌ଠାରୁ କ୍ୟାମ୍ପସ, ମଧ୍ୟାହ୍ନଭୋଜନ, ବିଲଡି˚ରେ ଛାତ୍ରଛାତ୍ରୀ କିଭଳି ସୁରକ୍ଷିତ ରହିବେ, ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି।

ବଡ଼ ନିଷ୍ପତ୍ତିକ୍ରମେ କ୍ୟାମ୍ପସ୍‌ର ଶହେ ମିଟର ମଧ୍ୟରେ ନିଶା ସାମଗ୍ରୀ ବିକ୍ରି ଉପରେ କଟକଣାକୁ କଡ଼ାକଡ଼ି କରିବାକୁ କୁହାଯାଇଛି। କ୍ୟାମ୍ପସ୍‌ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ପଦକ୍ଷେପ ନିଆଯିବ। ଏଥିସହ କ୍ୟାମ୍ପସ୍‌ର ପ୍ରମୁଖ ସ୍ଥାନରେ ନିଶାଦ୍ରବ୍ୟ ସେବନ ବାରଣ ନେଇ ସଚେତନତା ପୋଷ୍ଟର ଲଗାଇବାକୁ କୁହାଯାଇଛି। ସବୁ କ୍ୟାମ୍ପସ୍‌ରେ ପାଚେରି ବାଧ୍ୟତାମୂଳକ କରାଯିବା ସହ କ୍ଲାସ ଚାଲିଥିବା ସମୟରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବା, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ସ୍କୁଲ ନିକଟରେ ଟ୍ରାଫିକ୍‌ ନିୟୋଜନ, ସ୍ଥାନୀୟ ପୁଲିସ ଦ୍ବାରା ବସ୍‌ଗୁଡ଼ିକର ଚାଳକ ଓ କଣ୍ତକ୍ଟର୍‌ଙ୍କ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। କ୍ୟାମ୍ପସ୍‌ରେ ଯେପରି ବିଦ୍ୟୁତ୍‌ ତାର ଓହଳି ନ ରହିବ, ଖୋଲା କୂଅ ଓ ବାମ୍ଫି ନ ରଖିବା, କ୍ଲାସରୁମ୍‌କୁ ନିୟମିତ ସଫା, କାନ୍ଥକୁ ଲାଗି ବ୍ଲାକବୋର୍ଡ ରଖିବା, କ୍ଲାସରୁମ୍‌କୁ ପବନ ଚଳପ୍ରଚଳ କରୁଥିବା ଭଳି ବ୍ୟବସ୍ଥା ହେବା ଆବଶ୍ୟକ। ଯଦି କୌଣସି ସ୍ଥାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ ଅବହେଳା ହେଉଥିବ, ତେବେ ଇଣ୍ତିଆନ୍‌ ପେନାଲ କୋଡ୍‌(ଆଇପିସି)ର ବିଭିନ୍ନ ଧାରା, ଅନୁସୂଚିତ ଜାତି ଓ ଜନଜାତି ଆଇନ, ସିଭିଲ୍‌ ରାଇଟ୍‌ସ୍‌ ଆକ୍ଟ, ଶିଶୁଙ୍କ ଯୌନଶୋଷଣ ଆଇନ ୨୦୧୨, ଶିକ୍ଷା ଅଧିକାର ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୩ ଡିସେମ୍ବର ୨୭ରେ ମାଧ୍ୟମିକ ଶିକ୍ଷା, ପ୍ରାଥମିକ ଶିକ୍ଷା, ଉଚ୍ଚ ମାଧ୍ୟମିକ ଶିକ୍ଷା, ଟିଇ ଓ ଏସ୍‌ସିଇଆରଟି, ରାମସା ଏବ˚ ଓପେକା କତୃର୍ପକ୍ଷଙ୍କୁ ଚିଠି ଲେଖାଯାଇଥିଲା। ଏବେ ନିୟମକୁ କଡ଼ାକଡ଼ି ଲାଗୁ କରିବା ଲାଗି ପୁଣିଥରେ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର