ବସ୍‌ ଉପରେ ବଜ୍ରପାତ, ହେଲ୍‌ପର୍‌ ମୃତ, ବର୍ତିଗଲେ ଯାତ୍ରୀ

ବରଗଡ଼: ବରଗଡ଼ରୁ ବଲାଂଗୀର ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରାବାହୀ ବସ୍‌ ଉପରେ ବଜ୍ରପାତ ହେବାରୁ ହେଲପର ଶାନ୍ତନୁ ନାଏକ (୨୨)ଙ୍କ ମୃତ୍ୟୁ ହୋଇଛି। ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦିନ ୩ଟା ବେଳେ ଘରୋଇ ବସ୍ ‘କୁମୁଦିନୀ’ ଜୀରା ନଦୀ ପୋଲ ଅତିକ୍ରମ କରିଥିଲା। ଠିକ୍ ଏତିକି ସମୟରେ ବର୍ଷା, ଘଡ଼ଘଡ଼ି ଆରମ୍ଭ ହୋଇଥିଲା। ବସ୍ ଉପରେ ଥିବା ଯାତ୍ରୀଙ୍କ ସାମଗ୍ରୀ ଭିଜିବାରୁ ପଲିଥିନରେ ଘୋଡ଼ାଇବାକୁ ଶାନ୍ତନୁ ବସ୍ ଛାତକୁ ଚଢ଼ିଥିଲେ। ବସ ଅଟକିଥିବାବେଳେ ସେ ପଲିଥିନ୍ ବାନ୍ଧୁଥିଲେ। ଠିକ୍ ଏତିକି ବେଳେ ସେ ବଜ୍ରାଘାତର ଶିକାର ହୋଇଥିଲେ। ବସ୍‌ ଛାତରେ ସେ ଟଳି ପଡ଼ିଥିଲେ। ସେଠା‌େର ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ବିଜୁଳି ଏତିକି ପ୍ରଚଣ୍ଡ ଥିଲା ଯେ ବସର ପଛ ଚକ ଫାଟି ଯାଇଥିଲା। ତେବେ ବସ୍ ଭିତରେ ଥିବା ଯାତ୍ରୀମାନେ ସୌଭାଗ୍ୟବଶତଃ ବର୍ତି ଯାଇଥିଲେ।

ସମ୍ବନ୍ଧିତ ଖବର