ସୁବ୍ୟବସ୍ଥିତ ହେଉନି ହବିଷ୍ୟାଳିଙ୍କ ମହାପ୍ରସାଦ ସେବନ

ପୁରୀ : ମହାପ୍ରସାଦ ସେବନରେ ସମୟ ପରିବର୍ତନ ନହେବାରୁ ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୈନିକ ୧୦ରୁ ୨୦ଜଣ ହବିଷ୍ୟାଳି ମେଡିକାଲରେ ଭର୍ତି ହେଉଛନ୍ତି। ହବିଷ୍ୟାଳିମାନେ ଆସି ଆଶ୍ରୟସ୍ଥଳୀରେ ରହିବା ୧୨ ଦିନ ବିତିଛି କି ନାହିଁ ଅସୁସ୍ଥଙ୍କ ସଂଖ୍ୟା ୧୬୫ ଛୁଇଁଲାଣି। ଯଦି ମହାପ୍ରସାଦ ସେବନ ସମୟରେ ପରିବର୍ତନ କରାନଯାଏ, ଆଗକୁ ଯେ ଏହି ସଂଖ୍ୟା ଖୁବଶୀଘ୍ର ୫୦୦ ଛୁଇଁବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କାରଣ ହବିଷ୍ୟାଳିମାନେ ଆହୁରି ୧୮ ଦିନ ଆଶ୍ରୟସ୍ଥଳୀରେ ରହିବେ। ଯଦି ଏବେଠୁ ପରିସ୍ଥିତିରେ ସୁଧାର ଅଣାନଯାଏ, ଏହି ପରିସ୍ଥିତି ଯେ ଅସମ୍ଭାଳ ହୋଇପଡ଼ିବ ଏଥିରେ ଦ୍ବିମତ ନାହିଁ। ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ହବିଷ୍ୟାଳିଙ୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାରି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଥିବାବେଳେ ଏଠାରେ ୨୬୦୦ରୁ ଅଧିକ ହବିଷ୍ୟାଳି ରହୁଛନ୍ତି। ଦୈନିକ ଏଠାରେ ହବିଷ୍ୟାଳିଙ୍କୁ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି। କିନ୍ତୁ ଆରମ୍ଭରୁ ହବିଷ୍ୟାଳି ଓ ସେମାନଙ୍କ ପରିବାର ଲୋକେ ମହାପ୍ରସାଦ ସେବନର ସମୟ ପରିବର୍ତନ ନେଇ ଦାବି କରି ଆସୁଥିଲେ ବି ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନି। ଯେଉଁଥିପାଇଁ ହବିଷ୍ୟାଳି ଅସୁସ୍ଥଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। କାରଣ ଦୈନିକ ହବିଷ୍ୟାଳିମାନେ ସଂଧ୍ୟା ୬ଟାରୁ ମହାପ୍ରସାଦ ସେବନ ଆରମ୍ଭ କରୁଛନ୍ତି। ଖାଇବା ଶେଷ ହେଲା ବେଳକୁ ରାତି ୮ଟା ହୋଇଯାଉଛି। ଓଳିକିଆ ଖାଉଥିବା ହବିଷ୍ୟାଳିମାନେ ଏତେ ବିଳମ୍ବରେ ଖାଇବାରୁ ନାନାଦି ପେଟ ରୋଗରେ ପଡ଼ୁଛନ୍ତି। ଜ୍ବର, ଝାଡ଼ାବାନ୍ତି ଆଦି ରୋଗରେ ଦୈନିକ ହବିଷ୍ୟାଳିମାନେ ମେଡିକାଲରେ ଭର୍ତି ହେଉଛନ୍ତି। ଜିଲ୍ଲା ପ୍ରଶାସନ ଚାହିଁଲେ ମହାପ୍ରସାଦ ସେବନର ସମୟ ପରିବର୍ତନ କରି, ଏହି ଦୂରାବସ୍ଥାରେ ପରିବର୍ତନ ଆଣିପାରନ୍ତେ। କିନ୍ତୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେକ କରୁନି। ଯାହାର ପରିଣାମ ଭୋଗୁଛନ୍ତି ହବିଷ୍ୟାଳି। ସମୟ ପରିବର୍ତନ ହେଉନଥିବାରୁ ଖାଦ୍ୟ ଗ୍ରହଣରେ ଅହେତୁକ ବିଳମ୍ବ କାରଣରୁ ହବିଷ୍ୟାଳିମାନେ ଝାଡ଼ା, ବାନ୍ତି, ଜ୍ବର ଆଦି ରୋଗରେ ପଡ଼ି ନିତି ଡାକ୍ତରଖାନାରେ ଭର୍ତି ହେଉଛନ୍ତି। ଆଜି ବି ୧୫ଜଣ ହବିଷ୍ୟାଳି ଅସୁସ୍ଥତା କାରଣରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର