ମୃତ୍ୟୁ ପରେ ଗରିବଙ୍କୁ ଉପହାସ : ହଜିଯାଇଛି ‘ହରିଶ୍ଚନ୍ଦ୍ର’ ଯୋଜନା

କେନ୍ଦୁଝର : ହଜି ଯାଇଛି ହରିଶ୍ଚନ୍ଦ୍ର ଯୋଜନା। ଦିନେ ନୁହେଁ କି ମାସେ ବର୍ଷବର୍ଷ ଧରି ଏହି ଯୋଜନାରେ ମିଳୁନି ସରକାରୀ ସହାୟତା। କେନ୍ଦୁଝର ଜିଲ୍ଲାରେ ପ୍ରାଣ ହରାଉଥିବା ହଜାର ହଜାର ଗରିବ ଲୋକଙ୍କ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ଏହି ଯୋଜନାରେ ସହାୟତା ମିଳୁନାହିଁ। ଫଳରେ ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ଏହି ପରିବାରକୁ ଶୁଦ୍ଧିକ୍ରିୟା କରିବାରେ ସମସ୍ୟା ହେଉଛି। ଜିଲ୍ଲାର ଶହଶହ ପଞ୍ଚାୟତରେ ଲୋକେ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପାଇ ନଥିବାବେଳେ ଏହା ଗରିବଙ୍କ ପ୍ରତି ପ୍ରାଶାସନିକ ଉଦାସୀନତାର ଅସଲ ପ୍ରମାଣ ବୋଲି ଚର୍ଚ୍ଚା ହେଉଛି।

ହରିଶ୍ଚନ୍ଦ୍ର ଯୋଜନାରେ ଗରିବ ଲୋକଙ୍କ ମୃତ୍ୟୁ ହେଲେ ତାଙ୍କ ପରରିବାରକୁ ଗ୍ରାମାଞ୍ଚଳରେ ହଜାରେରୁ ୨ ହଜାର ଟଙ୍କା ଓ ସହରାଞ୍ଚଳରେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ୨୦୧୩ ମସିହା ଅଗଷ୍ଟ ୧୫ ତାରିଖରେ ରାଜ୍ୟ ସରକାର ଏହି ଯୋଜନା ପ୍ରଣୟନ କରିଥିଲେ। ପ୍ରାରମ୍ଭରୁ ମୃତ ବ୍ୟକ୍ତିଙ୍କ ପରିବାରକୁ ଏହି ଯୋଜନାରେ ସହାୟତା ମିଳୁଥିଲା। ମାତ୍ର ୨୦୧୭-୧୮ରୁ କେନ୍ଦୁଝର ଜିଲ୍ଲାରେ ଏହି ଯୋଜନାରେ ସହାୟତା ପ୍ରଦାନ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି।

ଘଟଗାଁ ବ୍ଲକର ମୁକୁନ୍ଦପୁର ପାଟଣା, ତୋରାଣିପୋଖରୀ, ପଇଦାପାଟଣା, ଉପରଡିହା, ବଡ଼ଜାମୁପଶି, ତରା, ଢେଙ୍କିକୋଟ ପଞ୍ଚାୟତକୁ ଉଦାହରଣ ଭାବେ ନିଆଯାଉ। ମୁକୁନ୍ଦପୁର ପାଟଣା ପଞ୍ଚାୟତରେ ୨୦୧୮-୧୯ ମସିହାରେ ୫୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲେ। ଏମାନଙ୍କ ମଧ୍ୟରୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇବା ପାଇଁ ୪୬ ଜଣଙ୍କ ପରିବାର ଯୋଗ୍ୟ ଥିଲେ। ମାତ୍ର କାହାରିକୁ ସହାୟତା ମିଳିନି। ୨୦୧୯-୨୦ରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାର ମଧ୍ୟ ଏହି ଯୋଜନାରେ ସହାୟତା ପାଇନାହାନ୍ତି। ତୋରାଣିପୋଖରୀ ପଞ୍ଚାୟତରେ ୨୦୧୮-୧୯ରେ ୫୪ ଜଣ ପ୍ରାଣ ହରାଇଥିବାବେଳେ ସେମାନେଙ୍କ ମଧ୍ୟରୁ ୩୧ ଜଣଙ୍କ ପରିବାର ହରିଶ୍ଚନ୍ଦ୍ର ଯୋଜନା‌ରେ ସହାୟତା ପାଇବା ପାଇଁ ଯୋଗ୍ୟ ଥିଲେ। ସେହିପରି ୨୦୧୯-୨୦ରେ ୨୯ ଜଣ ମୃତ୍ୟୁ ଘଟିଥିଲା। ଏଠାରେ ମଧ୍ୟ କାହାରିକୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳିନି।

ସରକାରୀ ଉପହାସର ଶିକାର ହେଉଥିବା କିଛି ଗରିବ ପରିବାର ମଧ୍ୟରୁ ନେଲୁଙ୍ଗ ପଞ୍ଚାୟତ ମୁଣ୍ଡାସାହିର ଦଶମୀ ମୁଣ୍ଡା(୩୫), ସମ୍ବାରୀ ମୁଣ୍ଡା(୪୦) ଓ ଶନିବାରୀ ମୁଣ୍ଡା(୪୦)। ଦଶମୀଙ୍କ ସ୍ବାମୀ ଶିବ ମୁଣ୍ଡାଙ୍କ ୨୦୧୬ ମସିହା ଏପ୍ରିଲ ୨ ତାରିଖରେ ଅକାଳ ବିୟୋଗ ହୋଇଥିଲା। ଧାର କରଜ କରି ଦଶମୀ ସ୍ବାମୀଙ୍କ ଶୁଦ୍ଧିକ୍ରିୟା କଲେ। କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ସହାୟତା ମିଳିନି। ସେହିପରି ସମ୍ବାରୀଙ୍କ ସ୍ବାମୀ ଡମ୍ବରୁ ମୁଣ୍ଡାଙ୍କ ୨୦୧୭ ମସିହା ସେପ୍ଟେମ୍ବର ୭ ତାରିଖରେ ଓ ଶନିବାରୀଙ୍କ ସ୍ବାମୀ ଗହ୍ମା ମୁଣ୍ଡାଙ୍କ ୨୦୧୫ ମସିହା ମେ ୩୧ ତାରିଖରେ ମୃତ୍ୟୁ ଘଟିଥିଲା। ମାତ୍ର ଏମାନଙ୍କୁ ମଧ୍ୟ ମିଳିନାହିଁ ସରକାରୀ ସହାୟତା।

ଏ ସଂପର୍କରେ ଦଶମୀ ମୁଣ୍ଡା କହିଛନ୍ତି, ସ୍ବାମୀ ଥିବାବେଳେ ଘର ଖଣ୍ଡେ ଦେଲେ ନାହିଁ। ମଲା ପରେ ଶୁଦ୍ଧିକ୍ରିୟା ପାଇଁ ହରିଶ୍ଚନ୍ଦ୍ର ସହାୟତା ମିଳିଲାନି। ଧାର କରି ଶୁଦ୍ଧିକ୍ରିୟା କଲି। ମୂଲ ଲାଗି ସେହି ଟଙ୍କା ଶୁଝିଲି ବୋଲି ସେ କହିଛନ୍ତି। ଜିଲ୍ଲା ଅନ୍ତର୍ଗତ ବହୁ ପଞ୍ଚାୟତରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର