‘ଭିନ୍ନକ୍ଷମ, ବିଧବାଙ୍କ ସେବା ଲକ୍ଷ୍ୟଭିତ୍ତିକ ନୁହେଁ’

ଭୁବନେଶ୍ୱର: ବିଭିନ୍ନ ବିଭାଗରେ ସଫଳତା ହାସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଏ। କିନ୍ତୁ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ବିଧବା ମହିଳା, ଭିକ୍ଷୁ, କିନ୍ନରଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟଭିତ୍ତିକ ନୁହେଁ। ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ସେବା, ଭତ୍ତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ପରାମର୍ଶ ଦେଇଛନ୍ତି। ଆଜି ବିଭାଗର ପ୍ରଦର୍ଶନ ନେଇ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହା କହିଥିଲେ।

ରାଜ୍ୟରେ ବୟସ, ଭିନ୍ନକ୍ଷମତାର ପ୍ରତିଶତ କଟକଣା ନାହିଁ
ଦିବ୍ୟାଙ୍ଗଙ୍କ ସରକାରୀ ନିଯୁକ୍ତି ପାଇଁ ୪%, ଉଚ୍ଚଶିକ୍ଷାରେ ୫% ସଂରକ୍ଷଣ
ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ ଶୀଘ୍ର

କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ଜଣେ ଦିବ୍ୟାଙ୍ଗ ଅନ୍ୟୂନ ୪୦ ପ୍ରତିଶତ ଭିନ୍ନକ୍ଷମ, ଜଣେ ବିଧବା ୪୦ ବର୍ଷ ବୟସର ହୋଇଥିଲେ, ସେମାନଙ୍କୁ ଭତ୍ତା ମିଳିପାରିବ। କିନ୍ତୁ ଓଡ଼ିଶାରେ ଏଭଳି କିଛି କଟକଣା ନାହିଁ। ଜନ୍ମରୁ ହିଁ ଜଣେ ଭିନ୍ନକ୍ଷମ ସରକାରୀ ସୁବିଧା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବ। ସେହିପରି ଜଣେ ମହିଳା ୧୮ ବର୍ଷ ବୟସର ହୋଇଥିଲେ ବି ସେ ହିତାଧିକାରୀ ହୋଇପାରିବେ। ଅବଶ୍ୟ, ଭିନ୍ନକ୍ଷମ ହାର କିପରି ଶୂନ୍ୟରେ ପହଞ୍ଚିପାରିବ ସେ ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟରେ ୪୩.୨୫ ଲକ୍ଷ ଭିନ୍ନକ୍ଷମ, ବୟସ୍କ ନାଗରିକ, ବିଧବା ମହିଳାଙ୍କୁ ଭତ୍ତା ମିଳୁଛି। ଗତ ୫ରୁ ୧୫ ତାରିଖ(ଆଜି ଯାଏଁ) ଆହୁରି ୩.୪୮ ଲକ୍ଷ ୫୮୪ଜଣଙ୍କୁ ଭତ୍ତା ପ୍ରଦାନ କରାଯାଉଥିବା ମନ୍ତ୍ରୀ କହିଥିଲେ। ସରକାରୀ ଚାକିରି କ୍ଷେତ୍ରରେ ୩ ପ୍ରତିଶତ ଏବଂ ଉଚ୍ଚଶିକ୍ଷା ନିମନ୍ତେ ନାମଲେଖା ପାଇଁ ୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଦିବ୍ୟାଙ୍ଗଙ୍କ ନିମନ୍ତେ ରହିଛି। ଏହାକୁ ଯଥାକ୍ରମେ ୪ ଏବଂ ୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ପ୍ରାୟ ୩ ହଜାର କିନ୍ନର ଅଛନ୍ତି। ସେମାନଙ୍କୁ ଖାଦ୍ୟ ନିରାପତ୍ତା ଆଇନରେ ସାମିଲ କରାଯାଇଛି। ବୟସ୍କ ନାଗରିକଙ୍କ ଥଇଥାନ ପାଇଁ ଅବଦାନ ନିୟମାବଳୀ ପ୍ରସ୍ତୁତ ହୋଇଛି। ରାଜ୍ୟରେ ୬୪୮୨ଜଣ ଭିକ୍ଷୁଙ୍କୁ ଚିହ୍ନଟ କରି ସେମାନଙ୍କ ଥଇଥାନ ପାଇଁ ‘ସହାୟ’ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱରକୁ ଭିକ୍ଷୁମୁକ୍ତ ଶୀଘ୍ର କରାଯିବ। ଏ ନେଇ ପଦକ୍ଷେପ ନିଆଯାଉଛି। କେନ୍ଦ୍ର ସରକାରଙ୍କ ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬କୁ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ ଶୀଘ୍ର ଖୋଲିବ ବୋଲି ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ।

ସମ୍ବନ୍ଧିତ ଖବର