ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଅନ୍ତରୀଣ ଜାମିନ୍‌

କଟକ : ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟ ତାଙ୍କୁ ୨ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ଜୁନ୍‌ ୨୫ରେ ଶ୍ରୀ ବିଶ୍ୱାଳଙ୍କ ନିୟମିତ ଜାମିନ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଦିନଧାର୍ଯ୍ୟ କରାଯାଇଛି। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଶ୍ରୀ ବିଶ୍ୱାଳଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ସମୟରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ଦାଖଲ କରାଯାଇଥିଲା। ଚିକିତ୍ସାଧୀନ ଥିବା ଶ୍ରୀ ବିଶ୍ୱାଳଙ୍କୁ ଆସନ୍ତା ୧୦ ଦିନ ଭିତରେ ଡିସ୍‌ଚାର୍ଜ କରାଯିବା ସମ୍ଭବ ନୁହେଁ ବୋଲି ଦର୍ଶାଯାଇଥିଲା। ଏଥିସହିତ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସିବିଆଇ ଚାର୍ଜସିଟ ଦାଖଲ କରି ସାରିଥିବାବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଏପରି ପରିସ୍ଥିତିରେ ତାଙ୍କୁ ଜାମିନ ପ୍ରଦାନ କରାଯାଉ। ଖଣ୍ଡପୀଠ ମାମଲାର ଶୁଣାଣି କରି ଶ୍ରୀ ବିଶ୍ୱାଳଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

ଶ୍ରୀ ବିଶ୍ୱାଳ ମେଡିକାଲରୁ ଡିସଚାର୍ଜ ହେବା ସମୟରେ ଏ ସଂପର୍କରେ ଖଣ୍ଡପୀଠଙ୍କୁ ଅବଗତ କରାଯିବ। ଏଥିସହିତ ପରବର୍ତ୍ତୀ ଶୁଣାଣି ସମୟରେ ଆବେଦନକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ କରିବା ପାଇଁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ବିଜ୍ଞାନ କୁମାର ଶର୍ମା ତାଙ୍କୁ ସହାୟତା କରୁଥିଲେ। ସୂଚନାଯୋଗ୍ୟ ଯେ, ସିସୋର ମାମଲାରେ ୨୦୧୭ ସେପ୍ଟେମ୍ବର ୧୯ରେ ଶ୍ରୀ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା।

ସମ୍ବନ୍ଧିତ ଖବର