କ୍ରାଇମବ୍ରାଞ୍ଚ ଇଓଡବ୍ଲୁକୁ ଝଟ୍‌କା : ହାଲ୍‌ କର୍ମଚାରୀଙ୍କୁ ଜମି ଠକେଇ ଅଭିଯୋଗ ମାମଲା ରଦ୍ଦ

ଠୋସ୍‌ ପ୍ରମାଣ ନଥାଇ ଦାଖଲ ହୋଇଥିଲା ଚାର୍ଜସିଟ୍‌

କଟକ : ତଦନ୍ତ ସମୟରେ ଠୋସ୍‌ ପ୍ରମାଣ ମିଳି ନଥିଲେ ବି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଦାଖଲ କରିଛି ଚାର୍ଜସିଟ୍‌। ଏଭଳି ଟିପ୍ପଣୀ ଦେଇ ଏକ ଠକେଇ ଅଭିଯୋଗ ମାମଲାକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ଫଳରେ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଇଓଡବ୍ଲୁକୁ ଝଟ୍‌କା ଲାଗିଛି।

ସୂଚନା ଅନୁଯାୟୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌(ହାଲ୍‌)ର ୫୪୦ ଜଣ କର୍ମଚାରୀଙ୍କୁ ଜମି ଓ ଘର ଦେବା ନାଁରେ ଗଜାନନ ପ୍ରପର୍ଟି ଡିଲର ଆଣ୍ଡ୍‌ କନଷ୍ଟ୍ରକସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥା ବିରୋଧରେ ଠକେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗଜାନନ ପ୍ରପର୍ଟିର ପରିଚାଳନା ନିର୍ଦ୍ଦେଶକ ନିରଂଜନ ପରିଡା ଓ ନିର୍ଦ୍ଦେଶକ ଏଲ୍‌.ପରିଡାଙ୍କ ବିରୋଧରେ ୨୦୧୫, ମେ’ ୧୨ରେ କଟକ ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ଏହା ବିରୋଧରେ ଗଜାନନ ପ୍ରପର୍ଟି ମୁଖ୍ୟ ଶ୍ରୀ ପରିଡା ଓ ନିର୍ଦ୍ଦେଶକ ସ୍ୱତନ୍ତ୍ର ଅଦାଲତରେ ୨୦୧୫, ଅକ୍ଟୋବର ୧୭ରେ ଡିସଚାର୍ଜ ପିଟିସନ୍‌ ଦାଖଲ କରିଥିଲେ। ୨୦୧୫, ନଭେମ୍ବର ୨୩ରେ ସ୍ୱତନ୍ତ୍ର ଅଦାଲତ ଡିସଚାର୍ଜ ପିଟିସନ ଖାରଜ କରିବା ପରେ ଏହି ନିର୍ଦ୍ଦେଶକୁ ହାଇକୋର୍ଟରେ ଶ୍ରୀ ପରିଡା ଓ ଅନ୍ୟମାନେ ଚାଲେଞ୍ଜ କରିଥିଲେ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ନିମ୍ନ ଅଦାଲତ ନିର୍ଦ୍ଦେଶକୁ ଖଣ୍ଡପୀଠ ଖାରଜ କରିବା ସହିତ ଆବେଦନକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଦାଲତରେ ବିଚାରାଧୀନ ଏ ସଂପର୍କିତ ଅପରାଧିକ ମାମଲାକୁ ରଦ୍ଦ କରିଛନ୍ତି। ତଦନ୍ତ ଉପରଠାଉରିଆ ଭାବେ କରାଯାଇଛି। ଅଭିଯୋଗରେ ରହିଥିବା ବିବାଦ ଦେଓ୍ଵାନୀ ଧରଣର ହୋଇଥିବା ବେଳେ ଏହାକୁ ଅପରାଧିକ ରଙ୍ଗ ଦିଆଯାଇଛି ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁାଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଥିବା ବେଳେ ଶ୍ୱେତଲିନା ଦାସ ଓ ଆଶୁତୋଷ ସାହୁ ତାଙ୍କୁ ସହାୟତା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ କୋରାପୁଟ ଡିଭିଜନ୍‌ ହାଲ୍‌ ହାଉସିଂ କମିଟି ଏହାର ୫୪୦ ଜଣ ସଦସ୍ୟଙ୍କ ପାଇଁ ଭୁବନେଶ୍ୱରରେ ଗୃହ ନିର୍ମାଣ ପ୍ରକଳ୍ପ ଲାଗି ନିଷ୍ପତ୍ତି ନେଇଥିଲା। ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ ମୌଜାରେ ୫୦ ଏକର ଜମି ଏହି ପ୍ରକଳ୍ପ ପାଇଁ ଯୋଗାଇ ଦେବାକୁ ଗଜାନନ ସଂସ୍ଥା ମୁଖ୍ୟ ଶ୍ରୀ ପରିଡା ଚୁକ୍ତି କରିଥିଲେ ବି ଯୋଗାଇ ପାରି ନଥିଲେ। ପରେ ଶ୍ରୀ ପରିଡା କମିଟିକୁ ଧଉଳି କୌଶଲ୍ୟାପୁର ମୌଜାରେ ଜମି ପାଇଁ ପ୍ରସ୍ତାବ ଦେବା ସହ ଏଥିପାଇଁ ପୁଣି ଥରେ ଚୁକ୍ତି କରିଥିଲେ। ୨.୧୫ କୋଟି ଟଙ୍କା ପାଇବା ପରେ ଶ୍ରୀ ପରିଡା ପ୍ରାୟ ୧୦ ଏକର ଜମି କମିଟି ସଦସ୍ୟଙ୍କ ନାଁରେ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଅବଶିଷ୍ଟ ଜମି ଯୋଗାଡ ହୋଇ ନ ପାରିବାରୁ ଗିରଙ୍ଗପୁଟ ଓ ଭାଗବତୀପୁର ମୌଜାରେ ୫୦ ଏକର ଜମି ଯୋଗାଇ ଦେବା ଲାଗି ଗଜାନନ ସଂସ୍ଥା କମିଟିକୁ ପ୍ରସ୍ତାବ ଦେଇଥିଲା। ଏଥିପାଇଁ ତୃତୀୟ ଚୁକ୍ତିପତ୍ର କରାଯାଇଥିଲା। ଶ୍ରୀ ପରିଡା ଗିରଙ୍ଗପୁଟ ଓ ଭାଗବତୀପୁର ମୌଜାରେ ୪୮.୫୧ ଏକର ଜମି ଯୋଗାଡ କରି ସେଥିରୁ ୪୨.୧୫୧ ଏକର କମିଟି ସଦସ୍ୟଙ୍କ ନାଁରେ ପଞ୍ଜୀକରଣ କରିଥିବା ବେଳେ ରାସ୍ତା ପାଇଁ ଥିବା ୬.୩୫୯ ଏକର ନିଜ ନାଁରେ ପଞ୍ଜୀକରଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଶ୍ରୀ ପରିଡା ମୋଟ ୧୧.୨୭ କୋଟି ଟଙ୍କା ନେଇଥିବା ବେଳେ କମିଟିକୁ ୯.୪୦ କୋଟି ଟଙ୍କାର ଜମି ପ୍ରଦାନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଥି ସହିତ କମିଟି ସଦସ୍ୟଙ୍କୁ ଦିଆଯାଇଥିବା ଜମି ମଧ୍ୟରୁ ୧୪ ଏକର ଛୋଟ ଜଙ୍ଗଲ କିଶମର ବୋଲି ପରିବର୍ତ୍ତୀ ସମୟରେ ଜଣା ପଡିଲା। ୨ କୋଟି ୮୪ ଲକ୍ଷ ଟଙ୍କା ଶ୍ରୀ ପରିଡା କମିଟି ସଦସ୍ୟଙ୍କ ନିକଟରୁ ହଡପ କରିଥିଲେ ବୋଲି ଦର୍ଶାଇ ହାଲ ହାଉସିଂ କମିଟି ପକ୍ଷରୁ ସୁଖୋଇ ଇଂଜିନ ଡିଭିଜନର ଅତିରିକ୍ତ ସାଧାରଣ ପରିଚାଳକ ରାଜାରାମ ମହାନ୍ତି କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ ୨୦୧୪, ଜୁଲାଇ ୨୭ରେ ଏତଲା ଦେଇଥିଲେ। ଗଜାନନ ସଂସ୍ଥା ବି ୨୦୧୨ରେ କମିଟି ବିରୋଧରେ ଭୁବନେଶ୍ୱର ଅଦାଲତରେ ଦେଓ୍ଵାନି ମୋକଦ୍ଦମା ଦାୟର କରିଥିଲା।

ସମ୍ବନ୍ଧିତ ଖବର