ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ୫୦କିମି ବେଗରେ ବହିବ ପବନ !

ହୀରାକୁଦ୍‌ ଡ୍ୟାମ୍‌ ଅଞ୍ଚଳରେ ସର୍ବାଧିକ ୬୨୨ ମିମି ବର୍ଷା ରେକର୍ଡ କରାଯାଇଛି

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଉପରେ କେନ୍ଦ୍ରୀଭୂତ ଅବପାତ ଦକ୍ଷିଣପୂର୍ବ ଝାଡ଼ଖଣ୍ଡ ଆଡ଼କୁ ଘୁଞ୍ଚି ଯାଇଥିବା ସତ୍ତ୍ୱେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ ବୋଲି ରବିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଅବପାତ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ଓ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସୋନପୁର, ବଲାଙ୍ଗିର, ନୂଆପଡ଼ା ଏବଂ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ୨୩ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଓ ନୂଆପଡ଼ାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଆସନ୍ତା ୧୨ ଘଣ୍ଟା ଯାଏ ଉତ୍ତର ଓଡ଼ିଶାରେ ୫୦ କିମି ବେଗରେ ପବନ ବହିବ। ସେହିପରି ଆସନ୍ତା ୨୪ ଘଣ୍ଟା ଯାଏ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ବୁର୍ଲା ହୀରାକୁଦ୍‌ ଡ୍ୟାମ୍‌ ଅଞ୍ଚଳରେ ସର୍ବାଧିକ ୬୨୨ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର