ହାଇକୋର୍ଟ ବେଞ୍ଚ୍ ନେଇ ଚିଠି ରାଜନୀତି : ନବୀନଙ୍କୁ ଉତ୍ତର ଦେଲେ ରବିଶଙ୍କର

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା ପାଇଁ ପରାମର୍ଶ, କେନ୍ଦ୍ର ଆଇନ ମନ୍ତ୍ରୀ ସିଧା କଥା ହେବାକୁ ସିଏସିର ଦାବି

ଭୁବନେଶ୍ବର/ସମ୍ବଲପୁର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ନେଇ ଗତ ୧୧ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ‌େଲଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାର ଦିନକ ପରେ କେନ୍ଦ୍ର ମନ୍ତ୍ରୀ ଏହି ଚିଠିର ଜବାବ ଦେଇ ରାଜ୍ୟ ସରକାରଙ୍କ କୋର୍ଟକୁୁ ବଲ୍ ଫିଙ୍ଗିଛନ୍ତି। ପୁରୁଣା କଥା ଦୋହରାଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବେଞ୍ଚ୍ ସ୍ଥାପନ ନେଇ ଆଲୋଚନା କରି ରିପୋର୍ଟ ପଠାଇବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରସାଦ ଚିଠିରେ ଦର୍ଶାଇଛନ୍ତି, ଯଶୋୱନ୍ତ ସିଂହ କମିସନ୍‌ଙ୍କ ସୁପାରିସ୍ ଅନୁଯାୟୀ ହାଇକୋର୍ଟ ବେଞ୍ଚ୍ ସ୍ଥାପନ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି। ହାଇକୋର୍ଟର ମୁଖ୍ୟ ବିଚାରପତି ହିଁ ବେଞ୍ଚ୍‌ର ମୁଖ୍ୟ ରହିବେ। ହାଇକୋର୍ଟ ଓ ଅନ୍ୟ ସ୍ଥାନରେ ହୋଇଥିବା ବେଞ୍ଚ୍‌ର ପ୍ରଶାସନିକ କାର୍ଯ୍ୟ ମୁଖ୍ୟ ବିଚାରପତିଙ୍କ ଅଧୀନରେ ହେବ। ତେଣୁ ରାଜ୍ୟରେ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ପାଇଁ ହାଇକୋର୍ଟଙ୍କ ସୁପାରିସ୍ ସହ ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ ଜରୁରୀ। ଏହି ପ୍ରକ୍ରିୟା ସବୁ ରାଜ୍ୟର ହାଇକୋର୍ଟ କ୍ଷେତ୍ରରେ ଲାଗୁ ହେଉଛି। ହାଇକୋର୍ଟଙ୍କ ସୁପାରିସ୍ ମିଳିଲା ପରେ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ଯୋଗଇ ଦେବେ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ପ୍ରସ୍ତାବିତ ବେଞ୍ଚ୍‌ର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ କରନ୍ତୁ। ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ସ୍ପଷ୍ଟ ମତ ମିଳିଲା ପରେ କେନ୍ଦ୍ର ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ।

ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଚିଠିକୁ ଗ୍ରହଣ କରି ନାହିଁ ବେଞ୍ଚ୍ ସ୍ଥାପନ ପାଇଁ ଆନ୍ଦୋଳନ ଚଳାଇଥିବା ‌େକନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି)। ସିଏସ୍ ସଦସ୍ୟ ସୁ‌େରଶ୍ବର ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ଚାହିଁଲେ ରାଜ୍ୟ ସରକାରଙ୍କ ସୁପାରିସରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିପାରିବେ। ଏଥିପାଇଁ ହାଇକୋର୍ଟ ସହମତିର ଆବଶ୍ୟକତା ନାହିଁ। ବର୍ତ୍ତମାନର କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଚାହିଁଲେ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ କପିଲ ସିବଲ ଏବଂ ସଦାନନ୍ଦ ଗୌଡ଼ ଭଳି ସିଧାସଳଖ ହାଇକୋର୍ଟ ଠାରୁ ରିପୋର୍ଟ ମାଗି ପାରିବେ। ଏହା ନ କରି ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟ ବିଚାରପତିଙ୍କ ରିପୋର୍ଟ ପଠାଇବା ପାଇଁ କହିବା ଦୁର୍ଭାଗ୍ୟଜନକ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଚିଠିର ଖେଳରୁ ସ୍ପଷ୍ଟ ହେଉଛି ଯେ ହାଇକୋର୍ଟ ବେଞ୍ଚ ନେଇ ଉଭୟଙ୍କର କୌଣସି ଆନ୍ତରିକତା ନାହିଁ। ଉଭୟ କେବଳ ଦାୟିତ୍ବ ଖସାଇବା ପାଇଁ ଉଦ୍ୟମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଚିଠିର ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଚିଠି ଦେବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଟେ। ସଦାନନ୍ଦ ଗୌଡ଼ଙ୍କ ପରେ ରବିଶଙ୍କର ପ୍ରସାଦ ଦାୟିତ୍ବ ନେଇଥିଲେ। ଏହାପରେ ସେ ହାଇକୋର୍ଟ ବେଞ୍ଚ ନେଇ ୩ ବର୍ଷ ପର୍ଯ୍ୟନ୍ତ ନିରବ ରହିଥିଲେ। ମାତ୍ର ୪୮ ଘଣ୍ଟା ମଧ୍ୟରେ ସେ ଯେଉଁଭଳି ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରତିକ୍ରିୟା ଦେଇଛନ୍ତି ଏହା ହାଇକୋର୍ଟ ବେଞ୍ଚ ସୁପାରିସକୁ ଫେରାଇ ଦେବା ଭଳି ହୋଇଛି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ହାଇକୋର୍ଟ ବେଞ୍ଚ ନେଇ ଆଭିମୁଖ୍ୟ ନିନ୍ଦନୀୟ। ତେଣୁ ଆନ୍ଦୋଳନକୁ କୌଣସି ମତେ ବିଭ୍ରାନ୍ତ କିମ୍ବା ଭଣ୍ଡୁର କରାଯାଇ ପାରିବ ନାହିଁ। ଜନସାଧାରଣ ତାଙ୍କର ଆନ୍ଦୋଳନ ଜାରି ରଖିବେ। ହାଇକୋର୍ଟ ବେଞ୍ଚ ସୁପାରିସ ନେଇ ରାଜ୍ୟ ସରକାରଙ୍କ ପତ୍ରକୁ ସୁରେଶ ପୂଜାରୀ ନିନ୍ଦା କରିବା ପ୍ରସଂଗକୁ ମଧ୍ୟ ସିଏସି ସମାଲୋଚନା କରିଛି। ରାଜ୍ୟର ସ୍ଥାନୀୟ ନେତାମାନେ ହାଇକୋର୍ଟ ବେଞ୍ଚ ନେଇ ରାଜନୀତି କରନ୍ତୁ ନାହିଁ ବରଂ ଦଳୀୟ ଆନୁଗତ୍ୟରୁ ଊର୍ଧ୍ବରୁ ଉଠି ସାମୂହିକ ଗଠନମୂଳକ ପରାମର୍ଶ ଦେବା ଉଚିତ।

ସମ୍ବନ୍ଧିତ ଖବର