ଡାକ୍ତର ସୁଧା ସେଠୀଙ୍କୁ ଜାମିନ

କଟକ : ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସ୍‌ଟିଏଫ୍‌) ହେରଫେର ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଏସ୍‌ସିବି ମେଡିକାଲ କ୍ଲିନିକାଲ ହେମାଟୋଲୋଜି ବିଭାଗର ସହକାରୀ ପ୍ରଫେସର ତଥା ଓଏସ୍‌ଟିଏଫର ନୋଡାଲ ଅଫିସର ଡାକ୍ତର ସୁଧା ସେଠୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ୨୦୧୭, ଡିସେମ୍ବର ୨୨ରେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କ ଜାମିନ ମଞ୍ଜୁର କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ସେଠୀଙ୍କୁ ୨ ଲକ୍ଷ ଟଙ୍କା ଏବଂ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଛାଡିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସେ ଜାମିନରେ ଛାଡ ପାଇବା ପରେ ଆବଶ୍ୟକ ସ୍ଥଳେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବେ, ତଥ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ଏବଂ ନିମ୍ନ ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରତ୍ୟେକ ତାରିଖରେ ଉପସ୍ଥିତ ରହିବେ ବୋଲି ସର୍ତ୍ତାରୋପ କରାଯାଇଛି। ଡାକ୍ତର ସେଠୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ ମାମଲା ପରିଚାଳନା କରୁଥିଲେ।

ପ୍ରକାଶ ଯେ ଡାକ୍ତର ସେଠୀଙ୍କ ବିରୋଧରେ ସରକାରୀ ପଦବିର ଅପବ୍ୟବହାର, ନିର୍ଦ୍ଦିଷ୍ଟ ଔଷଧ କମ୍ପାନି ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ, ଆର୍ଥିକ ରାଜକୋଷକୁ କ୍ଷତି ପହଞ୍ଚାଇବା, ଠକେଇ, ଅର୍ଥ ତୋଷରପାତ, ଅପରାଧିକ ଷଡଯନ୍ତ୍ର ଭଳି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧), (ସି)(ଡି), ଆଇପିସିର ଦଫା ୪୦୯, ୪୨୦, ୩୪, ୧୨୦(ବି)ରେ ମାମଲା ରୁଜୁ କରାଯାଇଥିଲା। ତାଙ୍କୁ ଡିସେମ୍ବର ୧୩ରେ ଭିଜିଲାନ୍ସ ଗିରଫ କରିଥିଲା। ଏହା ପରେ ଫେରାର ଥିବା ଏସ୍‌ସିବି ମେଡିକାଲ କଲେଜର କ୍ଲିନିକାଲ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କୁ ଗିରଫ କରି ଭିଜିଲାନ୍ସ ଗତ ଡିସେମ୍ବର ୨୧ରେ ଅଦାଲତରେ ହାଜର କରାଯାଇଥିଲା। ଡାକ୍ତର ଜେନା ଓ ଡାକ୍ତର ସେଠୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଭିଜିଲାନ୍ସ ପଚରା ଉଚୁରା ମଧ୍ୟ କରିଥିଲା।

ସମ୍ବନ୍ଧିତ ଖବର