ଏସ୍‌ପିଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ : କର୍ମଚାରୀଙ୍କୁ ଉଠ୍‌ବସ୍‌ କରି ଦଉଡ଼ାଇଲେ, ଦୁଇ କର୍ମଚାରୀ ଚିକିତ୍ସିତ ହୋଇ ଫେରିଲେ

ନବରଙ୍ଗପୁର : ନବରଙ୍ଗପୁର ଏସ୍‌ପିଙ୍କ ଗୁଣ୍ଡାରାଜକୁ ନେଇ ଏବେ ସାରାଜିଲ୍ଲାରେ ଚର୍ଚ୍ଚା। ସେ ନିଜ ଆବାସିକ କାର୍ଯ୍ୟାଳୟର ୨ଜଣ ଅର୍ଡଲିଙ୍କୁ ନିର୍ଯାତନା ଦେଇଛନ୍ତି। ୨ ଜଣଙ୍କୁ ଅସୁସ୍ଥତା ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଘଟଣାର ତଦନ୍ତ କରାଯିବ ବୋଲି ଡିଆଇଜି ଆଶିଷ ସିଂହ କହିଛନ୍ତି।

ନିର୍ଯାତନାର ଶିକାର ହୋଇଥିବା ୨ କର୍ମଚାରୀ ହେଲେ, ରବିନଚନ୍ଦ୍ର ଲିମା ଓ ଦେବରାଜ ଚଣ୍ଡ। ଅଭିଯୋଗ ଅନୁସାରେ, ଗତକାଲି ନବରଙ୍ଗପୁର ଏସ୍‌ପି ବିବେକାନନ୍ଦ ଶର୍ମା ଦଣ୍ଡସ୍ୱରୂପ ୫୦ ଥର ଉଠ୍‌ବସ୍‌ କରାଇବା ସହ ୨୦ ରାଉଣ୍ଡ ଦୌଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଳନ କରି ରବିନ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଗତକାଲି ପ୍ରଥମେ ତାଙ୍କୁ ନବରଙ୍ଗପୁର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହାପରେ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଚିକିିତ୍ସା ପରେ ସେ ଘରକୁ ଫେରିଥିବା ଜଣାପଡ଼ିଛି।

ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଏଫ୍‌ଓ ଦେବରାଜ ଚଣ୍ଡ ମଧ୍ୟ ଅନୁରୂପ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ, ଏସ୍‌ପି ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ ମାଡ ମାରୁଛନ୍ତି। ଏପରିକି ସାର୍ଟରେ ବୋତାମ ନଥିଲେ ବି ତାଙ୍କୁ ମାଡ଼ ମାରୁଥିଲେ। ବହୁ ସମୟରେ ଅଯଥା କାମ କରାଉଥିଲେ। ତାଙ୍କର ଚାକିରି କାଳ ମଧ୍ୟରେ କୌଣସି ଏସ୍‌ପି ଏପରି ନିର୍ଯାତନା ଦେଇନଥିଲେ ବୋଲି ଦେବରାଜ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି।

ଅନ୍ୟପକ୍ଷରେ, ଗତକାଲି ଏସ୍‌ପି ତାଙ୍କ ଘରକୁ ଆସି ଏହି ଘଟଣାକୁ ନ ବଢ଼ାଇବା ପାଇଁ କହିଥିଲେ। ଦେବରାଜ କହିଛନ୍ତି ଯେ, ଚିକିତ୍ସା ପାଇଁ ବିଶାଖାପାଟଣମ୍‌ ଯାଅ ଏବଂ ଏଥିପାଇଁ ସମସ୍ତ ସହାୟତା ସେ ଯୋଗାଇଦେବେ ବୋଲି ଏସ୍‌ପି କହିଥିଲେ। ଏସ୍‌ପିଙ୍କ ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ଏସ୍‌ପି ଶ୍ରୀ ଶର୍ମା ଗତକାଲି ସମସ୍ତ ଘଟଣାକୁ ମିଥ୍ୟା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର