ବିରକ୍ତ ହେଲେ ହାଇକୋର୍ଟ : କୋର୍ଟ ଆଦେଶର ଭୁଲ୍‌ ତର୍ଜମା କରା ନଯାଉ

କଟକ : ପୁରୀ ଶ୍ରୀମନ୍ଦିର ସେବାପୂଜା, ନୀତିକାନ୍ତି ଓ ଗର୍ଭଗୃହ ଭିତରକୁ ପ୍ରବେଶ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ସରକାର ଅଥବା ପ୍ରଶାସନ। ହାଇକୋର୍ଟରେ ବିଚାର ଚାଲିଥିବା ମାମଲାର ଏହା ଅନ୍ତର୍ଭୁକ୍ତ ନୁହେଁ। ବିଚାରାଧୀନ ଜନସ୍ୱାର୍ଥ ମାମଲାରେ ଶ୍ରୀମନ୍ଦିରର ସୁରକ୍ଷା ଓ ମରାମତି ପ୍ରସଂଗକୁ ଗୁରୁତ୍ୱ ଦିଆଯାଉଛି। ଏଭଳି ସ୍ଥିତିରେ ଅଦାଲତଙ୍କ ନିର୍ଦ୍ଦେଶକୁ ଭୁଲ୍‌ ତର୍ଜମା କରା ନଯାଉ ବୋଲି ଆଜି ହାଇକୋର୍ଟରେ ଶ୍ରୀମନ୍ଦିର ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗମୋହନ ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏ ପ୍ରକାର ସ୍ପଷ୍ଟ ମତ ଦେବା ସହ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଭାବେ ଓ ସମୟ ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତି ସଂପାଦନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ବିଭିନ୍ନ ଭାବେ ସମୀକ୍ଷା ତଥା ଅବତାରଣା କରାଯାଉଛି। ଜଗମୋହନ ଖୋଲିବା ପରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ପାଇଁ କେତେକ ଉଦ୍ୟମ କରିଛନ୍ତି। ଯେଉଁ ସେବକଙ୍କ ସେବାପୂଜା ଥିବ ସେମାନେ ଗର୍ଭଗୃହ ଭିତରକୁ ପ୍ରବେଶ କରି ପାରିବେ। ଗର୍ଭଗୃହ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଅଙ୍କୁଶ ରହିବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଭିନ୍ନ ଢଙ୍ଗରେ ତର୍ଜମା କରାଯାଉଛି। ଖଣ୍ଡପୀଠ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ସତ୍ୟପାଠ ଆଧାରରେ ଏଭଳି ରାୟ ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି। ଶ୍ରୀମନ୍ଦିର ସଂସ୍କାର କମିସନ୍‌ ଜଷ୍ଟିସ ବି.ପି.ଦାସଙ୍କ ଅନ୍ତରୀଣ ରିପୋର୍ଟ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠରେ ଅଦାଲତଙ୍କୁ ଅବଗତ କରିଥିଲା। ତେଣୁ ସରକାର ଯଦି ତାହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ତେବେ ସେହି ପ୍ରସ୍ତାବ ଅନୁଯାୟୀ ଗର୍ଭଗୃହ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇବାକୁ ରାୟରେ ଉଲ୍ଲେଖ କରାଯାଇଥିଲା। ସେବା ପୂଜା ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ଗର୍ଭଗୃହରେ ପ୍ରବେଶ ପାଇଁ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କେଉଁମାନେ ସେବା ପୂଜା ସହିତ ଜଡିତ ଓ କେଉଁମାନେ ଗର୍ଭଗୃହ ଭିତରକୁ ପ୍ରବେଶ କରିବେ ସେ ପ୍ରସଂଗରେ ସରକାର ଓ ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିବା କଥା। କିନ୍ତୁ ଏପରି କରା ନଯାଇ ହାଇକୋର୍ଟଙ୍କ ନିର୍ଦ୍ଦେଶର ବିଭିନ୍ନ ଭାବରେ ସମୀକ୍ଷା କରାଯିବାକୁ ନେଇ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଅନ୍ୟପକ୍ଷରେ ଆଜି ସୁଆର ମହାସୁଆର ନିଯୋଗର ସଂପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟଙ୍କ ପକ୍ଷରୁ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଦାୟର ଆବେଦନକୁ ଖଣ୍ଡପୀଠ ଗ୍ରହଣ କରିଛନ୍ତି। ଗର୍ଭଗୃହରେ ପ୍ରବେଶ ପ୍ରସଂଗ ଓ ଅନ୍ୟ କେତେକ ପ୍ରସଂଗରେ ପକ୍ଷଭୁକ୍ତ ହୋଇଥିବା ସୁଆର ମହାସୁଆର ନିଯୋଗ ପକ୍ଷରୁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଓ ନରସିଂହ ପୂଜାପଣ୍ଡାଙ୍କ ପକ୍ଷରୁ ମଧ୍ୟ ପକ୍ଷଭୁକ୍ତ ହେବା ପାଇଁ ପିଟିସନ୍‌ ଦାଖଲ କରାଯାଇଛି।

