ଅସୁସ୍ଥ ହବିଷ୍ୟାଳିଙ୍କ ସଂଖ୍ୟା ବଢ଼ୁଛି : ୭ ଦିନରେ ୮୮ ଡାକ୍ତରଖାନାରେ ଭର୍ତି

ପୁରୀ : ସେବା ନାଁରେ ହବିଷ୍ୟାଳିଙ୍କ ଯନ୍ତ୍ରଣା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ଓଳିକିଆ ଖାଉଥିବା ହବିଷ୍ୟାଳିମାନଙ୍କ ଖାଦ୍ୟପେୟରେ ଅବ୍ୟବସ୍ଥା କାରଣରୁ ଆଶ୍ରୟସ୍ଥଳୀରେ ଅସୁସ୍ଥଙ୍କ ସଂଖ୍ୟା ବଢ଼ିଚାଲିଛି। ଖାଦ୍ୟ ସେବନରେ ବିଳମ୍ବ ଯୋଗୁ ଦୈନିକ ହବିଷ୍ୟାଳିମାନେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହେଉଛନ୍ତି। ସେପଟେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ହବିଷ୍ୟାଳିମାନେ ଆଶ୍ରୟସ୍ଥଳୀ ଛାଡ଼ି ଘରକୁ ଫେରି ଯାଉଛନ୍ତି।

ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳିଙ୍କ ରହିବା ପାଇଁ ରାଜ୍ୟ ସରକାର ରେଳବାଇ ଯାତ୍ରୀନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ପୌରପାଳିକା କଲ୍ୟାଣ ମଣ୍ଡପ ଓ ଶ୍ରୀଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ରରେ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିଛନ୍ତି। ପ୍ରାୟ ୨୬୦୦ରୁ ଅଧିକ ହବିଷ୍ୟାଳି ବିଭିନ୍ନ ଆଶ୍ରୟସ୍ଥଳୀରେ ରହିଛନ୍ତି। ଆଶ୍ରୟସ୍ଥଳୀରେ ହବିଷ୍ୟାଳିମାନଙ୍କୁ ରହିବା, ଖାଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ହବିଷ୍ୟାଳି ଯୋଜନାରେ ଯୋଗାଇ ଦିଆଯାଉଥିବା ମହାପ୍ରସାଦ ସେବନରେ ଅହେତୁକ ବିଳମ୍ବ ହବିଷ୍ୟାଳିଙ୍କ ସ୍ବାସ୍ଥ୍ୟବସ୍ଥା ବିଗାଡ଼ିବାରେ ଲାଗିଛି। ଓଳିକିଆ ଖାଉଥିବା ହବିଷ୍ୟାଳିଙ୍କୁ କେବଳ ଚା’ ଦେଇ ଦିନଯାକ ଖାଡ଼ା ଉପବାସ ରଖାଯାଉଛି। ସଂଧ୍ୟା ୫ଟା ପରେ ସେମାନେ ମହାପ୍ରସାଦ ସେବନ କରୁଛନ୍ତି। ଅଧିକ ସମୟ ଭୋକରେ ରହିବା ଫଳରେ ଝାଡ଼ାବାନ୍ତି, ଦୁର୍ବଳତା, ରକ୍ତଚାପ କାରଣରୁ ହବିଷ୍ୟାଳିମାନେ ଅସୁସ୍ଥ ହେଉଛନ୍ତି। ଡାକ୍ତରୀ ରିପୋର୍ଟ ମୁତାବକ, ଗତ ୨୫ ତାରିଖରୁ ଆଜି ପର୍ଯ୍ୟନ୍ତ ୮୮ ଜଣ ହବିଷ୍ୟାଳି ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଏହା ଭିତରେ ବହୁ ହବିଷ୍ୟାଳି ଶିବିର ବି ଛାଡ଼ି ସାରିଲେଣି। ଯଥାଶୀଘ୍ର ମହାପ୍ରସାଦ ସେବନର ସମୟ ପରିବର୍ତନ କରାନଗଲେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର