ଅସଦାଚରଣ ପୀଡ଼ିତା ଛାତ୍ରୀଙ୍କ ଆତ୍ମହତ୍ୟା

କୁଜଙ୍ଗ : ଗତ ଅଗଷ୍ଟ ୨୪ ତାରିଖ ଦିନ କଲେଜ ଯାଉଥିବା ବେଳେ ଅସଦାଚରଣର ଶିକାର ହୋଇଥିବା କୁଜଙ୍ଗ କଲେଜ ଛାତ୍ରୀ ଅସ୍ମିତା (ଛଦ୍ମନାମ) ଆଜି ଆତ୍ମହତ୍ୟା କରିଛନ୍ତି। ଅସଦାଚରଣ ଅଭିଯୁକ୍ତ ଗିରଫ ହୋଇଥିଲେ ବି ଘଟଣା ପରଠାରୁ ଅସ୍ମିତାଙ୍କ ମାନସିକ ଅବସ୍ଥା ଭଲ ନ ଥିଲା। ଲୋକଲାଜରେ ଆଜି ସେ ଏଭଳି କରିଥିବା କୁହାଯାଉଛି।

ଖବର ମୁତାବକ, କୁଜଙ୍ଗ ଥାନା ଅଞ୍ଚଳ ପାଟପୁର ପଞ୍ଚାୟତର ଅସ୍ମିତା କୁଜଙ୍ଗ କଲେଜରେ ଯୁକ୍ତ ତିନି କଳା ପ୍ରଥମ ବର୍ଷ ଛାତ୍ରୀ। କେଇମାସ ହେଲା ସେ କଲେଜକୁ ଯାଉଥିବା ବେଳେ ପରତୁଠା ଗାଁର ମଦ୍ୟପ ମେଘା ସାହାଣୀ ତାଙ୍କୁ ବାରମ୍ବାର ହଇରାଣ କରୁଥିଲା। ଏ ନେଇ ସେ ଅଭିଯୋଗ କରିଲେ ବି ମେଘା ଉପରେ ତା’ର କିଛି ପ୍ରଭାବ ପଡ଼ୁ ନଥିଲା। ଗତ ୨୪ ତାରିଖ ଦିନ ଅସ୍ମିତା କଲେଜ ଯାଉଥିବା ବେଳେ ମେଘା ମଦ୍ୟପାନ କରି ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲା। ଅସ୍ମିତା ପଳାଇ ଯାଉଥିବା ବେଳେ ସେ ରାସ୍ତା ଉପରେ ତାଙ୍କ ସହ ଅସଦାଚରଣ କରିଥିଲା। ଅସ୍ମିତା କାନ୍ଦି କାନ୍ଦି ଘରକୁ ପଳାଇ ଆସିଥିଲେ। ଏ ନେଇ ଅସ୍ମିତାଙ୍କ ପରିବାର ପକ୍ଷରୁ କୁଜଙ୍ଗ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଅଭିଯୁକ୍ତ ମେଘାକୁ ଗିରଫ କରିଥିଲା ଓ ସେ ବର୍ତ୍ତମାନ ଜେଲ୍‌ରେ ଅଛି। ମାତ୍ର, ଘଟଣାକୁ ନେଇ ସେବେଠାରୁ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିଲା। ସେହି କାରଣରୁ ଅସ୍ମିତା ନିଜ ସାଙ୍ଗଙ୍କ ସହ ମିଶି ପାରୁ ନ ଥିଲେ କି କଲେଜ ଯାଇ ପାରୁ ନ ଥିଲେ। ପ୍ରବଳ ମାନସିକ ଚାପରେ ରହୁଥିବା ଅସ୍ମିତା ଆଜି ସଂଧ୍ୟା ୬ଟା ବେଳେ ନିଜ ଘରର ପଙ୍ଖାରେ ଫାଶୀ ଲଗାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୁଜଙ୍ଗ ଡାକ୍ତରଖାନାକୁ ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ କୁଜଙ୍ଗ ମେଡିକାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅସ୍ମିତାଙ୍କ ମୃତଦେହ କୁଜଙ୍ଗ ମେଡ଼ିକାଲ‌ରେ ରଖାଯାଇଛି।

ସମ୍ବନ୍ଧିତ ଖବର