ଆଜି ମାମଲାର ଶୁଣାଣି ସମୟରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ହାଇକୋର୍ଟଙ୍କ ଏପ୍ରିଲ ୧୦ ତାରିଖର ନିର୍ଦ୍ଦେଶ ପାଳନ କରାଯାଇ ୨୦୧୮, ଏପ୍ରିଲ ୧୬ରେ ଜଗମୋହନ ଖୋଲା ଯାଇଛି। ଭକ୍ତମାନଙ୍କ ପାଇଁ ଜଗମୋହନ ଭିତରୁ ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ସମସ୍ତ ସେବକ ନିଯୋଗର ସଭାପତି ଓ ସଂପାଦକଙ୍କୁ ଏ ପ୍ରସଂଗରେ ଅବଗତ କରାଯାଇଥିଲା। କିନ୍ତୁ ୧୬ ତାରିଖ ଦିନ ସକାଳୁ କେତେକ ନିଯୋଗର ସେବକ ନୀତିକାନ୍ତି ସଂପାଦନରେ ଅସହଯୋଗ କରିଥିଲେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେତେକ ନିଯୋଗକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଏପରି ପରିସ୍ଥିିତିରେ ୧୬ ଓ ୧୭ ତାରିଖ ଦିନ ନୀତି ସଂପାଦନରେ ବିଳମ୍ବ ହୋଇଥିଲା। ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ପ୍ରଶାସକ, ପୁଲିସ ଆଇଜି(ସେଣ୍ଟ୍ରାଲ ରେଞ୍ଜ), ଜିଲ୍ଲାପାଳ, ଏସପି ବିଭିନ୍ନ ସେବକ ନିଯୋଗ ସହିତ ୧୭ ତାରିଖ ଦିନ ଆଲୋଚନା କରିଥିଲେ। ସେବକଙ୍କ ମଧରେ କେତେକ ପ୍ରସଂଗକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ବେଳେ ୧୮ ତାରିଖରୁ ସ୍ୱାଭାବିକ ଭାବେ ନୀତିକାନ୍ତି ଚାଲିଛି। କିନ୍ତୁ ସୁଆର ସେବକ ଭୋଗ ପ୍ରସ୍ତୁତ କରୁ ନାହାନ୍ତି। ଫଳରେ ହଜାର ହଜାର ଭକ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ମଧ୍ୟ ସମାନ ଧରଣର ତଥ୍ୟ ଥିବା ସତ୍ୟପାଠ ଦାଖଲ କରିଛନ୍ତି।

ଅନ୍ୟପକ୍ଷରେ ଏଏସଆଇ ପକ୍ଷରୁ ଦର୍ଶାଯାଇଛି ଯେ ନୀଳଚକ୍ରର ଆର୍ଥିଂ ମରାମତି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ନାଟ ମଣ୍ଡପ ଓ ଜୟବିଜୟ ଦ୍ୱାର ମରାମତି ପ୍ରସଂଗରେ ଏଥି ପୂର୍ବରୁ ପ୍ରଶାସନ ଓ ଏଏସଆଇ ତଥ୍ୟ ଦାଖଲ କରିବ। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତ୍ରିଲୋଚନ ଦାଶ, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ସୁଆର ମହାସୁଆର ନିଯୋଗ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଓ ଆଇନଜୀବୀ ପ୍ରଣୟ କୁମାର ଦାଶ, ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର ଓ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର