ଓଡ଼ିଶାରେ ଲୁଚିଛି ହବିବୁର୍‌ ସହଯୋଗୀ

ରିଆଧ୍‌ରେ ଗୋଟିଏ ଘରେ ଏକାଠି ରହୁଥିଲେ, ଘନିଷ୍ଠ ସହଯୋଗୀ ନେମାଳ ବାସିନ୍ଦା 

କଟକ : ଲସ୍କର-ଏ-ତୋଏବା ଉଗ୍ରବାଦୀ ସଂଗଠନ ସହ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ହବିବୁର ରହେମାନ୍‌ର ଘନିଷ୍ଠ ସହଯୋଗୀ ଏବେ ଲୁଚିଛି କଟକ-କେନ୍ଦ୍ରାପଡ଼ା-ଜଗତସିଂହପୁର ସୀମାବର୍ତ୍ତୀ ଅଞ୍ଚଳରେ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମନାକୁ ଆସିବା ପରେ ଓଡ଼ିଶା ପୁଲିସ୍‌ ହବିବୁରର ଘନିଷ୍ଠ ସହଯୋଗୀକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ହବିବୁରର ଏହି ଘନିଷ୍ଠ ସହଯୋଗୀ କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ସେହି ଯୁବକ ହବିବୁର ସହିତ ରିଆଧରେ ଗୋଟିଏ ରୁମ୍‌ରେ ରହୁଥିଲା। ହବିବୁର ସହ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ସାମିଲ ହେଉଥିଲା। ସେମାନେ ଅନେକ ସମୟ ସେଠାରେ ରୁମ୍‌ ବନ୍ଦ କରି ରହୁଥିଲେ। କାହା ସହିତ ବିଶେଷ ସଂପର୍କ ରଖୁ ନଥିଲେ। ଆତଙ୍କବାଦୀ ନେଟଓ୍ଵର୍କ ପରିଚାଳନା ସେମାନେ ସେହି ରୁମରେ ରହି କରୁଥିବା ସୂଚନା ମିଳିଛି। କିନ୍ତୁ ପୂର୍ବରୁ ଏନଆଇଏ ହବିବୁର ଉପରେ ନଜର ରଖିଥିଲେ ବି ଓଡ଼ିଶାର ତା’ର ଏହି ଘନିଷ୍ଠ ସହଯୋଗୀ ନଜରରେ ନଥିଲା। ହବିବୁର ଭାରତ ଆସିବା ସମୟରେ ସେ ସେଠାରୁ ଓଡ଼ିଶାକୁ ଚାଲି ଆସିଥିବା ଜଣାପଡ଼ିଛି। ହବିବୁରକୁ ଜେରା ସମୟରେ ତା’ର ଏହି ଘନିଷ୍ଠ ସହଯୋଗୀ ସଂପର୍କରେ ସୂଚନା ମିଳିଛି। ଏନ୍‌ଆଇଏ ସୂତ୍ରରୁ ଓଡ଼ିଶା ପୁଲିସକୁ ଏଭଳି ସୂଚନା ମିଳିବା ପରେ ଏବେ ପୁଲିସ୍‌ ହବିବୁରର ସେହି ଘନିଷ୍ଠ ସହଯୋଗୀକୁ ଧରିବା ପାଇଁ ଜାଲ ବିଛାଇବା ଆରମ୍ଭ କରିଛି। ଅନ୍ୟପଟେ ଏଭଳି ଘଟଣାରୁ ହବିବୁରର ଅନେକ ସହଯୋଗୀ କଟକ-କେନ୍ଦ୍ରାପଡ଼ା-ଜଗତସିଂହପୁର ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଂଚାୟତ ମୀର ମହଲା ମୁସଲିମ ବସ୍ତିର ବାସିନ୍ଦା ହେଉଛି ହବିବୁର ରହେମାନ୍‌। ତା’ର ସହଯୋଗୀ କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳର କୁହାଯାଉଛି। ଅନ୍ୟପଟେ ତେଣ୍ଡାକୁଡା ଓ ଜଗତସିଂହପୁର ଅଞ୍ଚଳର କ୍ରିଷ୍ଣାନନ୍ଦପୁର ଅଞ୍ଚଳ ଏହିଭଳି ଅପରାଧୀଙ୍କ ଆଡାସ୍ଥଳ ପାଲଟିଥିବା ଅଭିଯୋଗ ହୋଇଆସିଛି। ହବିବୁରର ଗୋଟିଏ ଭାଇ ଓ ବାପା ଏବେ ଗାଁରେ ରହୁଛନ୍ତି। ଅନ୍ୟ ଜଣେ ଭାଇ ସାଉଦି ଆରବରେ ରହୁଛନ୍ତି। ହବିବୁରର ଦୁଇ ଭାଇଙ୍କୁ ୬ ମାସ ତଳେ ଏନଆଇଏ ଦିଲ୍ଲୀ ଡାକି ଜେରା କରିଥିଲା। କିନ୍ତୁ କୌଣସି ଠୋସ ପ୍ରମାଣ ନ ପାଇ ଛାଡ଼ି ଦେଇଥିଲା। ଗଲା ୬ ତାରିଖରେ ହବିବୁର ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ ହେବା ପରେ ତା’ର କାରନାମା ସଂପର୍କରେ ଗୋଟିଏ ପରେ ଗୋଟିଏ ଘଟଣା ସାମନାକୁ ଆସୁଛି। କିନ୍ତୁ ବେଶ୍‌ ସୁରକ୍ଷିତ ଆଉ ସତର୍କତାର ସହ ନିଜର କାର୍ଯ୍ୟକଳାପ ହବିବୁର ଚଳାଇ ଆସିଥିବା ବେଳେ ଏନଆଇଏ ହାତରେ ଧରା ପଡିଯିବା ପରେ ତା’ ନେଟଓ୍ଵାର୍କ ଗୁମର ଫିଟିବାରେ ଲାଗିଛି। କଟକ ଜିଲ୍ଲାର ତା’ର ସହଯୋଗୀର ନାମ ଏବେ ସାମନାକୁ ଆସିବା ଘଟଣା ଚର୍ଚ୍ଚା ତଥା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର