ଜଟିଳ ସ୍ଥିତିରେ ଆଇନଜୀବୀ ଆନ୍ଦୋଳନ : ୯ ଯାଏ ଜାରି ରହିବ କାର୍ଯ୍ୟବନ୍ଦ

ତିନି ସଦସ୍ୟଙ୍କୁ ହାଇକୋର୍ଟ ବାର୍‌ରୁ ବହିଷ୍କାର, ରାଜ୍ୟ ବାର୍ କାଉନ୍‌ସିଲ୍ ସଭାପତିଙ୍କୁ ନୋଟିସ୍

କଟକ : ନଭେମ୍ବର ୯ ତାରିଖ ଯାଏ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିବ। ଆଜି ହାଇକୋର୍ଟ ବାର୍ ଆସୋସିଏସନ ବୈଠକ ପରେ ଏ ପ୍ରକାର ସୂଚନା ଦେଇଛନ୍ତି ଆସୋସିଏସନର ସଂପାଦକ ସତ୍ୟବ୍ରତ ମହାନ୍ତି। ଅନ୍ୟପଟେ ଆଇନଜୀବୀଙ୍କ ଆନ୍ଦୋଳନରେ ଫାଟ ସୃଷ୍ଟି ପାଇଁ ଉଦ୍ୟମ ଅଭିଯୋଗରେ ୩ ଜଣ ଆଇନଜୀବୀଙ୍କୁ ଆସୋସିଏସନରୁ ବହିଷ୍କାର କରାଯାଇଥିବା ବେଳେ ରାଜ୍ୟ ବାର କାଉନସିଲ ସଭାପତି ବରିଷ୍ଠ ଆଇନଜୀବୀ ଡ. ଟହଲି ଚରଣ ମହାନ୍ତିଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଶ୍ରୀ ମହାନ୍ତିଙ୍କ ସୂଚନା ଅନୁଯାୟୀ ବହିଷ୍କୃତ ଆଇନଜୀବୀ ହେଲେ ମିଲନ କାନୁନଗୋ, ଅସୀମ ଅମିତାଭ ଦାସ ଏବଂ ବଂଶୀଧର ଶତପଥୀ। ଏଭଳି ସ୍ଥିତିରେ ବିବାଦ ସୁଧୁରିବା ବଦଳରେ ଏବେ ପୁଣି ଜଟିଳ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ ଘଟଣାକୁ ନେଇ ଅଗଷ୍ଟ ୨୯ ତାରିଖରୁ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। କିନ୍ତୁ ଗଲା ଅକ୍ଟୋବର ୨୯ ତାରିଖରେ ବିଜେଡି ଲିଗାଲ ସେଲ୍ ସଦସ୍ୟମାନେ ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ କାର୍ଯ୍ୟରେ ଯୋଗ ଦେ‌ବାକୁ ଉଦ୍ୟମ କଲେ। ଏହାକୁ ନେଇ ପୁଣି ନୂଆ ଧରଣର ବିବାଦ ସୃଷ୍ଟି ହେଲା। ଏଥିପାଇଁ ଗତକାଲି ରାଜ୍ୟର ବିଭିିନ୍ନ ବାର୍‌ର କର୍ମକର୍ତ୍ତାଙ୍କୁ ନେଇ ବୈଠକ ବସିବା ସହ ନିଷ୍ପତ୍ତି ନେବାକୁ ହାଇକୋର୍ଟ ବାର ଆସୋସିଏସନକୁ ଦାୟିତ୍ବ ଦିଆଯାଇଥିଲା। ସେହି ଅନୁଯାୟୀ ଆଜି ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା। ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିଲା ବୋଲି ସଂପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ଆଇନଜୀବୀଙ୍କ ଏକତାକୁ ଭାଙ୍ଗିବାକୁ ଉଦ୍ୟମ କରିଥିବା ୩ ଜଣ ସଦସ୍ୟଙ୍କୁ ହାଇକୋର୍ଟ ବାର୍ ଆସୋସିଏସନରୁ ବହିଷ୍କାର କରାଯାଇଛି। ଉପସଭାପତି ପଦରୁ ବଂଶୀଧର ଶତପଥୀ ପୂର୍ବରୁ ପ୍ରଦାନ ଦାନ କରିଥିବା ଇସ୍ତଫାକୁ ଗ୍ରହଣ କରାଯାଇଛି। ନଭେମ୍ବର ୧ ତାରିଖ ଦିନ ଅନୁଷ୍ଠିତ ଏକଜିକ୍ୟୁଟିଭ୍ କମିଟି ବୈଠକରେ ୩ ସଦସ୍ୟଙ୍କୁ ବହିଷ୍କାର ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ ଆଜି ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ଅନୁମୋଦନ କରାଯାଇଛି। ପୂର୍ବରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଟହଲି ଚରଣ ମହାନ୍ତି ଏହି ପ୍ରସଂଗରେ ପ୍ରଦାନ କରିଥିବା ସ୍ପଷ୍ଟୀକରଣକୁ ଆଜି ସାଧାରଣ ପରିଷଦରେ ଉପସ୍ଥାପନ କରାଯାଇଥିଲା। କାହିଁକି ତାଙ୍କୁ ହାଇକୋର୍ଟ ବାର୍ ଆସୋସିଏସନରୁ ବହିଷ୍କାର କରା ନ ଯିବ ସେ ସଂପର୍କରେ କାରଣ ଦର୍ଶାଇବାକୁ ଡକ୍ଟର ମହାନ୍ତିକୁ ନୋଟିସ୍ ଜାରି କରାଯାଇଛି।

ଆଜିର ବୈଠକରେ ସଭାପତି ଓ ସଂପାଦକଙ୍କ ସହିତ ଯୁଗ୍ମ ସଂପାଦକ ରଂଜନ କୁମାର ନାୟକ, ସହକାରୀ ସଂପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହସଂପାଦକ ସୁରେଶ ଜେନା, କଟକ ବାର୍ ସଭାପତି ଉମାକାନ୍ତ ନନ୍ଦ, କ୍ରିମିନାଲ କୋର୍ଟସ୍ ଅକ୍ଷୟ କୁମାର ପତି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ସୂଚନା ‌‌େଯାଗ୍ୟ ଯେ, ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ ପ୍ରସଂଗକୁ ନେଇ ବିଚାରାଧୀନ ମାମଲାରେ ଗତ ୩୦ ତାରିଖ ଦିନ ଶୁଣାଣି ହୋଇଥିଲା। ‌ନଭେମ୍ବର ୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଘଟଣାର ତଦନ୍ତର ତଦାରଖ ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଜଷ୍ଟିସ ସି.ଆର୍.ଦାଶ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏଭଳି ସ୍ଥିତିରେ ନଭେମ୍ବର ୯ ତାରିଖ ଦିନ ବସିବାକୁ ଥିବା ହାଇକୋର୍ଟ ବାର ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ଚୂଡାନ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର