ସଚିବାଳୟରେ କେନ୍ଦ୍ର ଜାହାଜ ମନ୍ତ୍ରାଳୟ ସଚିବ : ୨୦୧୯ ଜୁନ୍‌ ସୁଦ୍ଧା ହରିଦାସପୁର-ପାରାଦୀପ ରେଳପଥ

୧୮ କି.ମି. ଦୈଘ୍ୟର ନୂଆ ସଂଯୋଗକାରୀ ରେଳପଥ

ଭୁବନେଶ୍ୱର : ଆଜି ସଚିବାଳୟରେ କେନ୍ଦ୍ର ଜାହାଜ ମନ୍ତ୍ରାଳୟ ସଚିବ ଗୋପାଳ କ୍ରିଷ୍ଣାଙ୍କ ଉପସ୍ଥିତିରେ ହରିଦାସପୁର-ପାରାଦୀପ ରେଳପଥ, ଏହି ରେଳପଥକୁ ମୁଖ୍ୟ ରେଳପଥ ସହିତ ସଂଯୋଗକାରୀ ୧୮ କି.ମି. ଦୈଘ୍ୟର   ରେଳପଥ ପ୍ରକଳ୍ପ ଓ ଜାତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରକଳ୍ପ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ହରିଦାସପୁର-ପାରାଦୀପ ରେଳପଥ ପ୍ରକଳ୍ପକୁ ନେଇ ରେଳବାଇ ବିକାଶ ନିଗମ ଲିମିଟେଡ୍‌(ଆରଭିଏନ୍‌ଏଲ୍‌) ସହିତ ରହିଥିବା ସମସ୍ୟା ଦୂରୀଭୂତ ହୋଇ ନିର୍ଧାରିତ ସମୟ ସୀମାରେ ପ୍ରକଳ୍ପ ସରିବ ବୋଲି ଆଶାସଂଚାର ହୋଇଛି।

ସୂଚନାନୁସାରେ ୧୯୯୬-୯୭ରେ ୮୨ କି.ମି. ଦୈଘ୍ୟର ହରିଦାସପୁର-ପାରାଦୀପ ରେଳପଥ ପ୍ରକଳ୍ପ ମଞ୍ଜୁରି ପାଇଥିଲା। ଏହାର କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ସ୍ପେସାଲ୍‌ ପର୍‌ପୋସ୍‌ ଭେଇକିଲ୍‌(ଏସ୍‌ପିଭି) ଗଠିତ ହୋଇଛି। କିନ୍ତୁ ଆରଭିଏନ୍‌ଏଲ୍‌ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଫଳରେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୧୮୦୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦ ବର୍ଷ ପରେ ବି ପ୍ରକଳ୍ପ ଅଟକି ରହିଛି। ସେ ଯାହାହେଉ, ଆଜି ଏହି ପ୍ରକଳ୍ପ ସଂପର୍କରେ କେନ୍ଦ୍ରୀୟ ସଚିବ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ରାଜ୍ୟ ସରକାର, ଆରଭିଏନ୍‌ଏଲ୍‌, ପୂର୍ବତଟ ରେଳର ପଦାଧିକାରୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

ବୈଠକର ସୂଚନା ମୁତାବକ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ୯୯ ପ୍ରତିଶତ ଜମି ଅଧିଗ୍ରହଣ କରି ଆରଭିଏନ୍‌ଏଲ୍‌କୁ ହସ୍ତାନ୍ତର କରିସାରିଛନ୍ତି। ତେବେ ଆରଭିଏନ୍‌ଏଲ୍‌ ଦ୍ୱାରା ନିଯୁକ୍ତ ଠିକା କମ୍ପାନିଙ୍କ ଅବହେଳା ଯୋଗୁଁ କାର୍ଯ୍ୟ ଆଗେଇ ପାରୁନାହିଁ। ଆରଭିଏନ୍‌ଏଲ୍‌ ଠିକା ପରିଚାଳନା ସହିତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ କରିବ। ଫଳରେ ନିର୍ଧାରିତ ସମୟ ସୀମାରେ କାର୍ଯ୍ୟ ଶେଷ ହୋଇପାରିବ। ସୂଚନାଯୋଗ୍ୟ, ୨୦୧୯ ଜୁନ୍‌ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ସମୟ ସୀମା ରହିଛି। ସେହି ସମୟ ସୁଦ୍ଧା କାର୍ଯ୍ୟ ସାରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ରେଳପଥ ସହିତ ୧୮ କି.ମି. ଦୈଘ୍ୟର ସଂଯୋଗକାରୀ ରେଳପଥ ସମାନ୍ତରାଳ ଭାବେ ନିର୍ମାଣ କରାଯିବ। ଏହା ମୁଖ୍ୟ ରେଳପଥକୁ ସଂଯୋଗ କରିବ।

ରାଜ୍ୟରେ ପ୍ରସ୍ତାବିତ ଜାତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରକଳ୍ପ ପାଇଁ ଇଞ୍ଜିନିୟରିଂ ଡିଜାଇନ ପ୍ରସ୍ତୁତ କରାଯାଉଛି। ଆସନ୍ତା ନଭେମ୍ବର ସୁଦ୍ଧା ଏହା ସରିବ। ପରେ ବାଣିଜ୍ୟିକ ସମ୍ଭାବନା ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଆଜିର ବୈଠକରେ ସ୍ଥିର କରାଯାଇଛି।

ସମ୍ବନ୍ଧିତ ଖବର