ବେତନ ନିର୍ଧାରଣ ଦାବିରେ ହାଲ୍‌ କର୍ମଚାରୀଙ୍କ ଧାରଣା

କୋରାପୁଟ୍‌ : ବେତନ ନିର୍ଧାରଣ ଦାବିରେ ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍‌ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ବିଜୁ ଏରୋନେଟିକ୍‌ କର୍ମଚାରୀ ସଂଗଠନ ଆହ୍ବାନ କ୍ରମେ ଧାରଣା ଦିଆଯାଇଛି। ଏହି ଦାବିକୁ ସମର୍ଥନ ଜଣାଇ ହାଲ୍‌ର ଅନ୍ୟ ଦୁଇ ଶ୍ରମିକ ସଂଗଠନ ହିନ୍ଦୁସ୍ଥାନ ଏରୋନେଟିକ୍‌ ଏମ୍ପ୍ଲୟିଜ୍‌ ଆସୋସିଏସନ୍‌ ଏବଂ ହିନ୍ଦୁସ୍ଥାନ ଏରୋନେଟିକ୍‌ ମଜଦୁର ସଂଘ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛି। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ,୨୦୧୭ ମସିହାରୁ ହାଲ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ବେତନ ନିର୍ଧାରଣ କରାଯାଇ ନାହିଁ। ଅନ୍ୟପକ୍ଷରେ ୨୦୧୭ ଅକ୍ଟୋବର ମାସରୁ ହାଲ୍‌ରେ କାର୍ଯ୍ୟରତ ଅଧିକାରୀମାନଙ୍କ ବେତନ ନିର୍ଧାରଣ ହୋଇସାରିଛି। କର୍ମଚାରୀମାନଙ୍କ ବେତନ ନିର୍ଧାରଣ ନେଇ ହାଲ୍‌ ପରିଚାଳନା କମିଟି ସହିତ ୬ଟି ବୈଠକ ହୋଇଥିଲେ ଏହାର କୌଣସି ସମାଧାନ ହୋଇପାରି ନାହିଁ। ଏ ନେଇ ହାଲ୍‌ର ସମସ୍ତ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ‌ମଙ୍ଗଳବାରଠାରୁ ହାଲ୍‌ ସୁନାବେଡ଼ା ଡିଭିଜନ୍‌ର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଏହି ଧାରଣା ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। କର୍ମଚାରୀମାନେ ଦିବାରାତ୍ର ଏହି ଧାରଣାରେ ସାମିଲ ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ତିନି ସଂଗଠନର ସଭାପତି ଅଶୋକ କୁମାର ଦାସ, ପ୍ରଦୀପ କୁମାର ବିଶ୍ବାଳ, ସୋମନାଥ ପଟ୍ଟନାୟକଙ୍କ ସମେତ ସମସ୍ତ କର୍ମଚାରୀ ଧାରଣାରେ ସାମିଲ ହୋଇ ଦାବି ପୂରଣ ନେଇ ସ୍ଳୋଗାନ୍‌ମାନ ଦେଇଥିଲେ। ପ୍ରଥମ ଦିନରେ ସଂଗଠନର କାର୍ଯ୍ୟକାରୀ ସଭାପତି କପିଳେନ୍ଦ୍ର ପାତ୍ର, ସାଂଗଠନିକ ସଂପାଦକ ନଟବର ମହାନ୍ତ ଓ ଉପସଭାପତି ଶିବ ପ୍ରଧାନ ଧାରଣାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର