ଯୁକ୍ତ୨ କଲେଜରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଳୁନି ସୁବିଧା : ନିୟମ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଳୁନି ନ୍ୟାୟ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା କ୍ଷେତ୍ରରେ ଏଭଳି ଏକ ଅଭିଯୋଗ ଆସିଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ। କଲେଜଗୁଡ଼ିକ କିଭଳି ନିୟମ ପାଳନ କରିବେ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ତଥାପି କଲେଜଗୁଡ଼ିକ ତାହାକୁ ହେୟଜ୍ଞାନ କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇଛି ନିର୍ଦେଶାଳୟ।

ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ଏଥିପ୍ରତି ଦୃଷ୍ଟି ଦେବାକୁ ଭିନ୍ନକ୍ଷମ ଆୟୁକ୍ତଙ୍କ ପକ୍ଷରୁ ଗଣଶିକ୍ଷା ବିଭାଗକୁ କୁହାଯାଇଥିଲା। ହେଲେ ନିୟମ ଉଲ୍ଲଂଘନ କରି କେତେକ କଲେଜ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଥିଲେ। ଆୟୁକ୍ତ ଏକ ରାୟ ପରେ ଗତ ୩ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖଲ୍ଲିକୋଟ ଜୁନିଅର କଲେଜ, ରେଭେନ୍ସା ଜୁନିଅର କଲେଜ ଓ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଜୁନିଅର୍‌ କଲେଜକୁ ୭ ଦିନ ମଧ୍ୟରେ କାରଣଦର୍ଶାଅ ନୋଟିସ୍‌ର ଉତ୍ତର ଦେବାକୁ କୁହାଯାଇଥିଲା। ଏହାପରେ ବି କେତେକ କଲେଜ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରୁ ନ ଥିବା ପୁଣିଥରେ ଅଭିଯୋଗ ହୋଇଛି।

ଏହାକୁ ଦୃଷ୍ଟିରେ ରଖି ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ରାଜ୍ୟର ୧୬୩୧ କଲେଜକୁ ଚିଠି ପଠାଯାଇଛି। ଏଥିରେ ଉଲ୍ଲେଖ ହୋଇଛି ଯେ କିଛି କଲେଜ ନିୟମ ପାଳନ କରୁନାହାନ୍ତି। ପିଲାଙ୍କଠାରୁ ଅର୍ଥ ନେଉଛନ୍ତି। ହଇରାଣ ମଧ୍ୟ କରୁଛନ୍ତି। ଭିନ୍ନକ୍ଷମ ପିଲାଙ୍କୁ କିଭଳି ନ୍ୟାୟ ମିଳିବ ସେଥିପାଇଁ ୨୦୧୮ ମେ’ ୨୫ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ହୋଇଥିଲା। ଏବେ ତାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଯଦି କୌଣସି କଲେଜ ନିୟମ ଉଲଂଘନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି।

ସମ୍ବନ୍ଧିତ ଖବର